ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ହାତ ମିଳାଇଲେନି ରାଜନାଥ

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ଭାରତରେ ଅନୁଷ୍ଠିତ ହେଉଛି। ଏହି ଅବସରରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଭିନ୍ନ ସଦସ୍ୟ ଦେଶର ପ୍ରତିପକ୍ଷଙ୍କ ସହ ଦ୍ବିପାକ୍ଷିକ ବୈଠକ ଓ ଆଲୋଚନା କରିଛନ୍ତି। କିନ୍ତୁ ଏଠାରେ ଚୀନ ପ୍ରତି ଭାରତ ତାହାର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଇରାନ, କାଜାଖସ୍ଥାନ ଏବଂ ତାଜିକସ୍ତାନର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିବା ସମୟରେ ରାଜନାଥ ସେମାନଙ୍କ ସହିତ ହାତ ମିଳାଇଥିଲେ। କିନ୍ତୁ ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁଙ୍କ ସହ ବୈଠକ ସମୟରେ ରାଜନାଥ ତାଙ୍କ ସହିତ ହାତ ମିଳାଇ ନଥିଲେ। କେବଳ ନମସ୍କାର କରିଥିଲେ। ରାଜନାଥ ସିଂହଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଛବିରୁ ଏହା ଜଣାଯାଇଛି। ଗଲୱାନରେ ଚୀନ ସେନାର ଅନୁପ୍ରବେଶ ଏବଂ ଭାରତର ସେନା ସହିତ ସଂଘର୍ଷ ପରେ ଭାରତ ଗସ୍ତରେ ପ୍ରଥମ ଥର ପାଇଁ ଚୀନ ପ୍ରତିରକ୍ଷା ମନ୍ତ୍ରୀ ଆସିଛନ୍ତି।

ସମ୍ବନ୍ଧିତ ଖବର