ବଲାଙ୍ଗୀର: ସବୁ ଦଳରେ ମୁଣ୍ଡବିନ୍ଧା, ଅଘୋଷିତ ଆସନରେ ପ୍ରାର୍ଥୀ ଚୟନ ଚିନ୍ତା

ବିଜେଡି ପାଇଁ କଣ୍ଟାବାଞ୍ଜି କଣ୍ଟା, ସଙ୍ଗୀତାଙ୍କ ବିରୋଧରେ ପ୍ରାର୍ଥୀ କିଏ?

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଗତ ସପ୍ତାହ ମଧ୍ୟରେ ରାଜନୀତି ଗଣିତ ଏପଟସେପଟ ହୋଇଯାଇଛି। ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ କୌଣସି ବି ଦଳ ସୁବିଧାଜନକ ସ୍ଥିତିରେ ନାହାନ୍ତି। ଫଳରେ ଏହି ପ୍ରକ୍ରିୟା ବିଳମ୍ବିତ ହେଉଥିବା କୁହାଯାଉଛି। ବଲାଙ୍ଗୀର ଜିଲ୍ଲାରେ ସମୁଦାୟ ୫ଟି ଆସନ ମଧ୍ୟରୁ ବିଜେଡି ୪ଟିରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କେବଳ କଣ୍ଟାବାଞ୍ଜି ବାକି ଅଛି। କୁହାଯାଉଛି ଯେ, ସେଠାରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଜଣଙ୍କୁ ପ୍ରାର୍ଥୀକଲେ ଅନ୍ୟମ‌ାନେ ଦଳ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ଦଳ ମଧ୍ୟରେ କସରତ ଚାଲିଥିବା କୁହାଯାଉଛି। ସେହିପରି, ବିଜେଡି ଏଯାଏଁ ନିଜ ଲୋକସଭା ପ୍ରାର୍ଥୀ ବି ଘୋଷଣା କରିନାହିଁ। ଯେଉଁମାନଙ୍କୁ ନେଇ କଳ୍ପନାଜଳ୍ପନା ଥିଲା, ସେମାନେ ବିଧାନସଭା ଟିକେଟ୍‌ ପାଇସାରିଲେଣି। ଉପଯୁକ୍ତ ପ୍ରାର୍ଥୀ ଚୟନ ଦଳ ପାଇଁ ଅନ୍ୟ ଏକ ମୁଣ୍ଡବ୍ୟଥାର କାରଣ ପାଲଟିଛି।

ବିଜେଡି ପାଇଁ କଣ୍ଟାବାଞ୍ଜି କଣ୍ଟା
ସଙ୍ଗୀତାଙ୍କ ବିରୋଧରେ ପ୍ରାର୍ଥୀ କିଏ?
ସବୁ ବିଧାନସଭା ଆସନରେ ବିଜେପିରେ ଦ୍ବନ୍ଦ୍ବ
ସୁରେନ୍ଦ୍ର ଦଳ ଛାଡ଼ିବାପରେ ଅଡ଼ୁଆ ସ୍ଥିତିରେ କଂଗ୍ରେସ
ମନୋଜ ମିଶ୍ରଙ୍କୁ ଆଉ ଦେଖିବାକୁ ମିଳୁନି କାହିଁକି?

ଅପରପ‌କ୍ଷେ, ବିଜେପି ଲୋକସଭା ପାଇଁ ସଂଗୀତା ସିଂହଦେଓଙ୍କୁ ପ୍ରାର୍ଥୀଚୟନ କରିସାରିଛି। ରାଜ୍ୟରେ କୌଣସି ବିଧାନସଭା ପାଇଁ ପ୍ରାର୍ଥୀ ବାଛିନଥିବାରୁ ସ୍ବାଭାବିକ ଭାବେ ଏଠ‌ାରେ ମଧ୍ୟ ହୋଇନାହିଁ। ତେବେ, ସବୁ ନିର୍ବାଚନମଣ୍ଡଳୀରେ ଗୋଷ୍ଠୀ କନ୍ଦଳ ଦଳ ନିକଟରେ ଏକ ସମସ୍ୟା ଭାବେ ମୁଣ୍ଡଟେକିଛି। ଏପରିକି, ଲୋଇସିଂହାରେ ବିଧାୟକ ମୁକେଶ ମହାଲିଙ୍ଗ ଟିକେଟ୍‌ ପାଇବେ କି ନାହିଁ ଦ୍ବନ୍ଦ୍ବ ରହିଛି। ସବୁ ନିର୍ବାଚନମଣ୍ଡଳୀ ପାଇଁ ଦଳପୂର୍ବ ପ୍ରଦର୍ଶନ ଆଧାରରେ ଟିକେଟ୍‌ ଦେବ, ନା କିଛି ନୂଆ ପ୍ରୟୋଗ କରିବ, ତାହା ବି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଅନ୍ୟପକ୍ଷରେ, ଟିକେଟ୍‌ ପାଇଁ କଂଗ୍ରେସ ଏକପ୍ରକାର ଅଡ଼ୁଆ ପରିସ୍ଥିତିରେ ରହିଛି। କିଛିମାସ ଆଗରୁ ସିନେ ତାରକା ମନୋଜ ମିଶ୍ରଙ୍କୁ ଦଳ ଲୋକସଭା ପ୍ରାର୍ଥୀ କରିବ ବୋଲି ଜୋର୍‌ସୋର୍‌ ଚର୍ଚ୍ଚା ହୋଇଥିଲା। ମନୋଜ ବି ସେହି ହିସାବରେ କିଛିମାତ୍ର‌ାରେ ପ୍ରଚାର ଆରମ୍ଭ କରିଦେଲେ। କିନ୍ତୁ ଏବେ ତାଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ସୁରେନ୍ଦ୍ର ସିଂ ଭୋଇ ଦଳ ଛାଡ଼ିବାପରେ କଂଗ୍ରେସର ଚିନ୍ତା ଆହୁରି ଦ୍ବିଗୁଣିତ ହୋଇଯାଇଛି। ଏବେ ଟିଟିଲାଗଡ଼ରେ ବି ଦଳ ଜଣେ ଯୋଗ୍ୟ ପ୍ରାର୍ଥୀ ଯୋଗାଡ଼ କରିବା କାଠିକର ପାଠ ହୋଇଯାଇଛି। ତେବେ ବଲାଙ୍ଗୀରରୁ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ଏବଂ କଣ୍ଟାବାଞ୍ଜିରୁ ସନ୍ତୋ‌ଷ ସିଂ ସାଲୁଜାଙ୍କ ଟିକେଟ୍‌ ନିଶ୍ଚିତ ଜଣାପଡ଼ୁଛି। କିନ୍ତୁ, ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବାରୁ କେତେବେଳ କ’ଣ ଘଟିବ କହିହେଉନାହିଁ ।

ସମ୍ବନ୍ଧିତ ଖବର