ଦୁର୍ଗମ ଇଲାକାରେ ମହୁଚାଷ ଦେଇଛି ନିଆରା ପରିଚୟ

ମାସିକ ରୋଜଗାର ୨୦ହଜାର

ପ୍ରତାପୁର : ଦୁର୍ଗମ ଆଦିବାସୀ ଇଲାକାରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମହୁ ଚାଷ କରି ସ୍ବାବଲମ୍ବୀ ହେବା ସହ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି ତ୍ରିଲୋଚନ। ମାସକୁ ୨୦ ହଜାରରୁ ଅଧିକ ଟଙ୍କା ରୋଜଗାର ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳକୁ ସେ ଉତ୍ତମମାନର ମହୁ ଯୋଗାଇବାରେ ସଫଳ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ରୁଢ଼ାପଦର ପଞ୍ଚାୟତ ଡେଲିଙ୍ଗିପଦରର ବାସିନ୍ଦା ତ୍ରିଲୋଚନ ପ୍ରଧାନ। ନବମ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ହିଁ ମହୁ ଚାଷ କରି ଲାଭବାନ୍ ହେବାକୁ ଲକ୍ଷ୍ୟ ରଖିଥିଲେ। ଏହାପରଠୁ ପଛକୁ ଫେରି ନଥିଲେ। ଗ୍ରାମ ବିକାଶ ମାଧ୍ୟମରେ କିଛି ଏନଜିଓ ସଂସ୍ଥାର କର୍ମଚାରୀ ତାଙ୍କୁ ମହୁ ଚାଷର ପ୍ରଣାଳୀ ଓ ଉତ୍ପାଦନ ସମ୍ପର୍କରେ ତାଲିମ ଦେଇଥିଲେ। ପରେ ତ୍ରିଲୋଚନ ମହୁ ସଂଗ୍ରହ ହେଉଥିବା ଗୋଟିଏ କାଠ ବାକ୍ସ୍ କିଣି ଆଣି ଚାଷ କରିବା ଆରମ୍ଭ କରିଥିଲେ।

ଏହାମଧ୍ୟରେ ୨୦ ବର୍ଷ ବିତିସାରିଛି। କମ୍ ଖର୍ଚ୍ଚ ଓ କମ୍ ପରିଶ୍ରମରେ ତ୍ରିଲୋଚନ ଗୋଟିଏ ବାକ୍ସ୍‌ରୁ ମାସକମଧ୍ୟରେ ଚାରିରୁ ପାଞ୍ଚ କେଜି ମହୁ ଉତ୍ପାଦନ କରୁଛନ୍ତି। ଗୋଟିଏ ବାକ୍ସ୍‌ରୁ ଆରମ୍ଭ ବ୍ୟବସାୟ ବର୍ତ୍ତମାନ ୨୦ଟି ବାକ୍ସ୍‌ରେ ପହଞ୍ଚିଛି। ଜାନୁଆରି ମାସରୁ ଜୁନ୍ ମାସ ଯାଏ ପରିବେଶ ଅନୁକୂଳ ରହୁଥିବାରୁ ଅଧିକ ପରିମାଣର ମହୁ ଉତ୍ପାଦନ ହୋଇଥାଏ। ଉତ୍ପାଦିତ ମହୁକୁ ତ୍ରିଲୋଚନ ବଜାରରେ କିଲୋପିଛା ଦର ୧ ହଜାର ଟଙ୍କାରୁ ଅଧିକରେ ବିକ୍ରି କରିଥାନ୍ତି। ସେହିପରି ବାକ୍ସ୍ ପ୍ରସ୍ତୁତ କରିବା, ରଙ୍ଗ ମାରିବା, ତାକୁ ବିଭିନ୍ନ ସ୍ଥାନରେ ରଖିବା ଓ ମହୁ ସଂଗ୍ରହ କରିବାରେ ତ୍ରିଲୋଚନଙ୍କୁ  ପତ୍ନୀ ସହଯୋଗ କରୁଛନ୍ତି। ଗୋଟିଏ ବାକ୍ସ୍‌ରୁ ୪ରୁ ୫ କି‌ଲୋ ମହୁ ବାହାରିଥାଏ। ଏହାପରେ ତ୍ରିଲୋଚନ ମୁହଁ‌ରେ ସୁରକ୍ଷା ମାସ୍କ୍ ପିନ୍ଧିବା ସହ ଧୂଆଁଯନ୍ତ୍ର ଧରି ଏହାକୁ ସଂଗ୍ରହ କରିଥାନ୍ତି।

ତ୍ରିଲୋଚନ କହିଛନ୍ତି, ମହୁମାଛିଙ୍କଠୁ ମହୁ ସଂଗ୍ରହ ପାଇଁ ଘୁମୁସରର ପରିବେଶ ଖୁବ୍ ଉପଯୋଗୀ। ଏହି ଅଞ୍ଚଳରେ ମହୁମାଛି ମାନେ ନିଜକୁ ଖାପଖୁଆଇ ବଞ୍ଚିବା ସହ ଅଧିକ ମହୁ ସଂଗ୍ରହ କରିପାରୁଥିବା ଏକ ସର୍ଭେରୁ ଜଣାପଡ଼ିଛି। ଅଞ୍ଚଳର ଘୋଗଡ଼, ରାମ୍ପୁ, ଡେଲିଙ୍ଗିପଦର, ଢଣାପାଉ, ଗୁଣ୍ଡୁରିବାଡ଼ି ଓ ରୁଢ଼ାପଦର ଗ୍ରାମରେ ଅନେକ ଚାଷୀ ମହୁଚାଷକୁ ଆପଣାଇ ସ୍ବାବଲମ୍ବୀ ହୋଇପାରିଛନ୍ତି। ତେବେ ବଜାର ସୁବିଧା ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଦିନକୁ ଦିନ ଏହି ଚାଷ କମିବାକୁ ଲାଗିଛି। ଫଳରେ କିଛି ଚାଷୀ ଏହି ଚାଷରୁ ମୁହଁ ଫେରାଇନେବାକୁ ବସିଛନ୍ତି। ହେଲେ ତ୍ରିଲୋଚନ ସଫଳତାର ସହ ମହୁ ଚାଷ କାର୍ଯ୍ୟକୁ ଜାରି ରଖିଛନ୍ତି। ତାଙ୍କ କାର୍ଯ୍ୟଶୈଳୀକୁ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ମଧ୍ୟ ଖୁବ୍ ପ୍ରସଂଶା କରିବା ସହିତ ମହୁ ବିକ୍ରି ପାଇଁ ସ୍ଥାୟୀ ବ୍ୟବସ୍ଥା ଏବଂ ଉନ୍ନତମାନର ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର