ପୁଲିସ ଡିଜି ପଦରୁ ବିଦା ହେଲେ ବିଜୟ ଶର୍ମା, ଅଭୟ ନୂଆ ଡିଜି

ଅନ୍ତରୀଣ ଡିଜି ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

ସତ୍ୟଜିତଙ୍କୁ ଗୁଇନ୍ଦା ଓ ସୁନୀଲ ରାୟଙ୍କୁ ଅଗ୍ନିଶମ ଦାୟିତ୍ବ
ବିଜୟ ଶର୍ମା ଗୃହ ବିଭାଗ ଓଏସ୍‌ଡି ରହିଲେ
ଶର୍ମାଙ୍କ ବିରୋଧରେ ତଦନ୍ତ ପାଇଁ ତିନି ଜଣିଆ କମିଟି

ଭୁବନେଶ୍ବର : ସାଂଘାତିକ ଅନିୟମିତତା ସନ୍ଦେହରେ ରାଜ୍ୟ ସରକାର ପୁଲିସ ମହାନିର୍ଦେଶକ (ଡିଜି) ଦାୟିତ୍ବରେ ଥିବା ବିଜୟ ଶର୍ମାଙ୍କୁ ଆଜି ରାତିରେ ଅଚାନକ ବଦଳାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ ଅଭୟଙ୍କୁ ନିୟମିତ ତଥା ପୂର୍ଣ୍ଣକାଳୀନ ପୁଲିସ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ହାଇଦ୍ରାବାଦ ସ୍ଥିତ ସର୍ଦାର ବଲ୍ଲଭ ଭାଇ ପଟେଲ୍ ନ୍ୟାସନାଲ ପୁଲିସ ଏକାଡେମି ନିର୍ଦେଶକ ଥିବା ଅଭୟ ଡିଜି ଭାବେ ଦାୟିତ୍ବ ନେବା ପର୍ଯ୍ୟନ୍ତ ବରିଷ୍ଠ ଆଇପିଏସ୍ ଅଫିସର ସତ୍ୟଜିତ ମହାନ୍ତି ଅନ୍ତରୀଣ ଡିଜି ଭାବେ ଦାୟିତ୍ବ ତୁଲାଇବେ।

ଏ ସଂକ୍ରାନ୍ତରେ ଗୃହ ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ପୁଲିସ ଡିଜି ଦାୟିତ୍ବରେ ଥିବା ଆଇପିଏସ୍ ଅଫିସର ବିଜୟ ଶର୍ମାଙ୍କୁ ଆଜି ରାତିରେ ହିଁ ସରକାର ଦାୟିତ୍ବରୁ ଅବ୍ୟାହତି ଦେଇଛନ୍ତି। ତାଙ୍କୁ ଅତ୍ୟନ୍ତ ଅପମାନଜନକ ଭାବେ ବିଦା କରାଯାଇଛି। ସେହିଭଳି ଶ୍ରୀ ମହାନ୍ତିଙ୍କୁ ତୁରନ୍ତ ଦାୟିତ୍ବ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଆଜି ବିଳମ୍ବିତ ରାତିରେ ଶ୍ରୀ ମହାନ୍ତି ଅତିରିକ୍ତ ଭାବେ ଡିଜି ଦାୟିତ୍ବ ନେଇଛନ୍ତି। ଏବେ ଶ୍ରୀ ଶର୍ମା ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଓଏସ୍‌ଡି ଭାବେ କାର୍ଯ୍ୟ କରିବେ। ପୂର୍ବତନ ପୁଲିସ ଡିଜି ଅମରାନନ୍ଦ ପଟ୍ଟନାୟକଙ୍କୁ ମଧ୍ୟ ରାତି ଅଧରେ ଦାୟିତ୍ବ ଛାଡ଼ିବାକୁ ପଡିଥିଲା। ତତ୍କାଳୀନ ପୁଲିସ ମହାନିର୍ଦେଶକ ଗୋପାଳ ନନ୍ଦ ତାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଶ୍ରୀ ଶର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ନିର୍ଦେଶ ଦେବା ସହିତ ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି।

