ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ : ଏସ୍‌ପିଙ୍କ ନାମରେ ଏତଲା

ଶୋକସଭାକୁ ଆସିଲେନି ଶାସକ, ପ୍ରଶାସକ

ଯାଜପୁର/ଧର୍ମଶାଳା/ଚଢେଇଧରା : ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟ ବି‌ରୋଧରେ ଯାଜପୁର ଏସପିଙ୍କ ବିରୋଧରେ ବିଜେପି ସବୁ ଥାନା ଓ ଫାଣ୍ଡିରେ ଏତଲା ଦେଇଛି। ଭାରତୀୟ ପିଙ୍ଗଳ କୋଡ଼୍ ଦଫା ୫୦୦ ଏବଂ ୫୦୯ରେ ମାମଲା ରୁଜୁ କରିବା ପାଇଁ ଦାବି କରିଛି। ବିଜେପି ଦର୍ଶାଇଛି ଯେ ଏସପିି ମୀନା ମୃତ ସ୍ମିତାରାଣୀଙ୍କ ଚରିତ୍ର ସଂହାର କରିଛନ୍ତି। ଅପରାଧୀଙ୍କୁ ପୁଲିସ ଘଣ୍ଟ ଘୋଡାଉଛି। ଏଭଳି ସାଂଘାତିକ ଅଭିଯୋଗ ଆଣି ଦଳ ପକ୍ଷରୁ ଆଜି ଜିଲ୍ଲାର ୧୯ଟି ଥାନାରେ ଏତଲା ଦିଆଯାଇଛି।

ଏସପି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାଙ୍କ ବିରୋଧରେ ଆଇନ୍ ଅନୁଯାଇ ମାମଲା ରୁଜୁ କରି ଦୃଢ଼ କାର୍ଯ୍ୟାନୁଷ୍ଠ‌ାନ ପାଇଁ ଏତଲାରେ ଦାବି କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ହେରାଫେରି ପାଇଁ ରୂପେଶ ଭଦ୍ର ତାଙ୍କ ପତ୍ନୀ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ଜରିଆରେ ସ୍ମିତାରାଣୀଙ୍କ ଉପରେ ଚାପ ପକାଉଥିିଲେ। ଏପରିକି ‌ରାମକୋ ସିମେଣ୍ଟ କାରଖାନା ବିନା ପଲ୍ଲି ସଭାରେ ଏହି ପଞ୍ଚାୟତରେ ‌ହୋଇଛି। ଏଥିରେ ମଧ୍ୟ ବ୍ୟାପକ ବେ‌ଆଇନ୍ କାରବାର ହୋଇଛି। ଯାହାକୁ ନିୟମିତ କରାଇବା ପାଇଁ ସ୍ମିତାରାଣୀଙ୍କ ଉପରେ ମଧ୍ୟ ରୂପେଶ ଚାପ ପକାଉଥିଲେ। ଏଭଳି ଅନେକ ବେଆଇନ କାରବାର ପାଇଁ ସ୍ମିତାରାଣୀଙ୍କ ଉପରେ ରୂପେଶ ଚାପ ପକାଇ ବି‌ଫଳ ହୋଇଥିଲେ। ଯାହାର ତଦନ୍ତ ପୁଲିସ କରିନାହିଁ ବୋଲି ବିଜେପି ଏତଲାରେ ଦର୍ଶାଇବା ସହିତ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି।

ଅନ୍ୟପକ୍ଷରେ ସ୍ମିତାରାଣୀଙ୍କ ଏକାଦଶାହରେ ଆଜି ଆୟୋଜିତ ସ୍ମୃତିଚାରଣ ସଭାରେ ବିରୋଧୀ ଗର୍ଜିଛନ୍ତି। ସ୍ମିତାରାଣୀଙ୍କର ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ଆନ୍ଦୋଳନ ଯାଜପୁରରୁ ଭୁବନେଶ୍ବର ଏପରିକି ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ଯିବ ବୋଲି ବିରୋଧୀ ଦଳ ଚେତାବନୀ ଦେଇଛି। ସେମାନେ କହିଥିଲେ ଯେ ସରକାରୀ କାମ ସମ୍ପାଦନ କରୁଥିବା ବେଳେ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତରାଣୀ ବିଶ୍ବାଳ ବଳି ପଡ଼ିଲେ। ଅନୈତିକ କାର୍ଯ୍ୟ କରିବାକୁ ସ୍ମିତାରାଣୀକୁ ବାଧ୍ୟ କରିଆସୁଥିବା କୁଚକ୍ରୀ ବାହୁବଳୀ ଗୋଷ୍ଠୀଙ୍କ ଷଡ଼ଯନ୍ତ୍ରର ଉ‌ନ୍ମୋଚନ ପାଇଁ ଶାସକ ଓ ପ୍ରଶାସକ ମୁହଁ ଲୁଚାଉଛନ୍ତି। କାହା ଭୟରେ ଶାସକ ଓ ପ୍ରଶାସକମାନେ ଶୋକସନ୍ତପ୍ତ ସ୍ମିତାରାଣୀଙ୍କ ପରିବାର ଦୁଃଖରେ ସମବେଦନା ଜଣାଇବାକୁ ମଧ୍ୟ ଆସିଲେନି ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ।

ସ୍ମିତାରାଣୀଙ୍କ ଶ୍ବଶୁର ଘର ଭୁବନପୁରରେ ଅନୁଷ୍ଠିତ ଶୋକସଭାରେ ପ୍ରଶାସନ ପକ୍ଷରୁ କେବଳ ଧର୍ମଶାଳା ବିଡ଼ିଓ ହେମନ୍ତ କୁମାର ସ୍ବାଇଁ ଯୋଗ ଦେଇଥିଲେ। ସମା‌‌ଜସେବୀ ସତୀଶ ବିଶ୍ବାଳ ଅଧ୍ୟକ୍ଷତା କରିଥିବା ବେଳେ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, ଅମର ନାୟକ, ତୁଷାର ପରିଡ଼ା, କାହ୍ନୁଚରରଣ ଦାଶ, ପବିତ୍ର ମୋହନ ଦାସ, ପିସିସି ସାଧାରଣ ସମ୍ପାଦକ ଶ୍ରୀନାଥ ମିଶ୍ର, ସ୍ମୃତିରେଖା ପହି ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସରପଞ୍ଚ, ସମିତି ସଭ୍ୟ ଓ ସଚେତନ ନାଗରିକ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର