ଅରୁଣ ଦେଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ଅପୂରଣୀୟ କ୍ଷତି

ଅରୁଣ ଦେଙ୍କ ବିୟୋଗ ଖବର ଶୁଣି ମୋ ପାଖରେ ଭାଷା ନାହିଁ। ୧୯୭୫ ମସିହାରୁ ତାଙ୍କ ସହ ସମ୍ପର୍କ। ସେ ଯେତେବେଳେ ବିଧାୟକ ଥିଲେ ମୁଁ ସେତେବେଳେ ବିଡିଓ, ତହସିଲ୍‌ଦାର ଥିଲି। ତାଙ୍କ ସହଯୋଗରେ ଅନେକ ବିକାଶମୂଳକ କାମ କରିଛୁ। ଦିବଂଗତ ଆତ୍ମାର ସଦ୍‌ଗତି କାମନା କରୁଛି।
ଅନନ୍ତ ଦାସ, ବିଧାୟକ, ଭୋଗରାଇ

ବାଲେଶ୍ୱରରେ ମୋର ଜନ୍ମ ହୋଇନଥିଲେ ମଧ୍ୟ ସେଠାକାର ରାଜନୀତି ଓ ସାମାଜିକ ଜୀବନରେ ଗତ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମୁଁ ସମ୍ପୃକ୍ତ। ସାମାଜିକ ଓ ଶିଳ୍ପ କ୍ଷେତ୍ରରେ ସେଠାକାର ଭୀଷ୍ମ ପିତାମହ ଥିଲେ ହିମାଂଶୁ ଦାସ। ଯିଏ ଅଳ୍ପ କେତେଦିନ ତଳେ ଚାଲିଗଲେ। ଆଉ ରାଜନୈତିକ କ୍ଷେତ୍ରକୁ ୭୦ ଦଶକରୁ ଆବୋରି ଧରିଥିବା ବ୍ୟକ୍ତି ହେଉଛନ୍ତି ଅରୁଣ ଦେ, ଯିଏ ଏବେ ଏବେ ଚାଲିଗଲେ। ବାମପନ୍ଥୀ ବିଚାରଧାରାରୁ ଆରମ୍ଭ କରି ଶ୍ରମିକ ସଂଗଠନ ଓ ରାଜନୈତିକ କ୍ଷେତ୍ରରେ ତାଙ୍କ ସମାସ୍କନ୍ଦ ସେଠାରେ କେହି ନଥିଲେ କହିଲେ ଚଳେ। କେତେକ କ୍ଷେତ୍ରରେ ନିର୍ବାନରେ ସେ ମୋତେ ସମର୍ଥନ କରିଛନ୍ତି ଏବଂ ଆଉ କେତେକ କ୍ଷେତ୍ରରେ ବିରୋଧ କରିଛନ୍ତି ମଧ୍ୟ। କିନ୍ତୁ ତାଙ୍କ ସହ ସେମିତି କିଛି ତିକ୍ତତା ମୋର କେବେହେଲେ ହୋଇନାହିଁ। ତାଙ୍କର ବିଚାର ସହିତ ଅନେକ ସମୟରେ ମୁଁ ସହମତି ପ୍ରକଟ କରିପାରିନାହିଁ। କିନ୍ତୁ ଜଣେ ବିଚକ୍ଷଣ ଶ୍ରମିକ ଓ ରାଜନୈତିକ ନେତା ହିସାବରେ ତାଙ୍କର ତୀକ୍ଷ୍‌ଣ ବୁଦ୍ଧିକୁ ଅନୁଧ୍ୟାନ କରି ମୁଁ ଅାଚମ୍ବିତ ହୋଇଛି। ଅବିବାହିତ ଏଇ ମଣିଷଟି ତା’ର ଚରିତ୍ରର ଛାପ ଯେ ସମାଜ ଉପରେ ସ୍ପଷ୍ଟ ଭାବରେ ଛାଡ଼ି ଦେଇଯାଇଛି ଏଥିରେ କୌଣସି ସନ୍ଦେହ ନାହିଁ।
ଖାରବେଳ ସ୍ବାଇଁ, ପୂର୍ବତନ ସାଂସଦ

ଅରୁଣ ଦେଙ୍କ ବିୟୋଗ କେବଳ ବାଲେଶ୍ବର ନୁହେଁ, ଓଡ଼ିଶା ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି। ସେ ରାଜନୀତିର ଚାଣକ୍ୟ ଥିଲେ। ତାଙ୍କ ସହ ମୋର ଏବଂ ପରିବାରର ବ୍ୟକ୍ତିଗତ ସମ୍ପର୍କ ଥିଲା। ଏଭଳି ଦୁଃଖଦ ଖବର ମୋତେ ଗଭୀର ଭାବେ ମର୍ମାହତ କରିଛି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି।
ନବଜ୍ୟୋତି ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା

ବାଲେଶ୍ବର ରାଜନୀତିର ସେ ଥିଲେ ପିତାମହ ଭୀଷ୍ମ। ଗରିବଠାରୁ ଆରମ୍ଭ କରି ଶିଳ୍ପପତିଙ୍କ ପର୍ଯ୍ୟନ୍ତ ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଥିଲେ। ଆମ ପରିବାର ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଥିଲା। ବିଭିନ୍ନ ସମୟରେ ଆମେ ତାଙ୍କର ପରାମର୍ଶ ନେଉଥିଲୁ। ସେ ଆମ ସୁଖଦୁଃଖରେ ସାମିଲ୍‌ ଥିଲେ। ତାଙ୍କ ବିୟୋଗ ମୋତେ ଓ ମୋ ପରିବାରକୁ ଶକ୍ତ ଆଘାତ ଦେଇଛି।
ସୁବାସିନୀ ଜେନା, ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ

ଛାତ୍ର ଜୀବନରୁ ସେ ସାଧାରଣ ଲୋକଙ୍କ ପାଇଁ ‌ଲଢ଼େଇ କରିଆସିଛନ୍ତି। ଏଥିପାଇଁ ବାଲେଶ୍ବରବାସୀଙ୍କ ତାଙ୍କ ପ୍ରତି ଏକ ସ୍ବତନ୍ତ୍ର ସମ୍ମାନ ରହିଛି। ସେ ମୋ ପିତୃତୁଲ୍ୟ ଥିଲେ। ମୁଁ ତାଙ୍କଠାରୁ ବିଭିନ୍ନ ସମୟରେ ପରାମର୍ଶ ନେଉଥିଲି। ତାଙ୍କ ସହ ସମ୍ପର୍କ ରାଜନୀତିରୁ ଊର୍ଦ୍ଧ୍ବରେ ଥିଲା। ୭ ଦିନ ତଳେ ତାଙ୍କ ସହ ମୁଁ କଥା ହୋଇଥିଲି। ସେ ଫେରିଆସିବେ ଆଉ ଆମେ ମିଶି କାମ କରିବୁ ବୋଲି କଥା ଦେଇଥିଲେ। ହେଲେ ଦାଦା ଆମକୁ ହଠାତ୍‌ ଏମିତି ଛାଡ଼ି ଚାଲି‌ଯିବେ, ବିଶ୍ବାସ ହେଉନି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି।
ରବୀନ୍ଦ୍ର ଜେନା, ପୂର୍ବତନ ସାଂସଦ, ବିଜେଡି ଜିଲ୍ଲା ସଭାପତି

ସେ ଜଣେ ଲଢ଼ୁଆ କ୍ରାନ୍ତିକାରୀ ନେତା ଥିଲେ। ସେ ବଡ଼ଭାଇ ପରି ମୋତେ ଅନେକ ପରାମର୍ଶ ଦେଉଥିଲେ। ତାଙ୍କ ଦେହାନ୍ତ ଖବର ଶୁଣିବା ପରେ ମୁଁ ବ୍ୟକ୍ତିଗତ ଭାବେ ମର୍ମାହତ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଉଛି।
ପ୍ରତାପ ଜେନା, ଆଇନ୍‌ ମନ୍ତ୍ରୀ

ଅରୁଣ ଦେଙ୍କ ବିୟୋଗରେ ମୁଁ ବାଷ୍ପରୁଦ୍ଧ। ସେ ମୋ ବାପାଙ୍କ ସହଯୋଗୀ ଥିଲେ। ତାଙ୍କ ସହ ମୁଁ ବହୁଦିନ ଧରି କାମ କରିବାର ସୁଯୋଗ ପାଇଛି। ତାଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି।
ପ୍ରତାପ ଦେବ, ପର୍ଯ୍ୟବେକ୍ଷକ ବାଲେଶ୍ବର

ବାଲେଶ୍ବର କିମ୍ବଦନ୍ତୀ ପୁରୁଷଙ୍କ ଅବସାନ ଘଟିଛି। ଜିଲ୍ଲା ପାଇଁ ସେ ଶିଳ୍ପ ବିପ୍ଳବ ଆଣିଥିଲେ। ଜୀବନକୁ ସେ ଲୋକଙ୍କ ପାଇଁ ଉତ୍ସର୍ଗ କରିଥିଲେ। ସେ ହିଁ ମୋତେ ରାଜନୀତିକୁ ଆଣିଥିଲେ। ଆଉ କାଉନ୍‌ସିଲର ହେବା ପଛରେ ତାଙ୍କର ପ୍ରମୁଖ ଭୂମିକା ଥିଲ। ଶାରୀରିକ ଅସୁସ୍ଥତା ସତ୍ତ୍ବେ ମୋ ପାଇଁ ଉପନିର୍ବାଚନରେ ପ୍ରଚାର କରିଥିଲେ। ତାଙ୍କ ଋଣ କେବେ ବି ଶୁଝି ପାରିବିନି।
ସ୍ବରୂପ ଦାସ, ବାଲେଶ୍ବର ବିଧାୟକ

