୩୦ ଦିନରେ ୩୦ ଦୁର୍ଘଟଣା, ତଥାପି ପ୍ରଶାସନର ଚେତା ପଶୁନି

ପ୍ରତିବାଦରେ ବଙ୍ଗାଳିଡ଼ାହି-ବାଛୁରିପଡ଼ା ରାସ୍ତା ୧୦ ଘଣ୍ଟା ଅବରୋଧ

ବୈଶିଙ୍ଗା: ବୈଶିଙ୍ଗା ଥାନା ଅଧୀନ ବଙ୍ଗାଳିଡ଼ାହି ଓ ବାଛୁରିପଡ଼ା ମଝିରେ ପୂର୍ତ୍ତ ବିଭାଗର ଏମ୍‌ଡିଆର-୭୦ ରାଜ୍ୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ରାସ୍ତାସାରା ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବା ବେଳେ ଏଥିରେ ପଡ଼ି ଯାତ୍ରୀ ମୃତାହତ ହେଉଛନ୍ତି। ହେଲେ ପୂର୍ତ୍ତ ବିଭାଗର ନିଦ ଭାଙ୍ଗୁନି। ଏହାର ପ୍ରତିବାଦରେ ଆଜି ସକାଳୁ ସ୍ଥାନୀୟ ଅଞ୍ଚଳବାସୀ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ।

ସୂଚନା ମୁତାବକ ପୂର୍ତ୍ତ ବିଭାଗ ପକ୍ଷରୁ ବୈଶିଙ୍ଗାରୁ ବାମୋଡ଼ାସ୍ଥିତ ଝୋଟକଳ ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ପାଇଁ ବାରମ୍ବାର ଟଙ୍କା ଖର୍ଚ୍ଚ କରାଯାଉଛି। ଏମିତିକି ମାସକ ତଳେ ଭିନ୍ନ ଭିନ୍ନ ଠିକାଦାରଙ୍କ ମାଧ୍ୟମରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚରେ ଉକ୍ତ ରାସ୍ତାକୁ ପ୍ରଶସ୍ତୀକରଣ କରାଯାଇଛି। ହେଲେ କି କାମ ହେଉଛି କେଜାଣି ରାସ୍ତା ସାରା ଯେଉଁ ଖାଲଖମାକୁ ସେଇ ଖାଲଖମା। ଅନୁରୂପ ଭାବେ ଏହି ରାସ୍ତାର ପଣସିଆ ବଙ୍ଗାଳିଡ଼ାହି ଓ ବାଛୁରିପଡ଼ା ଛକ ମଝିରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଏହାକୁ ମରାମତି କରାଯାଉ ନଥିବା ବେଳେ ଏଥିପାଇଁ ଦୁର୍ଘଟଣା ବଢ଼ିଚାଲିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତ ମାସକ ଭିତରେ ଏଠାରେ ୩୦ରୁ ଅଧିକ ଦୁର୍ଘଟଣା ଘଟିଲାଣି।

୧୫ ଦିନ ତଳେ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଭୋରରେ ମଧ୍ୟ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ଆଜି ଉଗ୍ରରୂପ ନେଇଥିଲା। ସକାଳ ୬ଟାରୁ ୧୦ ଘଣ୍ଟା ଯାଏ ଲୋକେ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ହେଲେ ପରିତାପର ବିଷୟ ଏହି ବ୍ୟସ୍ତବହୁଳ ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲେ ବି କୌଣସି ପ୍ରାଶାସନିକ ଅଧିକାରୀଙ୍କ ଦର୍ଶନ ମିଳି ନଥିଲା। ଆଜି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଆସୁଥିବା ଆଳରେ କେହି ବି ଅଧିକାରୀ ଆଲୋଚନା ପାଇଁ ଆସି ନଥିଲେ। ଶେଷରେ ବୈଶିଙ୍ଗା ପ୍ରେସ୍‌କ୍ଲବ୍‌ର ହସ୍ତକ୍ଷେପ ପରେ ବିଭାଗୀୟ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ କର୍ମଚାରୀମାନେ ଆସି ଅସ୍ଥାୟୀ ଭାବେ ଉକ୍ତ ରାସ୍ତାର ମରାମତି କରିଥିଲେ ଓ ୧୫ ଦିନ ମଧରେ ସ୍ଥାୟୀ ମରାମତିର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଲୋକମାନେ ରାସ୍ତାରୁ ହଟିଥିଲେ।

ସମ୍ବନ୍ଧିତ ଖବର