ଶିମିଳିପାଳ ସୁରକ୍ଷା ଚିନ୍ତା: ବନ କର୍ମଚାରୀଙ୍କୁ ସ୍ବୟଂଚାଳିତ ବନ୍ଧୁକ, ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲଗାଯିବ। ଶିକାରୀଙ୍କୁ ଗୋଡ଼େ ଗୋଡ଼େ ଜଗିବେ ବନ କର୍ମଚାରୀ। କେବଳ ସେତିକି ନୁହେଁ, ଏହି ବିଶାଳ ଜଙ୍ଗଲର ସୁରକ୍ଷାରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ମଧ୍ୟ ସର୍ବାଧିକ ଗୁରୁତ୍ବ ଦିଆଯିବ। ଏ କ୍ଷେତ୍ରରେ ଆଉ କୌଣସି ସାଲିସ କରାଯିବନି ବୋଲି କହିଛନ୍ତି ଶିମିଳିପାଳ ଅଭୟାରଣ୍ୟର ମୁଖ୍ୟ କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ। ବନ ସୁରକ୍ଷା କର୍ମଚାରୀଙ୍କୁ ଖୁବ୍‌ଶୀଘ୍ର ବୁଲେଟ୍ ପ୍ରୁଫ୍‌ ଜ୍ୟାକେଟ୍ ସହିତ ମାସକ ମଧ୍ୟରେ ସମସ୍ତଙ୍କୁ ସ୍ବୟଂଚାଳିତ (ଅଟୋ‌ମେଟିକ୍‌) ବନ୍ଧୁକ ଦିଆଯିବ। ଏହାଦ୍ବାରା ବନ୍ୟଜନ୍ତୁ ଶିକାର ରୋକାଯାଇପାରିବ ଓ କର୍ମଚାରୀମାନେ ବି ସାହସର ସହ ଶିକାରୀଙ୍କ ମୁକାବିଲା କରିପାରିବେ ‌ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ଶିମିଳିପାଳ ଅଭୟାରଣ୍ୟରେ ଶିକାରୀମାନେ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ବାଘ, ହାତୀ, ହରିଣ, ସମ୍ବର ଭଳି ବନ୍ୟଜନ୍ତୁ ଶିକାର କରୁଛନ୍ତି। ହାତରେ ଲାଠି ଧରି ଜଙ୍ଗଲ ଜଗୁଥିବା କର୍ମଚାରୀଙ୍କୁ ସେମାନେ ଡରିବା ତ ଦୂରେ ଥାଉ; ଟିକିଏ ବି ଖାତିର କରୁନଥିଲେ। ଓଲଟା ବନ କର୍ମଚାରୀଙ୍କ ଉପରୁ ଗୁଳିମାଡ଼, ଆକ୍ରମଣ କରୁଥିଲେ। ତେବେ ଗତବର୍ଷ ଶିକାରୀଙ୍କ ଗୁଳିରେ ୨ ଜଣ ବନ କର୍ମଚାରୀଙ୍କର ମୃତ୍ୟୁ ଘଟିବା ପରେ ଶତାଧିକ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ସୁରକ୍ଷା ପାଇଁ ବନ୍ଧୁକ ନ ଦେଲେ ଶିମିଳିପାଳ ଅଭୟ‌ାରଣ୍ୟକୁ ଯିବେ‌ନି ବୋଲି ଜିଦ୍ ଧରିଥିଲେ। ଶେଷରେ ବନ ବିଭାଗ ଏହି ଦାବିକୁ ମାନି ନେଇଥିଲା। ଗତ କିଛିମାସ ଧରି ବନ କର୍ମଚାରୀଙ୍କୁ ସ୍ବୟଂଚାଳିତ ବନ୍ଧୁକ ଚାଳନା ନିମନ୍ତେ ପ୍ରଶିକ୍ଷଣ ଦିଆଯାଇଆସୁଛି।

ସମ୍ବନ୍ଧିତ ଖବର