ଓଡ଼ିଶାରେ କ୍ଷୁଦ୍ରଶସ୍ୟ ଜାତୀୟ ଫସଲରେ କୃଷି ଯାନ୍ତ୍ରୀକରଣର ଅଗ୍ରଗତିକୁ ନେଇ ଆଲୋଚନା ଚକ୍ର

ବାରିପଦା : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ପଶୁଶକ୍ତିର ସଦୁପଯୋଗ ସମ୍ବନ୍ଧୀୟ ସର୍ବଭାରତୀୟ ସଂଯୋଜିତ ଯଶୀପୁର ଗବେଷଣା ପ୍ରକଳ୍ପ ଓ କୃଷି ବିଜ୍ଞାନ କେନ୍ଦ୍ର ତଥା ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ର ମିଳିତ ଉଦ୍ୟମରେ ଓଡ଼ିଶାରେ କ୍ଷୁଦ୍ରଶସ୍ୟ ଜାତୀୟ ଫସଲରେ କୃଷି ଯାନ୍ତ୍ରୀକରଣର ଅଗ୍ରଗତି ଶୀର୍ଷକ ଆଲୋଚନାଚକ୍ର ଭର୍ଚୁଆଲ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭୋପାଳସ୍ଥିତ କେନ୍ଦ୍ରୀୟ କୃଷି ଯାନ୍ତ୍ରିକ ଅନୁଷ୍ଠାନର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ମହାରାଣୀଦିନ୍, କୃଷି ସମ୍ପ୍ରସାରଣ ଅଧ୍ୟକ୍ଷ ପ୍ରଫେସର ଲଳିତ ମୋହନ ଗଡ଼ନାୟକ, ବିଶ୍ୱବିଦ୍ୟାଳୟ ପରିଚାଳନା ବୋର୍ଡ଼ ସଦସ୍ୟ ସୁରେଶ ଚନ୍ଦ୍ର ପଟ୍ଟନାୟକ, କ୍ଷେତ୍ର ଯନ୍ତ୍ରପାତି ଓ ଶକ୍ତି ବିଭାଗର ମୁଖ୍ୟ ପ୍ରଫେସର ଦେବରାଜ ବେହେରା, ମୟୂରଭଞ୍ଜ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଦାମୋଦର ସେଠୀ, ନାବାର୍ଡ଼ର ଡ଼ି ଡ଼ି ଏମ୍ ସ୍ମୃତିରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷୁଦ୍ର ଶସ୍ୟ ଜାତୀୟ ଫସଲର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ ।

ଓଡ଼ିଶା ମିଲେଟ ମିଶନ ପ୍ରୋଗାମର ସରକାରୀ ନୋଡ଼ାଲ ଅଫିସର ନୀଳମାଧବ ଦାସ, ଅଶ୍ୱିନୀ ଦାସ, ତଥା ଜିଲ୍ଲାର ବିଭିନ୍ନ ବେସରକାରୀ ସଂସ୍ଥାର ପଦାଧିକାରୀ, ଅଗ୍ରଣୀ ଚାଷୀମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲାର ମିଶନ୍ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ସେହିପରି ପ୍ରକଳ୍ପର ଗବେଷଣା ଯନ୍ତ୍ରୀ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ କିଛି ବର୍ଷ ମଧ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ସୁହାଇବା ଭଳି ବିକଶିତ ହୋଇଥିବା ବଳଦଟଣା ଉନ୍ନତ କୃଷିଯନ୍ତ୍ରପାତି ସଚିତ୍ର ବିବରଣୀ ଉପସ୍ଥାପନ ସହ ସମସ୍ତଙ୍କୁ ଅବଗତ କରାଇଥିଲେ । ଯଶୀପୁର ଓ ଶାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ ଦୀପକ କୁମାର ମହାନ୍ତି ଓ ଡ଼ଃ ସଙ୍ଘମିତ୍ରା ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସମୟରେ ଆଗାମୀ ଦିନମାନଙ୍କରେ ଓଡ଼ିଶା ମିଲେଟ ମିଶନ ପ୍ରକଳ୍ପ ଜରିଆରେ ଜିଲ୍ଲାରେ କ୍ଷୁଦ୍ର ଓ ନାମମାତ୍ର କୃଷକମାନେ ଅଧିକରୁ ଅଧିକ ଉନ୍ନତ ଯନ୍ତ୍ରପାତିର ବ୍ୟବହାର କଲେ କ୍ଷୁଦ୍ର ଶସ୍ୟ ଜାତୀୟ ଫସଲ ଚାଷ ଖୁବ କମ୍ ପରିଶ୍ରମ, ସମୟ ଓ ଖର୍ଚ୍ଚ ମଧ୍ୟରେ ସମ୍ପାଦିତ ହେବା ସହ ଉତ୍ପାଦନ ବୃଦ୍ଧିପାଇବ ଏବଂ ଅର୍ଥନୈତିକ ଅଭିବୃଦ୍ଧି ସାଧିତ ହେବ । ଜିଲ୍ଲାରେ କୃଷିଯନ୍ତ୍ରୀମାନେ ବିଶେଷ ଭାବରେ ଏହି ପ୍ରକାରର କାର୍ଯ୍ୟକ୍ରମରେ ଭାଗ ନେଇ ଯାନ୍ତ୍ରୀକରଣ କାର୍ଯ୍ୟକ୍ରମକୁ ଆଗେଇ ନେଇ ପାରିବେ ବୋଲି ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର