ଚନ୍ଦ୍ରଶେଖରପୁର: ୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଏଠାରେ ରେଡ୍‌କ୍ରସ, ସ୍କାଉଡ୍‌ ଆଣ୍ଡ୍‌ ଗାଇଡ୍‌, ଇକୋ-କ୍ଲବ୍‌ ରହିବା ସହ କ୍ରୀଡ଼ା କ୍ଷେତ୍ରରେ ପିଲାମାନେ ଉନ୍ନତ ପ୍ରଦର୍ଶନ କରୁଛନ୍ତି।ଗୋଟିଏ କ୍ୟାମ୍ପସ୍‌ରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲିଛି। ୫୦ ତିନି ଦଶନ୍ଧି ଧରି ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କୁ ଗଢ଼ିଥିବା ରେଲୱେ କଲୋନି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଦୁଇଟି ଶ୍ରେଣୀରେ ତାଲା ମାରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁଠାରେ ୧୩୦ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଉଚ୍ଚ ପ୍ରାଥମିକର ଦୁଇଟି ଶ୍ରେଣୀ ବନ୍ଦ ହେବା ଯେତିକି ଚିନ୍ତାର ବିଷୟ ନୁହେଁ, ତା’ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଯେ ୬ଷ୍ଠ ଓ ୭ମ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ୧୩୦ ପିଲାଙ୍କ ଭବିଷ୍ୟତ। କାରଣ ଉଚ୍ଚ ପ୍ରାଥମିକ ଶ୍ରେଣୀ ବନ୍ଦ ଦ୍ବାରା ଆଖପାଖ ଅଞ୍ଚଳର ପିଲାଙ୍କ ପାଠପଢ଼ା ଠପ୍‌ ହୋଇଯିବ। ସେମାନେ ୩ କିମି ଦୂରରେ ଥିବା ଡମଣା, ଗାଡ଼କଣ ଅଞ୍ଚଳର ବିଦ୍ୟାଳୟକୁ ପଢ଼ିବାକୁ ଯିବା ବଦଳରେ ପାଠପଢ଼ା ଛାଡ଼ିଦେବାକୁ ମନସ୍ଥ କରିଛନ୍ତି।

Advertisment

ରେଳବାଇ ଦ୍ବାରା ପ୍ରଦତ୍ତ ଜମିରେ ଏହି ବିଦ୍ୟାଳୟ ୧୯୯୧ରୁ ଚାଲିଛି। ଗୋଟିଏ କ୍ୟାମ୍ପସ୍‌ରେ ଏବେ ପ୍ରଥମରୁ ୫ମ ଶ୍ରେଣୀରେ ୨୦୨, ଷଷ୍ଠ ଓ ସପ୍ତମରେ ୧୩୦ ଏବଂ ଅଷ୍ଟମରୁ ଦଶମ ଶ୍ରେଣୀରେ ୨୦୦ ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଯେଉଁ ଛାତ୍ରଛାତ୍ରୀ ଏଠାରେ ଶିକ୍ଷାଗ୍ରହଣ କରୁଛନ୍ତି ସେମାନେ ମୁଖ୍ୟତଃ ଗରିବ ପରିବାରର ତଥା ଦିନ ମଜୁରିଆ। ଧିରୀକୁଟି ସାହି, ରେଲୱେ କଲୋନି, ଆଦିମାତା କଲୋନି, ପାତ୍ରସାହି, ଦାସରାଜା ବସ୍ତି, ତ୍ରିନାଥ ବସ୍ତିର ପିଲାମାନେ ମୁଖ୍ୟତଃ ଏହି ବିଦ୍ୟାଳୟ ଉପରେ ନିର୍ଭରଶୀଳ। ଘର ପାଖରେ ବିଦ୍ୟାଳୟ ହୋଇଥିବାରୁ ଅଭିଭାବକମାନେ ସକାଳୁ ପିଲାଙ୍କୁ ସ୍କୁଲ ଛାଡ଼ି କର୍ମକ୍ଷେତ୍ରକୁ ଚାଲି ଯାଆନ୍ତି। ଆଉ ଫେରିବା ପରେ ସ୍କୁଲ ଛୁଟି ହେବାରୁ ସେମାନେ ପିଲାଙ୍କୁ ନେବାକୁ ଆସନ୍ତି। ଏହାଦ୍ବାରା ପିଲାଙ୍କ ପାଠପଢ଼ା କିମ୍ବା ଅଭିଭାବକଙ୍କ କର୍ମକ୍ଷେତ୍ରରେ କୌଣସି ଅସୁବିଧା ହୁଏ ନାହିଁ। ମାତ୍ର ଏବେ ସରକାରୀ ଓ ଅନୁଦାନପ୍ରାପ୍ତ ବର୍ଗୀକରଣରେ ବିଦ୍ୟାଳୟ ଛନ୍ଦି ହୋଇପଡ଼ିଛି। ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷକ ଅବସର ଗ୍ରହଣ ପରେ ସେଠାରେ ନୂତନ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା ନ ଥିବା ଦର୍ଶାଇ ଗଣଶିକ୍ଷା ବିଭାଗ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି ନିୟମ ଦ୍ବାରା ପିଲାଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛି।