ମିଳିଥିବା ଖବର ମୁତାବକ, ପୁଲିସ ଡିଜି ପଦବି ସହିତ ଅଗ୍ନିଶମ ବିଭାଗ ଡିଜି ଦାୟିତ୍ବ ତୁଲାଉଥିବା ଶ୍ରୀ ଶର୍ମାଙ୍କ ବିରୋଧରେ ସାଂଘାତିକ ଅନିୟମିତତା ଅଭିଯୋଗର ତଦନ୍ତ ଏକ କମିଟି ଦ୍ବାରା କରାଯିବ। ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଓ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରାଙ୍କୁ ନେଇ ଗଠିତ ଏହି କମିଟି ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବେ। ବିଭିନ୍ନ ମଲ୍ ଓ ଶିଳ୍ପାନୁଷ୍ଠାନକୁ ଅଗ୍ନିଶମ ପ୍ରମାଣପତ୍ର ଦେବା କ୍ଷେତ୍ରରେ ଶ୍ରୀ ଶର୍ମା ଟାଳଟୁଳ ନୀତି ଅବଲମ୍ବନ କରିବା ସହିତ ଅହେତୁକ ବିଳମ୍ବ କରୁଥିଲେ। ଏ ନେଇ ବିଭିନ୍ନ ସଂସ୍ଥା ରାଜ୍ୟ ସରକାରଙ୍କୁ ଅଭିେଯାଗ କରିଥିଲେ। ଏହି ଘଟଣାକୁ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭୀଷଣ କ୍ଷୁବ୍ଧ ହୋଇଥିଲେ ଓ ଡିଜି ବଦଳି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହଠାତ୍ ଗତକାଲି ଅଗ୍ନିଶମ ଡିଜିଙ୍କ ହାତରୁ ପ୍ରମାଣପତ୍ର ଦିଆଯିବା କ୍ଷମତା କାଢ଼ି ନିଆଯାଇଥିଲା। ଆଜି ଗୃହ ବିଭାଗ ଶ୍ରୀ ଶର୍ମାଙ୍କ ବିରୋଧରେ ତଦନ୍ତ ସଂପର୍କିତ ଯେଉଁ ବିଜ୍ଞପ୍ତି ଜାରି କରିଛନ୍ତି, ସେଥିରେ କୁହାଯାଇଛି ଯେ ଅଗ୍ନିଶମ ପ୍ରମାଣପତ୍ର ହାସଲ ସଂକ୍ରାନ୍ତ ଆବେଦନକୁ ସେ ଦୀର୍ଘ ଦିନ ଧରି ପକାଇ ରଖୁଥିଲେ। ଏହାଦ୍ବାରା କେବଳ ସାଧାରଣ ଲୋକେ ଅସୁବିଧାରେ ପଡୁଥିଲେ, ତା ନୁହେଁ; ବ୍ୟବସାୟୀ, ଶିଳ୍ପାନୁଷ୍ଠାନ, ଶିକ୍ଷା ପ୍ରତିଷ୍ଠାନ ଓ ମେଡିକାଲ ପ୍ରତିଷ୍ଠାନ ବି ଅଡ଼ୁଆରେ ପଡ଼ୁଥିଲେ। କେଉଁ ପରିସ୍ଥିତିରେ ଏହି ଆବେଦନ ଅଟକି ରହୁଥିଲା ସେ ନେଇ ଏହି କମିଟି ତଦନ୍ତ କରିବ।

ଅନ୍ୟପକ୍ଷରେ ରାଜ୍ୟ ସରକାର ଆଜି ଜେଲ୍‌ ସ୍ବତନ୍ତ୍ର ନିର୍ଦେଶକ ଦାୟିତ୍ବରେ ଥିବା ସତ୍ୟଜିତ ମହାନ୍ତିଙ୍କୁ ଗୁଇନ୍ଦା ନିର୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ଅଭୟ ଡିଜି ଭାବେ ଦାୟିତ୍ବ ନେବା ପର୍ଯ୍ୟନ୍ତ ଅନ୍ତରୀଣ ଡିଜି ରୂପେ ସେ ସମାନ୍ତରାଳ ଭାବେ କାର୍ଯ୍ୟ କରିବେ। ଏହି ପଦରେ ଥିବା ସୁନୀଲ ରାୟଙ୍କୁ ହୋମଗାର୍ଡ ଓ ଅଗ୍ନିଶମ ଡିଜି ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଜେଲ୍‌ ଦାୟିତ୍ବ ସରକାର କାହାକୁ ଦେଇନାହାନ୍ତି।

