ୟୁଥ୍‌ ୟୁନିଭର୍ସିଟି ରୢାଙ୍କିଙ୍ଗ୍‌ରେ ୨୦୦ ଭିତରେ

ଭୁବନେଶ୍ବର ଆଇଆଇଟିକୁ ବିଶ୍ବସ୍ତରରେ ଆଉ ଏକ ସଫଳତା

ଭୁବନେଶ୍ବର : ଭୁବନେଶ୍ବର ଆଇଆଇଟିକୁ ଆଉ ଏକ ସଫଳତା। ‘ଦି ଟାଇମ୍ସ ହାୟର ଏଜୁକେସନ’ ପକ୍ଷରୁ ପ୍ରକାଶିତ ବିଶ୍ବର ଯୁବ ବିଶ୍ବବିଦ୍ୟାଳୟ ରୢାଙ୍କିଙ୍ଗ୍‌ରେ ଆଇଆଇଟି ୧୫୧ରୁ ୨୦୦ ରୢାଙ୍କ ମଧ୍ୟରେ ସ୍ଥାନ ଅକ୍ତିଆର କରିଛି। ୫୦ ବର୍ଷ କିମ୍ବା ତା’ଠାରୁ କମ୍‌ ବର୍ଷର ଶିକ୍ଷାନୁଷ୍ଠାନକୁ ନେଇ କରାଯାଇଥିବା ଏହି ରୢାଙ୍କିଙ୍ଗ୍‌ରେ ଆଇଆଇଟି ଭୁବନେଶ୍ବର ଦେଶରେ ୫ମ ସ୍ଥାନରେ ରହିଛି। ଗବେଷଣା ବର୍ଗରେ ଭାରତରେ ୩ୟ ସ୍ଥାନରେ ରହିଛି। ଗବେଷଣା, ଶିକ୍ଷାଦାନ, ଜ୍ଞାନ ବିତରଣ, ଇଣ୍ଟରନ୍ୟାସନାଲ ଆଉଟ୍‌ଲୁକ୍‌ ଆଦି ବିଷୟକୁ ନେଇ ଏହି ସର୍ଭେ ହୋଇଥିଲା। ସବୁ ବର୍ଗ‌ରେ ଆଇଆଇଟି ଉନ୍ନତ ପ୍ରଦର୍ଶନ କରିପାରିଛି।

ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ‌ନେଇ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପରିଚିତ ସଂସ୍ଥା ଦ୍ବାରା ପ୍ରକାଶ କରାଯାଉଥିବା ତାଲିକାରେ ଆଇଆଇଟି ଭୁବନେଶ୍ବର ସବୁଠାରେ ଆଗରେ ରହିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ୍‌ ରୢାଙ୍କିଙ୍ଗ୍‌ରେ ୧୭ତମ ସ୍ଥାନରେ ରହିଥିଲା। ଇଣ୍ଡିଆ ଟୁଡେ ରୢାଙ୍କିଙ୍ଗ୍‌ରେ ୯ମ, କ୍ୟାରିଅର ୩୬୦ ରୢାଙ୍କିଙ୍ଗ୍‌ରେ ୧୦ମ, ‘ଦି ଉଇକ୍‌ ହଂସ ରିସର୍ଚ୍ଚ ସର୍ଭେ ରୢାଙ୍କିଙ୍ଗ୍‌ରେ ୧୫ତମ ସ୍ଥାନରେ ରହିଥିଲା। ୨୦୧୭ ଓ ୨୦୧୮ରେ ବି ବିଭିନ୍ନ ସଂସ୍ଥା ଦ୍ବାରା କରାଯାଇଥିବା ରୢାଙ୍କିଙ୍ଗ୍‌‌ରେ ଆଇଆଇଟି ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା।

ଆଇଆଇଟି ନିର୍ଦେଶକ ଆର୍‌. ଭି ରାଜକୁମାରଙ୍କ କହିବାନୁଯାୟୀ ଶିକ୍ଷା, ଗବେଷଣା, ଶୈକ୍ଷିକ ବାତାବରଣ କ୍ଷେତ୍ରରେ ଆଇଆଇଟି ଦେଶର ଅନ୍ୟ ଶିକ୍ଷାନୁଷ୍ଠାନ ତୁଳନାରେ ଆଗରେ ରହିଛି। ଗବେଷଣା ବର୍ଗରେ ଦେଶରେ ୩ ନମ୍ବର ସ୍ଥାନ ହାସଲ କରିବା ଖୁସିର ବିଷୟ। ବର୍ଷକୁ ବର୍ଷ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଆଇଆଇଟି ରୢାଙ୍କ ବଢ଼ୁଛି। ଏହାକୁ ଓଡ଼ିଶାର ଗବେଷଣାର ପ୍ରାଣକେନ୍ଦ୍ର କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

କ୍ୟାମ୍ପସରେ ଗଡ଼ିଲା ବ୍ୟାଟେରି ଚାଳିତ ଗାଡ଼ି
ସବୁଜ କ୍ୟାମ୍ପସ ଗଢ଼ିବାକୁ ସଂକଳ୍ପ ନେଇ ଆଉ ପାଦେ ଆଗକୁ ବଢ଼ିଛି ଆଇଆଇଟି। ପ୍ରଥମଥର ଲାଗି ଭୁବନେଶ୍ବର ଆଇଆଇଟିରେ ବ୍ୟାଟେରି ଚାଳିତ ଗାଡ଼ି ଗଡ଼ିଛି। ଏହାଦ୍ବାରା ପ୍ରଦୂଷଣମୁକ୍ତ କ୍ୟାମ୍ପସ ସୃଷ୍ଟି ହେବା ସହ ଆବାସିକ ବାସସ୍ଥଳୀଗୁଡ଼ିକରେ ସବୁଜ ପରିବେଶ ସୃଷ୍ଟି ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଆଇଆଇଟି ନିର୍ଦେଶକ ଆର୍‌. ଭି ରାଜକୁମାର ଆଜି ଏହାକୁ ଉଦ୍‌ଘାଟନ କରି କହିଛନ୍ତି ଯେ ସବୁଜ କ୍ୟାମ୍ପସ ଗଠନ କରିବାରେ ଏହା ସହାୟକ ହେବ। ବ୍ୟାପକ ବୃକ୍ଷରୋପଣ ଦ୍ବାରା କିଛି ମାତ୍ରାରେ ସଫଳତା ମିଳିଛି। କ୍ୟାମ୍ପସରେ ସାଇକେଲିଂ ସଂସ୍କୃତି, ବର୍ଷା ଜଳ ଅମଳ ବ୍ୟବସ୍ଥା କରାଯାଇଛି। ବ୍ୟାଟେରି ଚାଳିତ ଗାଡ଼ି ଦ୍ବାରା ଏହା ପରିସରରେ ରହୁଥିବା ଅଧ୍ୟାପକ, ଛାତ୍ରଛାତ୍ରୀମା‌ନେ ଉପକୃତ ହୋଇପାରିବେ। ଉଦ୍‌ଘାଟନୀ ଉତ୍ସବରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର