ବାଜିରାଉତ ଛାତ୍ରାବାସ ଦେଶର ଶ୍ରଦ୍ଧାର କେନ୍ଦ୍ର: ଧର୍ମେନ୍ଦ୍ର

ଅନୁଗୁଳ : ବାଜିରାଉତ ଛାତ୍ରାବାସ ହେଉଛି, ରାଷ୍ଟ୍ରର ଏକ ଶ୍ରଦ୍ଧାର କେନ୍ଦ୍ର। ବିଶେଷଭାବରେ ଆମ ଓଡ଼ିଆଙ୍କର ପାଇଁ ମୂଲ୍ୟବୋଧଯୁକ୍ତ ରାଜନୀତି ଓ ସମର୍ପିତ ରାଜନୀତିର ପ୍ରତ୍ୟକ୍ଷ ମନ୍ଦିର। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ନାରୀନେତ୍ରୀ ମାଳତୀ ଚୌଧୁରୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ବାଜି ରାଉତ ଛାତ୍ରାବାସ’ ପରିଦର୍ଶନରେ ଆସି ଏହିଭଳି ମତ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଦେଶର ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ସହିତ ଜଡ଼ିତ ଏ ଅନୁଷ୍ଠାନ କେବଳ ଗୋଟିଏ ଛାତ୍ରାବାସ ନୁହେଁ, ଏ ଅଞ୍ଚଳର ନାରୀ ସଶକ୍ତୀକରଣ, ସମାଜବାଦ, ଚାଷୀ, ଭୂଦାନ ଆନ୍ଦୋଳନର ମଧ୍ୟ ପ୍ରତ୍ୟକ୍ଷଦର୍ଶୀ। ମାଳତୀ ଦେବୀ ଥିଲେ ନାରୀ ସଶକ୍ତୀକରଣର ଅନ୍ୟତମ ପ୍ରତୀକ। ଦେଶର ସ୍ୱାଧୀନତା ସଂଗ୍ରାମରେ ଶିକ୍ଷା ଓ ନାରୀ ଶକ୍ତିକୁ ଯଥେଷ୍ଟ ଗୁରୁତ୍ୱ ଦେବାସହ ସମାଜବାଦ, ଚାଷୀ ଓ ଭୂଦାନ ସହ ଅନେକ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶା ପାଇଁ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନବ୍ୟାପୀ ଅବଦାନ ଚିର ଆଦର୍ଶ। କିନ୍ତୁ, ସେମାନଙ୍କର କର୍ମଭୂମି ଯେତିକି ବିକଶିତ ହେବା କଥା, ସେତିକି ହୋଇନାହିଁ। ଏ ଆଶ୍ରମର ବିକାଶ ପାଇଁ ଆମେମାନେ ସମସ୍ତ‌େ ଦାୟିତ୍ବ ନେବା ଉଚିତ୍‌ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସଂଗ୍ରାମୀଙ୍କର ପୁଣ୍ୟ ସଂଗ୍ରାମୀ ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପୂରା ଆଶ୍ରମ ବୁଲି ଦେଖିଥିଲେ। ନୁମା-ମାଳତୀ କୁଟୀର ବି ବୁଲିଥିଲେ। କିଛିଦିନ ତଳେ ଆଶ୍ରମର ବିକାଶ ପାଇଁ ନିଜସ୍ବ ହାତପାଣ୍ଠିରୁ ୨୫ଲକ୍ଷ ଟଙ୍କାର ଅନୁଦାନ ଦେଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଆହୁରି ଅଧିକ ଅନୁଦାନ ବଢ଼ାଇବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର