୫-ଟି ସଚିବଙ୍କ କେନ୍ଦ୍ରାପଡ଼ା ଓ କଟକ ଗସ୍ତ: ସାତଭାୟା ଥଇଥାନ କଲୋନିର ରୂପରେଖ ବଦଳିବ

ଆଳି ବରାହ ମନ୍ଦିର, ନେମାଳ ପଦ୍ମବନ ପୀଠର ବିକାଶ ପାଇଁ ପ୍ରତିଶ୍ରୁତି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ଦିନ ରାଜନଗର, ରାଜକନିକା ଓ ଆଳି ବ୍ଲକ୍‌ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି। ରାଜନଗରର କେରେଡାଗଡ ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀମଦ୍‌ ବାୟା ବାବାଙ୍କ ମଠ ଓ ମା’ ପଞ୍ଚୁବରାହୀଙ୍କ ମନ୍ଦିରର ପୁନରୁଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସାତଭାୟା ଥଇଥାନ କଲୋନିର ରୂପରେଖ ବଦଳିବ ଓ ବାଦ୍‌ ପଡିଥିବା ପରିବାର ଥଇଥାନ ହେବେ ବୋଲି କହିବା ସହ ନୂଆ ବର୍ଷ ପୂର୍ବରୁ ଥଇଥାନ କଲୋନିର ଚିତ୍ର ବଦଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଶୁକ୍ରବାର ସକାଳେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ପ୍ରଥମେ ଆଳି ବରାହ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ସେଠାରେ ଉପସ୍ଥିତ ଟ୍ରଷ୍ଟବୋର୍ଡର ସଭାପତି ତଥା ଆଳି ରାଜା ବ୍ରଜ କେଶରୀ ଦେବଙ୍କ ସହିତ ମନ୍ଦିରର ଉନ୍ନତୀକରଣ ସଂପର୍କରେ ଆଲୋଚନା କରିଥିଲେ। ପରେ ଆଳି ଷ୍ଟାଡିୟମ ଭିତ୍ତିଭୂମି ଦେଖିଥିଲେ। ଏହି ଷ୍ଟାଡିୟମର ସମସ୍ୟା ଦୂରୀକରଣ କରାଯାଇ ରୂପରେଖ ବଦଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଶ୍ରୀ ପାଣ୍ଡିଆନ୍‌ ରାଜନଗର ବ୍ଲକ୍‌ କୋଇଲିପୁର ପଞ୍ଚାୟତ ବଡ଼ପଲ୍ଲୀ ନୋଡାଲ ହାଇସ୍କୁଲରେ ୫-ଟି ରୂପାନ୍ତରଣ କାର୍ଯ୍ୟ ଦେଖିଥିଲେ। ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥିତି ଅନୁଧ୍ୟାନ କରିବା ସହିତ ଭାଟପଡା ନିକଟରେ ହଂସୁଆ ନଦୀରେ ନିର୍ମାଣ ହୋଇଥିବା ଲଞ୍ଚିଙ୍ଗ, ପ୍ୟାକିଂ ଓ ସ୍ପର୍‌ ବୁଲି ଦେଖିଥିଲେ। ଏହାପରେ ନାମାଚାର୍ଯ୍ୟ ଶ୍ରୀମଦ୍‌ ବାୟାବାବାଙ୍କ ଜନ୍ମପୀଠ ମଠ ଦର୍ଶନ କରିଥିଲେ। ସେଠାରୁ ବଗପାଟିଆରେ ଥଇଥାନ କରାଯାଇଥିବା ସାତଭାୟାବାସୀଙ୍କୁ ଭେଟିଥିଲେ। ଏହି ଅବସରରେ ଥଇଥାନ ପ୍ରକ୍ରିୟାରୁ ବାଦ୍‌ ପଡିଥିବା ସମସ୍ତ ପରିବାରଙ୍କୁ ଥଇଥାନ କରାଯିବ ବୋଲି କହିଥିଲେ। ଜିଲ୍ଲା ପ୍ରଶାସନ ୨୨କୋଟି ଟଙ୍କାର ପ୍ରସ୍ତାବ ପଠାଇଛନ୍ତି, ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଏହାକୁ ଅନୁମୋଦନ କରିବେ ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ୫-ଟି ସଚିବଙ୍କ ସହିତ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଏସ୍‌ପି ମଦକର ସନ୍ଦୀପ ସମ୍ପଦ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହାପରେ ଶ୍ରୀ ପାଣ୍ଡିଆନ୍‌ ରାଜକନିକା ବ୍ଲକ୍‌ ଗସ୍ତରେ ଯାଇ ସେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିବା ସହ ଡାକ୍ତରମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ସେ ତରାସ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ‘୫-ଟି’ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ସ୍କୁଲ୍‌ ପଡ଼ିଆରେ ଆୟୋଜିତ ସଭାରେ ୫-ଟି ସଚିବ ମିସନ ଶକ୍ତି ମହିଳାମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ।

ଶୁକ୍ରବାର ଅପରାହ୍ନରେ ଶ୍ରୀ ପାଣ୍ଡିଆନ ପଂଚସଖାଙ୍କ ମଧ୍ୟରେ ଅନ୍ୟତମ ଅଚ୍ୟୁତାନନ୍ଦ ଦାସଙ୍କ ସାଧନା ଓ ସମାଧି ପୀଠ ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପଦ୍ମବନ ପୀଠରେ ପହଞ୍ଚି ପୀଠର ସାମଗ୍ରିକ ବିକାଶ ପାଇଁ ଜିଲ୍ଲାପ୍ରଶାସନ ଓ ଓବିସିସିକୁ ନିର୍ଦ୍ଦେଶ ଦେଇଛନ୍ତି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପ୍ରସିଦ୍ଧ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗଇଦେବେ ବୋଲି ୫-ଟି ସଚିବ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ, ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ, ଉପଜିଲ୍ଲାପାଳ ତଥା ମନ୍ଦିର ପରିଚାଳନା ଟ୍ରଷ୍ଟି କମଳଜିତ୍ ଦାସ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅମ୍ବର କୁମାର କରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର