ପୁତୁରାକୁ ମାରିଥିଲେ; ଦାଦା ସମେତ ୪ ଜଣଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ରା.ଉଦୟଗିରି : ୨୦୧୮ରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ମାମଲାର ବିଚାରଣା କରି ବୁଧବାର ରା.ଉଦୟଗିରି ସହକାରୀ ଦୌରାଜଜ୍ ବିଶ୍ବେଶ୍ବର ବିଶ୍ବପ୍ରକାଶ ରାୟ ଏକ ପରିବାରର ଦାଦା ସମେତ ୪ ଜଣଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୮ ଏପ୍ରିଲ ୨୩ ତାରିଖରେ ରାମଗିରି ଥାନା ଅନ୍ତର୍ଗତ ସୁବଲଡ଼ା ଗ୍ରାମରେ କୌଣସି ଏକ କଥାକୁ କେନ୍ଦ୍ର କରି ଗୋଟିଏ ପରିବାରର ଦାଦା ପୁତୁରାଙ୍କ ମଧ୍ୟରେ କଳି ଉଗ୍ର ରୂପ ନେଇଥିଲା। ଉତ୍ତ୍ୟକ୍ତ ଦାଦା ଶଙ୍କର ବଡମୁଣ୍ଡିଙ୍କ ସମେତ ସୀତାରାମ ବଡ଼ମୁଣ୍ଡି, ସୁଶୀଳା ବଡ଼ମୁଣ୍ଡି ଓ ମିନିବାଳା ବଡ଼ମୁଣ୍ଡି ସଂଘବଦ୍ଧ ଭାବେ ଶିଳ ଓ କାତିରେ ପୁତୁରା ତ୍ରିନାଥ ବଡମୁଣ୍ଡିଙ୍କୁ ଆକ୍ରମଣ କରିଥିଲେ।

ତ୍ରିନାଥଙ୍କ ପେଟ ଚିରି ଅନ୍ତଃନଳୀ ବାହାରକୁ ଆସି ଯାଇଥିଲା। ଏଭଳିକି, ଆକ୍ରମଣ ପୂର୍ବରୁ ସୁଶୀଳା, ମିନିବାଳା ଓ ମଧୁସ୍ମିତା ବଡ଼ମୁଣ୍ଡି ତ୍ରିନାଥଙ୍କ ହାତକୁ ବାନ୍ଧି ପାଟିରେ ବାଲି ଭର୍ତ୍ତି କରି ଦେଇଥିଲେ। ଏ ନେଇ ତ୍ରିନାଥଙ୍କ ପତ୍ନୀ ସରୋଜିନୀ ବଡ଼ମୁଣ୍ଡି ଥାନାରେ ଅଭିଯୋଗ କରିବା ପରେ ଆଇପିସି ଦଫା ୩୦୭/୩୨୬/୩୨୪/୫୦୬/୩୪ ପ୍ରକାରେ ଏକ ମକଦ୍ଦମା ରୁଜୁ କରାଯାଇ ଅନୁସନ୍ଧାନ ଆରମ୍ଭ ହୋଇଥିଲା। ପରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିଲା। ଦୀର୍ଘ ୪ବର୍ଷ ଧରି ଚାଲିଥିବା ମାମଲାଟିର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାର କରୁଥିବା ସହକାରୀ ଦୌରାଜଜ୍‌ ବୁଧବାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି।

୪ଜଣ ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଥିବା ବେଳେ ୫୦ ହଜାର ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୬ମାସ କାରାଦଣ୍ଡ ଭୋଗିବା ପାଇଁ କହିଛନ୍ତି। ଏତଦ୍‌ବ୍ୟତୀତ ଭାରତୀୟ ପିଙ୍ଗଳ କୋଡ଼ ୫୦୬ ଅନୁଯାୟୀ ପ୍ରତ୍ୟେକଙ୍କୁ ଆଉ ୨ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ହଜାର ଟଙ୍କାର ଆର୍ଥିକ ଦଣ୍ଡାଦେଶ ମଧ୍ୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ହରିକୃଷ୍ଣ ପ୍ରଧାନ ମାମଲା ପରିଚାଳନା କରିଥିବା ବେଳେ ମୁଦାଲାଙ୍କ ପକ୍ଷରୁ ସନ୍ତୋଷ କୁମାର ପାଢ଼ୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର