ଶାରଦା ପ୍ରଧାନଙ୍କ ବିରୋଧରେ ଗର୍ଜିଲା ବିଜେଡି

ଭୁବନେଶ୍ବର : ଶାରଦା ପ୍ରଧାନ ଅଭ୍ୟାସଗତ ମିଛୁଆ। ଅପରାଧିକ ପୃଷ୍ଠଭୂମି ଉପରେ ରାଜନୀତି କରିଆସୁଥିବା ବିଜେପିର ଏହି ଯୁବ ନେତା କେବଳ ମାହାଙ୍ଗାରେ କାହିଁକି ଖୋଦ୍ ରାଜଧାନୀରେ ଯେଉଁଭଳି ବର୍ବରୋଚିତ ଅପରାଧ ଘଟାଇଛନ୍ତି ତାହା କାହାକୁ ଅଛପା ନାହିଁ। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ଏଭଳି ସଙ୍ଗିନ୍ ଅଭିଯୋଗ ଆଣିଛି। ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି, ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷ ସବିତା ଓଝା, ଉଭୟ ବ୍ଲକର ଉପାଧ୍ୟକ୍ଷ ରସିଦା ବେଗମ ଓ ସବିତା ମହାନ୍ତି ପ୍ରମୁଖ ଶାରଦାଙ୍କ ଗିରଫ ଦାବି କରିଥିଲେ।

ଏହି ନେତାମାନେ ଅଭିଯୋଗ କରିଥିଲେ ଯେ ଦୁଇ ଦୁଇ ଥର ମାହାଙ୍ଗାରୁ ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିବା ଶାରଦାଙ୍କୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଭୋଟର ପ୍ରତ୍ୟାଖାନ କରିସାରିଛନ୍ତି। ମାହାଙ୍ଗା ଭଳି ଏକ ଶାନ୍ତିପୂର୍ଣ୍ଣ ଓ ଐତିହ୍ୟ ସମ୍ପନ୍ନ ଅଞ୍ଚଳରେ ବିଭିନ୍ନ ଅପରାଧୀ ଓ ବାହୁବଳୀ ନେତାଙ୍କୁ ମେଳିକରି ଦୀର୍ଘ ବର୍ଷ ହେବ ଶାରଦା ସ୍ଥାନୀୟ ଅଞ୍ଚଳରେ ବିଭେଦ ଓ ଅଶାନ୍ତି ସୃଷ୍ଟି କରି ଆସୁଛନ୍ତି। ଅସାମାଜିକ କାର୍ଯ୍ୟକଳାପ ଓ ଅପରାଧ ଘଟଣାରେ ସମ୍ପୃକ୍ତି ଯୋଗୁଁ ଅତୀତରେ ଗିରଫ ହୋଇ ଜେଲ୍ ଯିବାର ନଜିର ରହିଛି। କେବଳ ଜନମତକୁ ବିଭ୍ରାନ୍ତ କରିବା ପାଇଁ ମାହାଙ୍ଗାରେ ସେ ଅଶାନ୍ତିର ବିଷ ମଞ୍ଜି ବୁଣିଛନ୍ତି।

ଏହି ନେତାମାନେ ଆହୁରି କହିଛନ୍ତି ଯେ ମାହାଙ୍ଗା ଡବଲ ମର୍ଡ଼ର ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟାଇବାକୁ ଯାଇ ଉଚ୍ଚବର୍ଗର ଲୋମହର୍ଷଣକାରୀ ନିର୍ଯାତନା କଥା ବୟାନ ଦେଇସାରିଥିଲା। ଦଳିତ ପରିବାରକୁ ଉଲଗ୍ନ କରି ମାଡ଼ମାରିବା ଘଟଣାର ପ୍ରତିଶୋଧରୁ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ମାରିଦେଲୁ ବୋଲି ଗିରଫ ଅଭିଯୁକ୍ତମାନେ ସ୍ୱୀକାର କରିବା ପରେ ବିଜେପି ଶାସକ ଦଳ ସ୍ଥାନୀୟ ବିଧାୟକଙ୍କୁ ନିନ୍ଦିତ କରିବା ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି। ଶାରଦା ହୀନରାଜନୀତି ଚଳାଇବା ସହ ନିଜ ଅପରାଧକୁ ଘୋଡ଼ାଇବାକୁ ଅପଚେଷ୍ଟା କରୁଛନ୍ତି ବୋଲି ସେମାନେ କହିଛନ୍ତି। ମାହାଙ୍ଗାବାସୀ ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେବାରୁ ଶାରଦାଙ୍କ ଡ୍ରାମାବାଜି ଏବେ ରାଜଧାନୀମୁହାଁ ଓ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ପାଇଁ ସେ ଏବେ ରାଜ୍ୟ ନେତାଙ୍କ ଶରଣରେ ବୋଲି ବିଜେଡି ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର