୧୦ କଳାପଥର ଖାଦାନରେ ସିଜିଏସ୍‌ଟି ଚଢ଼ଉ

ଲିଜ୍‌ଧାରୀ ଛାନିଆ, ୧୪କୋଟିରୁ ଊର୍ଧ୍ବ ଟଙ୍କାର ଟିକସଫାଙ୍କି, କଳାପଥର କେଳେଙ୍କାରୀ ନେଇ ୨୯୪କୋଟି ଜରିମାନା ହୋଇଥିଲା

ଭୁବନେଶ୍ବର/ଯାଜପୁର/ଚଢ଼େଇଧରା : ଆୟକର ଚଢ଼ଉର କିଛିଦିନ ବ୍ୟବଧାନ ପରେ କଳାପଥର ଲିଜ୍‌ଧାରୀଙ୍କ ଉପରେ କେନ୍ଦ୍ରୀୟ ଜିଏସ୍‌ଟି ଟିମ୍‌ ଛାଟ ବାଜିଛି। ଆଜି ଧର୍ମଶାଳା ତହସିଲ ଅଞ୍ଚଳର ୧୦ଜଣ କଳାପଥର ଖାଦାନ ଲିଜ୍‌ଧାରୀଙ୍କ କାର୍ଯ୍ୟାଳୟ ଏବଂ ଘର ଉପରେ ସିଜିଏସ୍‌ଟି ଚଢ଼ଉ କରାଯାଇଛି।

ଲିଜ୍‌ଧାରୀ କୋଟି ‌କୋଟି ଟଙ୍କାର ଜିଏସ୍‌ଟି ଫାଙ୍କିବା ନେଇ ଜଣାପଡ଼ିବା ପରେ ଜୋନାଲ ୟୁନିଟ୍‌ର ଅତିରିକ୍ତ ନିର୍ଦ୍ଦେଶକ ଦେବାଶିଷ ସାହୁଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ଜିଏସ୍‌ଟିର ୧୦ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା।‌ ଚଢ଼ଉ ବେଳେ ସେମାନଙ୍କଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ତେବେ ଏମାନେ ୧୪ କୋଟିରୁ ଊର୍ଧ୍ବ ଟଙ୍କାର ଟିକସ ଫାଙ୍କିଥିବା ହିସାବରୁ ଜଣାପଡ଼ିଛି। ବିରି ମାଡ଼ ଦେଖି କୋଳଥ ଚୋପା ଭଳି‌ ଜିଏସ୍‌ଟି ଚଢ଼ଉ ଖବର ପାଇ ଅନ୍ୟ କ୍ରସର ଓ ଖାଦାନ ଲିଜ୍‌ଧାରୀଙ୍କ ମଧ୍ୟରେ ଛନକା ପଶିଛି। ନିଜନିଜ କାର୍ଯ୍ୟାଳୟରେ ତାଲା ପକାଇ ଫେରାର୍‌ ‌ହୋଇଯାଇଛନ୍ତି।

ଆଜି କେନ୍ଦ୍ରୀୟ ଜିଏସ୍‌ଟି ଦଳ ପ୍ରଥମେ ଚଢ଼େଇଧରା ଅଞ୍ଚଳର ଲିଜଧାରୀ ରଙ୍ଗାଧର ପ୍ରଧାନଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିଥିଲେ। ପରେ ଗଙ୍ଗାଧର ଓଝା, ଜ୍ୟୋତ୍ସ୍ନା ଜେନା, ଅରୁଣି ଟ୍ରାନ୍‌ସପୋର୍ଟର ଅଜିତ ସାହୁ, ଶ୍ରୀନିବାସ ଜେନା, ବିଶ୍ୱରଞ୍ଜନ ପରିଡ଼ା, କୃଷ୍ଣଚନ୍ଦ୍ର ସାହୁ, ସୁଧାଂଶୁ ଜେନା ଓ ପ୍ରହଲ୍ଲାଦ ଲେଙ୍କା ପ୍ରମୁଖ ଲିଜ୍‌ଧାରୀଙ୍କ କାର୍ଯ୍ୟାଳୟ ଓ ଘରେ ପହଞ୍ଚି ନୋଟିସ୍ ଦେଇଛନ୍ତି। ତେବେ ସର୍ବାଧିକ ଭାବେ ଜ୍ୟୋତ୍ସ୍ନାଙ୍କ ସଂସ୍ଥା ସାଢ଼େ ୬କୋଟି ଟଙ୍କା ଟିକସ ଫାଙ୍କିଥିବା‌ ‌ବେଳେ ପଛକୁ ଗଙ୍ଗାଧର‌ ଦେଢ଼ କୋଟି, ରଙ୍ଗାଧରଙ୍କ ସଂସ୍ଥା ଏକ କୋଟି ୩୮ଲକ୍ଷ, କୃଷ୍ଣଙ୍କର କୋଟିଏ ୧୦ଲକ୍ଷ, ବିଶ୍ବରଞ୍ଜନଙ୍କର ୭୯ଲକ୍ଷ, ଶ୍ରୀନିବାସଙ୍କ ୭୬ଲକ୍ଷ, ସୁଧାଂଶୁଙ୍କ ୬୨ଲକ୍ଷ, ପ୍ରହଲ୍ଲାଦଙ୍କ ୩୮ ଲକ୍ଷ ଏବଂ ଅଜିତ୍‌ଙ୍କ ସଂସ୍ଥା ୩୬ଲକ୍ଷ ଟଙ୍କା ଟିକସ ଫାଙ୍କିଥିବା ହିସାବରୁ ଜଣାପଡ଼ିଛି। ଅନ୍ୟପଟେ କେତେକ ଲିଜ୍‌ଧାରୀ ଘରେ ନଥିବାରୁ ସେମାନଙ୍କର ଉପରେ ଚଢ଼ଉ କରାଯାଇପାରି ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟମାନଙ୍କ ଛାନଭିନ୍ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର