ଏଟି ଗ୍ରୁପ୍‌ ଚିଟ୍‌ଫଣ୍ଡ ମାମଲା : ଆଶୀର୍ବାଦଙ୍କ ସମେତ ୩ ଜଣଙ୍କ ବିରୋଧ‌ରେ ଅତିରିକ୍ତ ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ୱର : ଓଡ଼ିଶା ଅର୍ଥତତ୍ତ୍ବ(ଏଟି) ଗ୍ରୁପ୍‌ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ଆଜି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ ସମେତ ମୋଟ ୩ଜଣଙ୍କ ନାମରେ ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରିଛି। ଅନ୍ୟ ଦୁଇଜଣ ହେଲେ, ଖାରବେଳନଗର ଥାନା କଡ଼ରେ ଥିବା ହୋଟେଲ ‘ସୋଲାନ୍‌ ଇନ୍‌’ର ମାଲିକ କମଳାକାନ୍ତ ଦାସ ଓ ଏଟି ଗ୍ରୁପ୍‌ ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ। ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ ତାରିଖରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂବୋର୍ଡରେ ଥିବା ତାଙ୍କ ଘରୁ ସିବିଆଇ ଗିରଫ କରିଥିବା ବେଳେ କମଳାକାନ୍ତ ଓ ଆଶୀର୍ବାଦ କେବଳ ଜେରାର ସମ୍ମୁଖୀନ ହୋଇଛନ୍ତି। ପୂର୍ବରୁ ଏହି ମାମଲାରେ ୮ଟି କମ୍ପାନି ଓ ୩୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ୬ ଚାର୍ଜସିଟ୍‌ ସହ ୪ଟି ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କରିସାରିଛି। ମାମଲା ବିଚାରାଧୀନ ରହିଛି।

ସୂଚନା ମୁତାବକ, ୨୦୧୪ ମସିହାରେ ସୁପ୍ରିମକୋର୍ଟଙ୍କ ଆଦେଶ ବଳରେ ସିବିଆଇ ରାଜ୍ୟରେ ଥିବା କେତେକ କମ୍ପାନି ଓ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ତତ୍କାଳୀନ ଓସିଏ ସମ୍ପାଦକ ଆଶୀର୍ବାଦଙ୍କ ଜରିଆରେ ଏଟି ଗ୍ରୁପ୍‌ ସଂସ୍ଥାର ପ୍ରଚାର ପ୍ରସାର କରାଇଥିଲା। ଏଟି ଗ୍ରୁପ୍‌ ଓଡ଼ିଶା ରଣଜୀ କ୍ରିକେଟ୍‌ ଟିମ୍‌ର ପ୍ରାୟୋଜକ ହୋଇଥିଲା। ଏଥିପାଇଁ ଏଟି ଗ୍ରୁପ୍‌ଠାରୁ ସଂଘ କୋଟିଏ ଟଙ୍କା ନେଇଥିଲା। ଏହାସହ ୨୦୧୧ ପ୍ରମିୟର-ଲିଗ୍‌ର ଟାଇଟଲ ମଧ୍ୟ ଏହି ସଂସ୍ଥା ପ୍ରାୟୋଜିତରେ ହୋଇଥିଲା। ଏହା ପଛରେ ଉଦ୍ଦେଶ୍ୟ ଥିଲା, ଏହି ପ୍ରଚାରପ୍ରସାର ଦେଖି ଅଧିକରୁ ଅଧିକ ଜମାକାରୀ ଏଟି ଗ୍ରୁପ୍‌ ଚିଟ୍‌ଫଣ୍ଡରେ ମୋଟା ଅଙ୍କର ଟଙ୍କା ଜମା କରନ୍ତୁ। ଠିକ୍‌ ସେଇୟା ହୋଇଥିଲା। ଓଡ଼ିଶା କ୍ରିକେଟ୍‌ ସଂଘ ଜରିଆରେ ଏଟି ଗ୍ରୁପ୍‌ର ପ୍ରଚାରପ୍ରସାର ହେବା ଫଳରେ ସଂସ୍ଥା‌କୁ ଲୋକ ଭରସା କରି ଅଧିକରୁ ଅର୍ଥ ଜମା କରିଥିଲେ। ସେହିଭଳି ସୋଲାନ୍‌ ଇନ୍‌ର ମାଲିକ କମଳାକାନ୍ତ ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ‘ଏଟି ଗ୍ରୁପ୍‌’ରୁ ଜମି ହଡ଼ପ କରିଥିବା ଅଭିଯୋଗ ରହିଥିଲା। ତତ୍‌କାଳୀନ ସିମୁଳିଆ ବିଜେପି ବିଧାୟକ ପ୍ରାର୍ଥୀ ଶଶିକୁମାର ସାହୁଙ୍କୁ ସିବିଆଇ ଜେରା କଲା ବେଳେ କମଳାକାନ୍ତଙ୍କ ଏହି ଠକେଇର ରହସ୍ୟ ଖୋଲିଥିଲା।

ଉଲ୍ଲେଖଯୋଗ୍ୟ, ଆଶୀର୍ବାଦ ଓଡ଼ିଶା ଅଲିମ୍ପିକ୍‌ର ସଂପାଦକ ଥିବା ବେଳେ ସରକାରଙ୍କ ୦.୭୫ ଏକର ବିବାଦୀୟ ଜମିରେ ବେଆଇନ ଭାବେ ଏକ କଲ୍ୟାଣ ମଣ୍ଡପ ଓ ୨୩ଟି ଦୋକାନ ଭଡ଼‌ାରେ ଦେଇଥିଲେ। ଏନେଇ ଅଭିଯୋଗ ହେବା ପରେ ସୁପ୍ରିମ୍‌କୋର୍ଟ ତଦନ୍ତ ପାଇଁ ସିବିଆଇକୁ ଆଦେଶ ଦେଇଥିଲେ। ଏହି ଘଟଣା‌‌ରେ ସିବିଆଇ ତାଙ୍କୁ ବାରମ୍ବାର ଜେରା କଲା ପରେ ଆଶୀର୍ବାଦଙ୍କ ଏଟି ଗ୍ରୁପ୍‌ ଚିଟ୍‌ଫଣ୍ଡ ଲିଙ୍କ୍‌ ପଦାକୁ ଆସିଥିଲା। ଏହା ପରେ ତାଙ୍କୁ ସିବିଆଇ ଏକାଧିକବାର ଜେରା କରି ବହୁ ତଥ୍ୟ ଆଦାୟ କରିଛି।

ସମ୍ବନ୍ଧିତ ଖବର