ଏପ୍ରିଲ ୧ରୁ ପିଲାଙ୍କୁ ଦିଆଯାଉନି ମଧ୍ୟାହ୍ନଭୋଜନ
ଶ୍ରେଣୀଗୃହରେ ତାଲା, ବାହାରେ ବସୁଛନ୍ତି ପିଲା

୧୯୯୧ରେ ଦୁଇଜଣ ଶିକ୍ଷକଙ୍କୁ ନେଇ ଆରମ୍ଭ ହୋଇଥିବା‌ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୯୪ରେ ସରକାରୀ ଅନୁଦାନପ୍ରାପ୍ତ ହୋଇଥିଲା। ୨୦୨୪ରେ ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଅବସର ଗ୍ରହଣ କରିବା ପରେ ଏଠାରେ ଶିକ୍ଷକଙ୍କ ସଂଖ୍ୟା ଶୂନ୍ୟ ହୋଇଥିଲା। ତେଣୁ ସ୍କୁଲ ବନ୍ଦ କରିବାକୁ ବିଭାଗୀୟ ଅଧିକାରୀ ନିଷ୍ପତ୍ତି ନେଇଥିଲେ। ଯେହେତୁ ଶିକ୍ଷାବର୍ଷ ଚାଲିଥିଲା ପିଲାଙ୍କ ପାଠପଢ଼ାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ଅସ୍ଥାୟୀ ଭାବେ ଜଣେ ଶିକ୍ଷୟିତ୍ରୀଙ୍କୁ ଏଠାରେ ନିଯୁକ୍ତ କରାଯାଇଥିଲା। ତେବେ ଗତ ମାର୍ଚ୍ଚ ୨୫ରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଏହି ବିଦ୍ୟାଳୟକୁ ଡି-ରେକୋଗନାଇଜେସନ୍‌ କରି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟ କରିବାକୁ ଡିଇଓ ଓ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏହି ବିଦ୍ୟାଳୟକୁ ଉନ୍ନୀତ କରିବାକୁ ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ଇତିମଧ୍ୟରେ ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।ଏହାରି ଭିତରେ ୬ଷ୍ଠ ଓ ୭ମ ଶ୍ରେଣୀ କ୍ଲାସରୁମ୍‌ରେ ତାଲା ପକାଇ ଦିଆଯାଇଛି। 

ପିଲାମାନଙ୍କୁ ଭିତରକୁ ଛଡ଼ାଯାଉ ନାହିଁ। ଯେଉଁ ପିଲାମାନେ ବିଦ୍ୟାଳୟ ଆସୁଛନ୍ତି ସେମାନଙ୍କୁ ଫେରାଇ ଦିଆଯାଉଛି। ଆହୁରି ଚକିତ କଲା ଭଳି କଥା ହେଉଛି ଯେ ଦୁଇଟି ଶ୍ରେଣୀର ୧୩୦ ପିଲାଙ୍କ ମଧ୍ୟାହ୍ନ‌ଭୋଜନ ବନ୍ଦ କରି ଦିଆଯାଇଛି। ସ୍କୁଲ ଆସି ବାରଣ୍ଡା କିମ୍ବା ଅଙ୍ଗନବାଡ଼ି ଭିତରେ ବସି ରହୁଥିଲେ ମଧ୍ୟ ସେମାନଙ୍କୁ କିଛି ମିଳୁନି। ଏଭଳି ସମସ୍ୟା ନେଇ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ୩ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଓପେସା ରାଜ୍ୟ ପ୍ରକଳ୍ପ ନି‌ର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ।