ପ୍ରତି ପଞ୍ଚାୟତରେ ଖୋଲିବ ଆଧାର ପଞ୍ଜୀକରଣ କେନ୍ଦ୍ର

ଭୁବନେଶ୍ୱର: ଆଧାର ପଞ୍ଜୀକରଣରେ ସାରା ଦେଶରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ। ଏହାର ଜନସଂଖ୍ୟାର ୯୪ ପ୍ରତିଶତ ଆଧାର ପଞ୍ଜୀକରଣ କରିଛନ୍ତି। ଭାରତୀୟ ଏକକ ପରିଚୟ କର୍ତୃପକ୍ଷ(ୟୁଆଇଡିଏଆଇ) ଏଡିଜି ଭାସ୍କର ରାଓ ଏହା ପ୍ରକାଶ କରିଛନ୍ତିି। ଏହି ପଞ୍ଜୀକରଣ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ଵିତ କରାଯିବ। ଏଥିପାଇଁ ପ୍ରତି ପଞ୍ଚାୟତରେ ଆଧାର ପଞ୍ଜୀକରଣ କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟରେ ଆଧାର ପଞ୍ଜୀକରଣ କାର୍ଯ୍ୟକାରିତା ବୈଠକରେ ଏ ନେଇ ନୀତିଗତ ନିଷ୍ପତ୍ତି ନିଆଯାଇଛି। ତେବେ ପ୍ରତି ବ୍ଲକ, ପଞ୍ଚାୟତରେ ଆଧାର ପଞ୍ଜୀକରଣ କେନ୍ଦ୍ର ଖୋଲାଗଲେ ବି ସେଥିରେ ଘରୋଇ ସଂସ୍ଥାକୁ ସାମିଲ କରାଯିବ ନାହିଁ। ବୈଠକ ଶେଷରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୁଖ୍ୟ ସଚିବ କହିଥିଲେ ଯେ ଏହି ମାସ ୧୬ ତାରିଖ ସୁଦ୍ଧା ରାଜ୍ୟର ୪ କୋଟି ୨୨ ଲକ୍ଷ ୪୬ ହଜାର ୧୭୦ଜଣ ବ୍ୟକ୍ତିଙ୍କର ଆଧାର ନମ୍ବର ପ୍ରସ୍ତୁତ କରାଯାଇଛି। ଏ କ୍ଷେତ୍ରରେ ସଫଳତା ହାର ୯୪ ପ୍ରତିଶତ। ଆଗାମୀ ୩/୪ ମାସ ଭିତରେ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପଞ୍ଜୀକରଣ ଶେଷ କରାଯିବ ବୋଲି ସେ କହିଥିଲେ।

ବୈଠକର ସୂଚନା ଅନୁଯାୟୀ ୨୦୧୭ ଜନଗଣନା ଆକଳନ ଅନୁଯାୟୀ ରାଜ୍ୟରେ ୪ କୋଟି ୪୯ ଲକ୍ଷ ୪୧ ହଜାର ୬୬୦ଜଣ ବ୍ୟକ୍ତି ମଧ୍ୟରୁ ବର୍ତମାନ ସୁଦ୍ଧା ୪ କୋଟି ୪୩ ଲକ୍ଷ ୬୯ ହଜାର ୪୧୬ଜଣଙ୍କର ଆଧାର ନମ୍ବର ପ୍ରସ୍ତୁତ ହୋଇଛି। ୧୮ ବର୍ଷରୁ ଅଧିକ ବୟସର ନାଗରିକଙ୍କ ପଞ୍ଜୀକରଣରେ ୧୦୩ ପ୍ରତିଶତ ସଫଳଦା ହାସଲ ହୋଇଛି। କିନ୍ତୁ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ପଞ୍ଜୀକରଣ କ୍ଷେତ୍ରରେ ସଫଳତା ହାର କମ୍‌। ଏହାବ୍ୟତୀତ, ଅଧିକ ସଂଖ୍ୟକ ହିତାଧିକାରୀ ଭିତ୍ତିକ ଯୋଜନାରେ ଆଧାର ସଂଯୋଗ କରିବାକୁ ସ୍ଥିର ହୋଇଛି। ବର୍ତମାନ ସୁଦ୍ଧା ସାଧାରଣ ବଣ୍ଟନ ବ୍ୟବସ୍ଥା, ନରେଗା ଭତ୍ତା, ମେଧାବୃତ୍ତି ପ୍ରଦାନ, ଏଲ୍‌ପିଜି ଗ୍ୟାସ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆଦି ଯୋଜନାରେ ଆଧାର ସଂଯୋଗ କରାଯାଇଛି।  ବୈଠକରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର