ଭାଲୁ ପାଇଁ ରାତି ଅନିଦ୍ରା: ସକାଳ ହେଲା, ଗଛରୁ ଓହ୍ଲାଇଲାନି

ଉମରକୋଟ: ଭାଲୁ ପାଇଁ ରାତି ଅନିଦ୍ରା ହେଲେ ଗାମବାସୀ ଓ ବନବିଭାଗର କର୍ମଚାରୀ। ଗତକାଲି ଗଛରେ ଚଢିଯାଇଥିବା ଭାଲୁକୁ ଧରିବା ଲାଗି ଯେତେ ପ୍ରୟାସ କରାଗଲା, ସବୁ ନିଷ୍ଫଳ ହେଲା। ରାତି ପାହିଲା, ମାତ୍ର ଗଛରୁ ଓହ୍ଲାଇଲାନି ଭାଲୁ।ଏପରି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତର ନାୟକଗୁଡ଼ା ୟୁଭି ୧୧ ବଙ୍ଗୀୟ ଗ୍ରାମରେ।

ମିଳିଥିବା ସୂଚନା ଅନୁସାରେ ଗତରାତିରେ ଗ୍ରାମ ଭିତରକୁ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ପସି ଆସିଥିଲା । ସକାଳୁ ଜଙ୍ଗଲକୁ ଫେରି ନ ପାରି ଗାଁର ଏକ ପୋଖରୀ ପାଖେ ରହିଯାଇଥିଲା। ପାହାନ୍ତିଆ ସମୟରେ କିଛି ଗ୍ରାମବାସୀ ଭାଲୁଟିକୁ ଦେଖିବା ମାତ୍ରେ ଭାଲୁଟି ଭୟଭୀତ ହେଇ ନିକଟସ୍ଥ ଏକ ନିମ୍ବ ଗଛ ଉପରକୁ ଚଡ଼ିଯାଇଥିଲ।। ଭାଲୁ ଦେଖିବାକୁ ଗ୍ରାମବାସୀଙ୍କ ଭିଡ଼ ଜମିଥିଲ।। କିନ୍ତୁ ଭାଲୁ ଥିବା ଅଞ୍ଚଳକୁ ଲୋକେ ଭୟରେ କେହି ଯାଇ ପାରୁନାହାନ୍ତି।
ଆଜି ଗାଁ ଲୋକେ ଚାଷ ଜମିକୁ ଏବଂ ଗୋରୁ ଗାଈ ଚରେଇବା ପାଇଁ ଭୟରେ କେହି ଯାଇନାହାନ୍ତି। ପ୍ରଥମେ ଭାଲୁଟି ୩୦ ଫୁଟ ଉପରେ ଥିଲା। କିନ୍ତୁ ଜଙ୍ଗଲ ବିଭାଗର କର୍ମଚାରୀ ଡାକବାଜି ଯନ୍ତ୍ର ଦ୍ବାରା ଗ୍ରାମବାସୀ ଅଞ୍ଚଳ ଛାଡ଼ିବା ପାଇଁ ଅନୁରୋଧ କରିବା ପରେ ଅଞ୍ଚଳଟି ଖାଲି ହେବା ପରେ ସନ୍ଧ୍ୟାରେ ଭାଲୁଟି ତଳକୁ ଖସି ଆସି ୧୦ ଫୁଟ ଉଚ୍ଚତାରେ ବସିଥିଲା।

ଘଟଣାସ୍ଥଳରେ ଉମରକୋଟ ବନ ବିଭାଗ ପହଞ୍ଚି ଭାଲୁକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି। ଭାଲୁକୁ ଉଦ୍ଧାର କରିବା ପରେ ତାକୁ ଜଙ୍ଗଲକୁ ଛାଡ଼ି ଦିଆଯିବ ବୋଲି କହିଛନ୍ତି ଉମରକୋଟ ବନଖଣ୍ଡ ଅଧିକାରୀ ପୂର୍ଣଚନ୍ଦ୍ର ନାୟକ। ଅନ୍ୟପକ୍ଷେ ଭାଲୁକୁ ସୁରକ୍ଷିତ ଉଦ୍ଧାର ସକାଶେ ଗ୍ରାମବାସୀ ଦାବି କରିଛନ୍ତି। ଜଙ୍ଗଲ ବିଭାଗର କର୍ମଚାରୀ ସଂପୂର୍ଣ୍ଣ ଅଞ୍ଚଳକୁ ଘେରି କି ରଖିଛନ୍ତି। ଏହି ଖବର ଲେଖା ହେବା ବେଳକୁ ଭାଲୁଟି ଗଛ ଉପରେ ଅଛି।

ସମ୍ବନ୍ଧିତ ଖବର