ନାବାଳିକା କୃଷିଶ୍ରମିକ ଆହ୍ଲାଦିନୀ ଆଜି ବିହନ ସଂରକ୍ଷକ: ଲକ୍‌ଡାଉନରେ କୃଷି ଉତ୍ପାଦକ କମ୍ପାନି ଦେଇଥିଲା ରୋଜଗାର

ସିୱାଇଏସ୍‌ଡିର ପ୍ରତିଷ୍ଠା ଦିବସରେ ବିଭିନ୍ନ ବର୍ଗର ସ୍ବେଚ୍ଛାସେବୀ ସାମିଲ

ଭୁବନେଶ୍ବର: କଅଁଳ ବୟସରେ ବାପାଙ୍କ ଦେହାନ୍ତ ହୋଇଗଲା, ପାରିବାରିକ ଚାପରେ ମା’ ପାଠ ପଢିବା ପାଇଁ ଟଙ୍କା ଦେଇ ପାରିଲେ ନାହିଁ। ଅଷ୍ଟମ ଶ୍ରେଣୀରୁ ପାଠ ଛାଡ଼ି ମାତ୍ର ୧୫ ବର୍ଷରେ କୃଷି ଶ୍ରମିକ ପାଲଟି ଯାଇଥିଲେ ଆହ୍ଲାଦିନୀ ଖିଲାର। ମାତ୍ର ୧୦ ବର୍ଷରେ ତାଙ୍କ ଜୀବନର ଗତିପଥ ଏଭଳି ବଦଳିଲା ଯେ ଆଜି ଲୁପ୍ତପ୍ରାପ୍ତ କ୍ଷୁଦ୍ରଶସ୍ୟ ବିହନର ସଂରକ୍ଷକ ହୋଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପୁରସ୍କୃତ ମଧ୍ୟ କରିଛନ୍ତି। ସାମାଜିକ ସଙ୍ଗଠନ ଯୁବ ଓ ସମାଜ ବିକାଶ କେନ୍ଦ୍ର (ସିୱାଇଏସଡି)ର ୪୨ ତମ ପ୍ରତିଷ୍ଠା ଦିବସର ଗୋଟିଏ ଦିନ ପୂର୍ବରୁ ଆୟୋଜିତ ସ୍ବେଚ୍ଛାସେବୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଥିଲେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ାର ଆହ୍ଲାଦିନୀ।

ଆହ୍ଲାଦିନୀ କହନ୍ତି, ୫ ଭଉଣୀଙ୍କ ମଧ୍ୟରୁ ସେହିଁ କେବଳ ସ୍କୁଲ ମାଟି ମାଡ଼ିଛନ୍ତି। ପରିସ୍ଥିତି ଚାପରେ ମାତ୍ର ୭୦ ଟଙ୍କା ପାଇଁ ସେବି ଅନ୍ୟର ବିଲକୁ ଯାଇ କାମ କରିବାକୁ ଲାଗିଲେ। ବିବାହ ପରେ ସ୍ବାମୀଙ୍କ ସହିତ ମାଣ୍ଡିଆ, କାଙ୍ଗୁ, ସୁଆଁ, ଖେତଚଣା, ବାଜରା ଆଦି ଚାଷ କରୁଥିଲେ ମଧ୍ୟ ଉତ୍ପାଦନ ସେତେ ନଥିଲା। ୨୦୧୭ ମସିହାରେ ପ୍ରଣାଳୀ ଚାଷ ସମ୍ପର୍କରେ ଅବଗତ ହୋଇଥିଲେ। ପୂର୍ବରୁ ଯେଉଁ ୫ ଏକର ଜମିରେ ୭ କ୍ବିଣ୍ଟାଲ୍‌ ମାଣ୍ଡିଆ ପାଉନଥିଲେ ଆଜି ୧ ଏକର ଜମିରେ ତାଙ୍କ ସମ୍ଭବ ହେଲା। ଗାଁ ମହିଳାଙ୍କ ସହିତ ମିଶି ସେମାନେ ଗଠନ କରିଥିବା ସବୁଜିମା ଉତ୍ପାଦକ କମ୍ପାନି ଜରିଆରେ ମିଲେଟ୍ ଜାତୀୟ ଉତ୍ପାଦନ ସହିତ ହଳଦୀ, ଜଙ୍ଗଲ ଝୁଣାକୁ ପ୍ୟାକେଜିଂ କରି ବିକ୍ରି କରୁଛନ୍ତି। ସେଉ, ବିସ୍କୁଟ, ଚକଲେଟ ଭଳି ଶୁଖିଲା ଜଳଖିଆ ପ୍ରସ୍ତୁତ କରି ଷ୍ଟଲକୁ ଦେଉଛନ୍ତି। ଯାହା ତାଙ୍କର ଆର୍ଥିକ ସ୍ଥିତିକୁ ଉନ୍ନତି ଆଣିବା ସହିତ ଆତ୍ମବିଶ୍ବାସ ଦେଇଛି। ଆହ୍ଲାଦିନୀ କେବଳ ଏତିକିରେ ରହି ଯାଇ ନାହାନ୍ତି ସେ କୋରାପୁଟ ଜିଲ୍ଲାର ୪ଟି ଗ୍ରାମପଞ୍ଚାୟତର ଚାଷୀଙ୍କ ଠାରୁ କଦଳୀ ଚେର ମାଣ୍ଡିଆ, ଡୁମୁରି ମାଣ୍ଡିଆ, କର୍କଟ ମାଣ୍ଡିଆ, ଭାଲୁ ମାଣ୍ଡିଆ ଭଳି ମୂଲ୍ୟବାନ ଅଥଚ ଲୁପ୍ତପ୍ରାୟ ୧୩ ପ୍ରକାର ମିଲେଟ ବିହନ ସଂରକ୍ଷଣ କରି ୫୫ ଚାଷୀଙ୍କୁ ବାଣ୍ଟିଛନ୍ତି। ଏଥିସହିତ ଧାନ ବିହନ ସହିତ ଲୁପ୍ତପ୍ରାୟ ସବୁ ବିହନ ସଂରକ୍ଷଣ ପାଇଁ କାର୍ଯ୍ୟ ଆରମ୍ଭ କରି ଦେଇଥିବା କହିଛନ୍ତି।

