ପୁଲିସ ପଞ୍ଝାରେ କୁଖ୍ୟାତ ବାଇକ୍ ଚୋର ମିଟୁ, ୧୯ ବାଇକ୍ ଜବତ, ୯ କ୍ରେତା ଗିରଫ

ହିଞ୍ଜିଳିକାଟୁ: ହିଞ୍ଜିଳିକାଟୁ ପୁଲିସ ପଞ୍ଝାରେ ପଡ଼ିଛି କୁଖ୍ୟାତ ବାଇକ୍ ଚୋର ମିଟୁ ଦଳେଇ (୨୧)। ବୁରୁପୁଡ଼ାର ମୂଳବାସିନ୍ଦା ମିଟୁ ହିଞ୍ଜିଳିକାଟୁ ଓ ବ୍ରହ୍ମପୁର ସମେତ ନିକଟବର୍ତ୍ତୀ ଅଞ୍ଚଳରୁ କୌଶଳକ୍ରମେ ବାଇକ୍ ଚୋରି କରି କମ୍ ଦରରେ ବିକ୍ରି କରୁଥିଲା। ଆଜି ତାକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେହିପରି ଚୋରା ବାଇକ୍ କିଣିଥିବା ୯ଜଣ କ୍ରେତା ଗୋଠଗାଁର କୃଷ୍ଣ ମହାନ୍ତି (୩୦), ଉତ୍ତମ ମହାନ୍ତି(୨୮), ଅରୁଣ ମହାନ୍ତି(୩୬), ପବିତ୍ର ଲେଙ୍କା(୨୧), କାହ୍ନୁ ସୁଆଁସିଆ (୨୮), ବୁରୁପଡ଼ାର ଶ୍ରୀକାନ୍ତ ବରାଡ଼(୨୬), ଆଙ୍କରୋଡ଼ାର ବିପିନ ନାୟକ(୨୯), ପଥରପୁଞ୍ଜିର ବନବାସ ସ୍ୱାଇଁ(୨୮) ଓ ବଇଞ୍ଚବଣିଆର ପିଣ୍ଟୁ ସାହୁ (୨୯) ମଧ୍ୟ ଗିରଫ ହୋଇଛନ୍ତି। ଏନେଇ କେସ୍ ନମ୍ବର ୪୪୦/୨୦ ରେ ମାମଲା ରୁଜୁ ସହ ସମସ୍ତ ୧୦ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ପ୍ରକୃତ ମାଲିକଙ୍କ କାଗଜପତ୍ର ଯାଞ୍ଚ ହୋଇ ବାଇକ୍ ହସ୍ତାନ୍ତର କରାଯାଇଛି। ତଦନ୍ତ ଜାରି ରହିଥିବା ନେଇ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗତ ୯ ତାରିଖ ରାତି ୯ଟାରେ ହିଞ୍ଜିଳିକାଟୁ ମାଣିକନଗର ସାହିର କୈଳାସ ଚନ୍ଦ୍ର ବେହେରାଙ୍କ ଘର ସମ୍ମୁଖରୁ ତାଙ୍କର ଏକ ହୋଣ୍ଡା ସାଇନ ବାଇକ୍ (ଓଡ଼ି୦୭-ଏଏଫ-୦୩୨୫) ଚୋରି ହୋଇଥିଲା। ଏନେଇ ଥାନାରେ କୈଳାସ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୁଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି କରିଥିଲା। ଗତକାଲି ରାତିରେ ଯାନବାହନ ଯାଞ୍ଚ ବେଳେ ପୁଲିସ ହାବୁଡ଼ରେ ମିଟୁ ଧରାପଡ଼ିବା ପରେ ସେ ସବୁ ସତ ଉଗାଳିଥିଲା। ତା’ ଘରୁ ଆଉ ୫ଟି ବାଇକ୍ ମିଳିଥିଲା। ଏହାସହ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ୧୯ଟି ବାଇକ୍ ଚୋରି କରି ବିକିଥିବା କଥା ମିଟୁ ସ୍ବୀକାର କରିବା ପରେ ପୁଲିସ ଚଢ଼ଉ କରି ସେଗୁଡ଼ିକୁ ଜବତ କରିବା ସହ ୯ଜଣ କ୍ରେତାଙ୍କୁ ଗିରଫ କରିଥିଲା। ହିଞ୍ଜିଳିକାଟୁ ଥାନାରେ ମିଟୁ ନାଁରେ ଆଗରୁ ୨ଟି ବାଇକ୍ ଚୋରି ମାମଲା ଥିବା ଥାନାଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର