ଉଚ୍ଛେଦ ହୋଇଛି ବେଆଇନ ଭାବେ ନିର୍ମାଣ କରାଯାଇଥିବା ୧୯୮୨ ଧର୍ମାନୁଷ୍ଠାନ
ହାଇକୋର୍ଟରେ ମୁଖ୍ୟ ଶାସନ ସଚିବଙ୍କ ସତ୍ୟପାଠ
କଟକ: ସର୍ବସାଧାରଣ ସ୍ଥାନରେ ବେଆଇନ ଭାବେ ନର୍ମାଣ କରାଯାଇଥିବା ଧର୍ମାନୁଷ୍ଠାନ ଉଚ୍ଛେଦ ପ୍ରସଂଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ରାଜ୍ୟ ସରକାର ହାଇକୋର୍ଟରେ ତଥ୍ୟ ଦାଖଲ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ତରଫରୁ ଏ ନେଇ ସତ୍ୟପାଠ ଦାଖଲ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସତ୍ୟପାଠରେ କୁହାଯାଇଛି, ବେଆଇନ ଭାବେ ନିର୍ମାଣ କରାଯାଇଥିବା ୧୮,୬୨୧ଟି ଧର୍ମାନୁଷ୍ଠାନ ମଧ୍ୟରୁ ୧୯୮୨ଟି ଉଚ୍ଛେଦ କରାଯାଇଛି। ୧୦୭୩୮ଟି ଏପରି ଧର୍ମାନୁଷ୍ଠାନକୁ ନିୟମିତ କରାଯାଇଛି। ଅବଶିଷ୍ଟ ଗୁଡିକ ପ୍ରସଂଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୨୧, ଡିସେମ୍ବର ୮ରେ ମାମଲାର ପୂର୍ବରୁ ଶୁଣାଣି ହୋଇଥିବା ବେଳେ ଏହି ଦିନ ଠାରୁ ମାର୍ଚ୍ଚ ଶେଷ ସୁଦ୍ଧା ଆଉ ୧୬୧ଟି ବେଆଇନ ଭାବେ ନିର୍ମିତ ଧର୍ମାନୁଷ୍ଠାନ ଦୃଷ୍ଟିକୁ ଆସିଛି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୨, ଅଗଷ୍ଟ ୨୨କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ପ୍ରସଂଗରେ ସାନି ସ୍ଥିତି ସଂପର୍କରେ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ମୁଖ୍ୟ ଶାସନ ସଚିବ ଏ ନେଇ ସତ୍ୟପାଠ ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ ଯଦି ସର୍ବସାଧାରଣ ଜମି ଜବରଦଖଲ କରି କରାଯାଇଥିବା କୌଣସି ନିର୍ମାଣ ଟ୍ରାଫିକ୍ ସମସ୍ୟା ଅଥବା ଜନସାଧାରଣଙ୍କ ପାଇଁ ସମସ୍ୟା ସୃଷ୍ଟି କରୁ ନଥିବ, ତେବେ ସେଗୁଡିକୁ ନିୟମିତ କରାଯିବା ପ୍ରକ୍ରିୟା ବିଚାରକୁ ନିଆଯାଉଛି ବୋଲି ସରକାର ପୂର୍ବରୁ ହାଇକୋର୍ଟରେ କହିଥିଲେ। ଏହି ଆଧାରରେ କେତେକ ବେଆଇନ ଭାବେ ନିର୍ମିତ ଧର୍ମାନୁଷ୍ଠାନକୁ ଉଚ୍ଛେଦ କରାଯାଇଥିବାବେଳେ କେତେକକୁ ନିୟମିତ କରାଯାଇଛି। ଅନ୍ୟପକ୍ଷରେ ଏବେ ମଧ୍ୟ ବହୁ ସଂଖ୍ୟକ ବେଆଇନ ଭାବେ ସର୍ବସାଧାରଣ ଜମିରେ ନିର୍ମିତ ଧର୍ମାନୁଷ୍ଠାନ ରହିଛି ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏଭଳି ଧର୍ମାନୁଷ୍ଠାନ ଗୁଡିକ ପ୍ରସଂଗରେ କଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ୨୦୨୧, ଡିସେମ୍ବର ୮ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।