ଏହି କାର୍ଯ୍ୟକ୍ରମକୁ ଆସିଥିବା ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାର ଦମୟନ୍ତୀ ମହାନ୍ତଙ୍କ କହିବା ଅନୁସାରେ, ୨୦୨୦ ମସିହା ଲକ୍‌ଡାଉନରେ ସମସ୍ତେ ଯେତେବେଳେ ରୋଜଗାର ହରାଇ ଘରମୁହାଁ ହୋଇଥିଲେ ସେମାନେ ୫୦୦ ଏସଏଚ୍‌ଜି ମହିଳାଙ୍କୁ ନେଇ ମୃଗାଶୁଣି ଚାଷୀ କମ୍ପାନିର ଗଠନ କରି ଛତୁ, ମିଲେଟ, ପରିବା ଆଦି ଚାଷ କରି ବିକ୍ରି କରିଥିଲେ। ଏହି ଜିଲ୍ଲାର ସୁକାନ୍ତି ମହାପାତ୍ରଙ୍କ ଅନୁସାରେ, କୋଭିଡ଼ ସମୟରେ ତିଆରି ହୋଇଥିବା ମୟୂରଭଞ୍ଜ ଜିଲ୍ଲାର ହାତଗୁଡ଼ା ଉତ୍ପାଦକ ଗୋଷ୍ଠୀ ଛେଳି, କୁକୁଡ଼ା ପାଳନ ସହିତ ପରିବା ଚାଷରେ ସଫଳତା ହାସଲ କରିଛି। କେନ୍ଦୁଝର ଜିଲ୍ଲା କୁଦୋବେଡ଼ାର ଚନ୍ଦ୍ରିକା ମହାନ୍ତଙ୍କ କହିବା ଅନୁସାରେ, ତାଙ୍କ ଗାଁରେ କେବଳ ଗୋଟିଏ ଫସଲୀ ପରିବା ଚାଷ ହେଉଥିଲା। ତେଣୁ ପରିବା ଅଭାବ ରହୁଥିଲା। ୨୦ ଜଣ ମହିଳା ମିଶି ୫ ଏକର ଜମିରେ ବର୍ଷ ତମାମ କୋବି, ବିଲାତି ବାଇଗଣ, ଛୁଇଁ, କଲରା ସମେତ ବିଭିନ୍ନ ପ୍ରକାର ପରିବା ଚାଷ କରୁଛନ୍ତି। ସିଆଇଏସଡି ଅନୁସାରେ, ସେମାନେ ୯ଟି ଉତ୍ପାଦକ ସଙ୍ଗଠନ ଏବଂ ୧ ଲକ୍ଷ ୬ ହଜାର କ୍ଷୁଦ୍ର ଚାଷୀଙ୍କ ସହିତ ମିଳିତ ହୋଇ କାର୍ଯ୍ୟ କରୁଛନ୍ତି। ଯାହାର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମକୁ ଆସିଥିଲେ।

ସମ୍ବନ୍ଧିତ ଖବର