ମୋ ସହ ତାଙ୍କ ସମ୍ପର୍କ ଛାତ୍ର ରାଜନୀତିରୁ। ଏଫ୍‌ଏମ୍‌ କଲେଜ୍‌ରୁ ଆମେ ପରସ୍ପରର ପ୍ରତିଦ୍ବନ୍ଦ୍ବୀ ଥିଲୁ। ହେଲେ ବ୍ୟକ୍ତିଗତ ଭାବେ ଆମ ସମ୍ପର୍କ ବହୁତ ଭଲ ଥିଲା। ମୁଁ ମୋର ବନ୍ଧୁକୁ ହରାଇ ଅତ୍ୟନ୍ତ ମର୍ମାହତ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି।
ଗୋପନାରାୟଣ ଦାସ, ପୂର୍ବତନ ବିଧାୟକ

ବାଲେଶ୍ବରର ଏକ ଦୀପ ଲିଭିଗଲା। ତାଙ୍କ ବିୟୋଗ ରାଜନୀତି ଜଗତରେ ଏକ ଅପୂରଣୀୟ କ୍ଷତି ଆଣିଛି। ତାଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ମର୍ମାହତ। ଦିଂବଗତ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଉଛି।
ସୁଧାଂଶୁ ଶେଖର ପରିଡ଼ା, ବିଧାୟକ ରେମୁଣା

ଅରୁଣ ଦେ’ଙ୍କ ବିୟୋ‌ଗ ଖବର ଶୁଣି ମୁଁ ଶବ୍ଦହୀନ। ସେ ମୋର ଅତି ଘନିଷ୍ଠ ଥିଲେ। ଆମେ ପ୍ରାୟତଃ ଏକ ସଂଗରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲୁ। କାନ୍ଧରେ କାନ୍ଧ ମିଶାଇ କାମ କରିଛୁ। ସେ ଜଣେ ସାଲିସବିହୀନ ରାଜନେତା ଥିଲେ। ତାଙ୍କ ବିୟୋଗ ବହୁତ ଦୁଃଖ ଦେଇଛି। ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛି।
ଅଶୋକ ବିଶି, ବରିଷ୍ଠ ସିପିଆଇ ନେତା, ସମ୍ବଲପୁର

ପୂର୍ବତନ ବାମପନ୍ଥୀ ନେତା, ପ୍ରବୀଣ ବିଧାୟକ, ଶ୍ରମିକ ନେତା ଅରୁଣ ଦେଙ୍କ ଦେହାନ୍ତ ଖବର ପାଇ ମୁଁ ହତବାକ। ବିଧାନସଭାରେ ତାଙ୍କର ପାରଦର୍ଶିତା ଅତି ଉଚ୍ଚକୋଟୀର ଥିଲା। ଶ୍ରମିକ ଆନ୍ଦୋଳନରେ ତାଙ୍କର ସାଲିସବିହୀନ ଚରିତ୍ର ମୋତେ ଆକର୍ଷିତ କରିଥିଲା। ତାଙ୍କ ବିୟୋଗରେ ରାଜ୍ୟ ଓ ରାଜ୍ୟ ବିକଳ୍ପ ରାଜନୈତିକ ଆନ୍ଦୋଳନ ଏକ ତୁଙ୍ଗ ବ୍ୟକ୍ତିତ୍ବକୁ ହରାଇଲା।
ପ୍ରମୋଦ କୁମାର ମିଶ୍ର, ଅଧ୍ୟକ୍ଷ, କୋଶଲ ରାଜ୍ୟ ସମନ୍ବୟ ସମିତି, ସମ୍ବଲପୁର

ଅରୁଣ ମୋର ଅତି ଘନିଷ୍ଠ ବନ୍ଧୁ ଥିଲେ। ବାଲେଶ୍ବର ଜିଲ୍ଲା ଜଣେ ବରିଷ୍ଠ ତଥା ଅଦ୍ବିତୀୟ ନେତାଙ୍କୁ ହରାଇଲା। ସେ ଯେଉଁ ଦଳରୁ ଥାଆନ୍ତୁ ନା କାହିଁକି ୫ ଥରର ବିଧାୟକ ହୋଇ ବାଲେଶ୍ବର ଜିଲ୍ଲାର ଟେକ ରଖିଥିଲେ ଏବଂ ଓଡ଼ିଶା ରାଜନୀତିରେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ତାଙ୍କର ଦେହାନ୍ତ ସମ୍ବାଦ ପାଇଁ ମୁଁ ଓ ମୋର ପରିବାର ଅତ୍ୟନ୍ତ ମର୍ମାହତ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି।
ରଘୁନାଥ ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା

ସମ୍ବନ୍ଧିତ ଖବର