ଅନ୍ୟପକ୍ଷରେ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଅଭୟଙ୍କୁ ତୁରନ୍ତ ଛାଡ଼ିବାକୁ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି େକନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହିତ କଥା ହୋଇପାରନ୍ତି। ଗତ ଜୁଲାଇ ମାସରେ ଅଭୟ ଏହି ନୂଆ ନିଯୁକ୍ତି ପାଇଥିଲେ। ଡିଜି ନିଯୁକ୍ତି େକ୍ଷତ୍ରରେ ସୁପ୍ରିମକୋର୍ଟ ଯେଉଁ ନୂଆ ନିୟମ କରିଛନ୍ତି, ସେ ଆଧାରରେ ରାଜ୍ୟରେ ଏହା ପ୍ରଥମ ଡିଜି ନିଯୁକ୍ତି। ସର୍ବନିମ୍ନ ୨ ବର୍ଷ ପାଇଁ ଅଭୟ ଏହି ଗୁରୁ ଦାୟିତ୍ବ ସମ୍ଭାଳିବେ।

ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ଡିଜି ଡାକ୍ତର ରାଜେନ୍ଦ୍ର ଶର୍ମାଙ୍କୁ ପରିବର୍ତନ କରିବା ପରେ ରାଜ୍ୟ ସରକାର ପ୍ରା. ୧୭ଜଣ ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କ ନାମ ୟୁପିଏସସି ଅନୁମୋଦନ ପାଇଁ ପଠାଇଥିଲେ। ରାଜ୍ୟରେ ନୂଆ ଡିଜିପି ଚୟନ ନେଇ ଗତ ୧୩ ତାରିଖରେ କେନ୍ଦ୍ର ଲୋକସେବା ଆୟୋଗଙ୍କ ଚୟନ କମିଟି ପକ୍ଷରୁ ନୂଆଦିଲ୍ଲୀରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଯୋଗ ଦେଇଥିଲେ। କେନ୍ଦ୍ର ଲୋକସେବା ଆୟୋଗ ପକ୍ଷରୁ ଡିଜିପି ପଦ ପାଇଁ ୩ଜଣିଆ ଆଇପିଏସଙ୍କ ତାଲିକା ସୋମବାର ରାଜ୍ୟ ସରକାରଙ୍କର ହସ୍ତଗତ ହୋଇଥିଲା। ୟୁପିଏସସି ଆଇପିଏସ୍ ଅଫିସର ଅଭୟଙ୍କ ବ୍ୟତୀତ ବରିଷ୍ଠ ଆଇପିଏସ୍ ଅଫିସର ପ୍ରଦୀପ କାପୁର ଓ ବିଜୟ ଶର୍ମାଙ୍କ ନାମ ଅନୁମୋଦନ କରିଥିଲେ। ରାଜ୍ୟ ସରକାର କିନ୍ତୁ ଅଭୟଙ୍କୁ ଡିଜି ଦାୟିତ୍ବ ଦେଇଛନ୍ତି। ଅଭୟ ୨୦୨୧ ଜୁନ ୩୦ ତାରିଖରେ ଅବସର ନେବେ। ଅନ୍ୟପକ୍ଷରେ ଶ୍ରୀ ଶର୍ମାଙ୍କୁ ସରକାର ତିନି ମାସ ତଳେ ଅର୍ଥାତ୍ ଅଗଷ୍ଟ ୭ ତାରିଖରେ ଇନଚାର୍ଜ ଡିଜି ଦାୟିତ୍ବ ଦେଇଥିଲେ। ଏହାପୂର୍ବରୁ ସେ ହୋମଗାର୍ଡ ଓ ଅଗ୍ନିଶମ ବିଭାଗ ଡିଜି ଦାୟିତ୍ବ ତୁଲାଉଥିଲେ।

ସମ୍ବନ୍ଧିତ ଖବର