ପାର୍ବଣରେ ବୋମା, ବନ୍ଧୁକ କାରବାର: କାର୍ପଟଦାର୍‌ ଟୁକୁନା ମୁକୁଳିବା ପରେ ମେଳି ବାନ୍ଧିଲେଣି ସହଯୋଗୀ

ନିଆଳି, ଅଡ଼ଶପୁରରୁ ଚାଲାଣ ହେଉଛି ବୋମା

କଟକ: ରାଜ୍ୟରେ ଚୋରା ବନ୍ଧୁକ କାରବାରର ମୁଖ୍ୟ କାର୍ପଟଦାର, ବନ୍ଧୁକ ଫ୍ୟାକ୍ଟ୍ରି ମାଲିକ ତାଳଚେରର ଟୁକୁନା ସ୍ବାଇଁ ଏବେ ଜେଲ୍‌ରୁ ଫେରିଛି। ଟୁକୁନା ଜେଲରୁ ଫେରି ବନ୍ଧୁକ ଡିଲର୍ ବାବୁଆ ଓରଫ ପ୍ରକାଶ ବେହେରା, ମୁନା ରାଓ, ଧରମ ଶଳା ପ୍ରକାଶ ରାଉତ ଓରଫ ପପୁ, ପ୍ରକାଶର ବଡ଼ଭାଇ ସନ୍ତ ରାଉତକୁ ପୁଣିଥରେ ଏକାଠି କରିବା ଆରମ୍ଭ କରିଦେଇଛି। ଏମାନେ ସମସ୍ତେ ଟୁକୁନା ସହିତ ଜେଲରୁ ଫେରିଥିବାରୁ ପାର୍ବଣରେ କଟକ ସମେତ ଉପକୂଳ ଜିଲ୍ଲାରେ ବନ୍ଧୁକ ବଜାର ଗରମ ହେବାକୁ ଯାଉଥିବା କୁହାଯାଉଛି। ଟୁକୁନାର ଖାସ୍ ଗ୍ରାହକ ଥିବା ଉପକୂଳ ଜିଲ୍ଲାର ଗ୍ୟାଙ୍ଗଷ୍ଟର ଓ ଅପରାଧୀ ପାର୍ବଣରେ ଟୁକୁନାର ବନ୍ଧୁକ ବ୍ୟବହାର କରି ବଟି ଆଦାୟ ଓ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି।

ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇଙ୍କ ସହଯୋଗୀଙ୍କୁ ବନ୍ଧୁକ ଯୋଗାଣର କାର୍ପଟଦାର୍ କୁହାଯାଉଥିବା ଶେଖବଜାରର ବାବୁଆ ଓରଫ ପ୍ରକାଶ ବେହେରା, ବିଡ଼ାନାସୀ ଦେଉଳସାହିର ବୁଦ୍ଧିଆ ଓରଫ ଶରତ ସେଠୀକୁ ଚୌଦ୍ବାର ଥାନା ପୁଲିସ ୨୦୨୦ ଡିସେମ୍ବର ୧୧ରେ ଗିରଫ କରିବା ପରେ ରାଜ୍ୟରେ ବନ୍ଧୁକ କାରବାରର ଏକ ବଡ଼ ନେଟ୍‌ଵର୍କ ସାମ୍‌ନାକୁ ଆସିଥିଲା। ଗୋଟିଏ ସମୟରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ପାଇଁ ମୋଷ୍ଟ ଵାଣ୍ଟେଡ୍ ଥିବା ତାଳଚେରର ବନ୍ଧୁକ ଫ୍ୟାକ୍ଟ୍ରି ମାଲିକ ଟୁକୁନା ସ୍ବାଇଁକୁ ୨୦୨୧ ଜୁନ୍ ୧୬ରେ ଚୌଦ୍ବାର ଥାନା ପୁଲିସ ଗିରଫ କରିଥିଲା। ସେହିବର୍ଷ ଅକ୍ଟୋବରରେ ବାଦାମବାଡ଼ି ଥାନା ପୁଲିସ ଦ୍ବାରା ଟୁକୁନାର ଧରମ ଶଳା ଶଙ୍କରପୁର ଢିଅ ସାହିର ପ୍ରକାଶ ରାଉତ ଓରଫ ପପୁ ଓ ସନ୍ତ ରାଉତକୁ ବି ପୁଲିସ ଗିରଫ କରିଥିଲା। କିନ୍ତୁ, ଏମାନେ ସମସ୍ତେ ନିକଟରେ ଜେଲରୁ ଫେରିବା ପରେ ପୁଣି ଥରେ ମେଳି ବାନ୍ଧିଥିବା କୁହାଯାଉଛି। ସନ୍ତ ଏବେ ତାଳଚେରରେ ଟୁକୁନା ନିକଟରେ ରହୁଥିବା କୁହାଯାଉଛି। କଲ୍ୟାଣୀନଗର ଦୁଲାଦେଇ ରୋଡରେ ରହୁଥିବା ରାଣୀହାଟ ପ୍ରଶାନ୍ତ ସାହୁର ଖାସ ସହଯୋଗୀ ମୁନା ରାଓ ବି ଜେଲରୁ ଫେରିଛି। ମୁନା ବି ଟୁକୁନାର ଜଣେ ଖାସ୍ ବନ୍ଧୁକ ଡିଲର୍ ପାଲଟିଛି।

ତାଳଚେରରେ ଟୁକୁନାର ବନ୍ଧୁକ ଫ୍ୟାକ୍ଟ୍ରିରେ ପୁଲିସ ବାରମ୍ବାର ଚଢ଼ଉ କରୁଥିବାରୁ ସେ ବେଶ୍‌ ସତର୍କ ହୋଇଯାଇଛି। ନିଜେ ବନ୍ଧୁକ ତିଆରି ସହିତ ବିହାରର ମୁଙ୍ଗେରରୁ ବି ଆମଦାନୀ କରୁଛି। ତାଳଚେରରେ କୋଇଲା ପରିବହନରେ ତପୁର ଦଶ ଚକିଆ ଗାଡ଼ି ଲାଗିଥିବା କୁହାଯାଉଛି। ଏହି ଗାଡ଼ି ମାଧ୍ୟମରେ ତପୁ ବନ୍ଧୁକ ଚାଲାଣ ଆରମ୍ଭ କରିଛି। ଟୁକୁନା ମାଧ୍ୟମରେ ବାବୁଆ, ମୁନା, ପ୍ରକାଶ, ସନ୍ତ କଟକ ସମେତ ଖୋର୍ଧା, ଭୁବନେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାକୁ ମୁଖ୍ୟତଃ ନିଜ ନିୟନ୍ତ୍ରଣକୁ ଆଣି ସାରିଲେଣି। ଗ୍ୟାଙ୍ଗଷ୍ଟର ଧଳସାମନ୍ତ, ଟିଟୋ, ସୁପାରି କିଲର୍ ଦୀପୁ ଓରଫ ବିପ୍ଳବ ବେହେରା, କନ୍ଦରପୁରର ପ୍ରଶାନ୍ତ କୁମାର ଦାସ ଓରଫ ତପୁର ସହଯୋଗୀଙ୍କୁ ବନ୍ଧୁକ ଯୋଗାଉଛନ୍ତି। ମାଉଜର ୩୫ ହଜାର ଟଙ୍କାରେ କିଣି ୪୦ରୁ ୫୦ ହଜାର ଟଙ୍କାରେ ଉପକୂଳ ଓଡ଼ିଶାରେ ବିକ୍ରି ହେଉଥିବା ବେଳେ ହାପ୍ ସ୍ଲାଇଡର ୨୦ରୁ ୨୨ ହଜାର ଓ ସିକ୍ସର ୬ ହଜାର ଟଙ୍କାରେ କାରବାର ହେଉଛି।

ସେହିଭଳି ବୋମା କାରବାରରେ କୁଖ୍ୟାତି ଅର୍ଜନ କରିଥିବା କହ୍ନେଇପୁରର ସୁଧା ଓରଫ ଅଜା ଗୌଡ଼ ଏବେ ଏ କାରବାରରୁ ଦୂରେଇ ଯାଇଥିବା କୁହାଯାଉଛି। ନିଆଳି ଓ ଅଡ଼ଶପୁରରେ ପ୍ରସ୍ତୁତ ବୋମା ଏବେ କଟକର ଅପରାଧୀମାନେ ଆମଦାନୀ କରିବା ଆରମ୍ଭ କରିଦେଇଛନ୍ତି। ଏବେ ପାର୍ବଣରେ ପୁଲିସ ପାଇଁ ବେଆଇନ ବନ୍ଧୁକ ଓ ବୋମା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଯାଉଥିବାରୁ ପୁଲିସ ଏବେ ଏହାର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର