ଶିକ୍ଷକ ମାରଣ ନୀତି ବିରୋଧରେ ଆନ୍ଦୋଳନ ଆହ୍ବାନ

ନୂତନ ପେନସନ୍ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘ ବୈଠକ

ଭୁବନେଶ୍ବର : ନୂତନ ପେନସନ୍ ଯୋଜନାଭୁକ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନଙ୍କୁ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଭବନଠାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ସଭାପତି ପଞ୍ଚାନନ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ୩୦ଟି ଜିଲ୍ଲା ପ୍ରତିନିଧି ଯୋଗ ଦେଇଥିଲେ। ବୈଠକରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯିବା ସହ ରାଜ୍ୟ ସରକାରଙ୍କ ଶିକ୍ଷକ ମାରଣ ନୀତି ବିରୋଧରେ ଆଗକୁ ବ୍ୟାପକ ଆନ୍ଦୋଳନ କରିବାକୁ ଉପସ୍ଥିତ ଶିକ୍ଷକମାନେ ବକ୍ତବ୍ୟ ରଖିଥିଲେ।

ବୈଠକରେ ଚୁକ୍ତିଭିତ୍ତିକ ଭଳି ଏକ କଳଙ୍କିତ ପ୍ରଥା ଉଚ୍ଛେଦ, ୬ବର୍ଷ ଚୁକ୍ତି ଅବଧିକୁ ନିୟମିତ ଚାକିରିରେ ଯୋଗ, କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ଥିରୀକୃତ ଅବିକଳ ଘର ଭଡ଼ା ପ୍ରଦାନ, ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ପୁରାତନ ପେନସନ୍‌ରେ ଅନ୍ତର୍ଭୁକ୍ତ କରିବା, ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ୪୨୦୦ ଗ୍ରେଡ୍‌ ପେ, ହିନ୍ଦୀ, ସଂସ୍କୃତ ଓ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ରାଜ୍ୟ କ୍ୟାଡର୍‌ ରୁଲ୍‌ରେ ଅନ୍ତର୍ଭୁକ୍ତ, ବଦଳି ନିୟମକୁ ସରଳୀକରଣ କରିବାକୁ ଦାବି ହୋଇଛି। ସେହିପରି ୨୦୧୬ ବ୍ୟାଚ୍‌ ଶିକ୍ଷକଙ୍କ ଛଟେଇ ସମୟକୁ ମୂଳ ଚାକିରି ସହ ଯୋଗ ଓ ନିୟମିତ ପ୍ରକ୍ରିୟାକୁ ତ୍ବରାନ୍ବିତ, ୧୯୬୬ ଛୁଟି ନିୟମକୁ ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକଙ୍କ ପାଇଁ ଲାଗୁ, ୬ ବର୍ଷ ଚୁକ୍ତି ସମୟ ମଧ୍ୟରେ ଯେକୌଣସି ଶିକ୍ଷକଙ୍କର ମୃତ୍ୟୁ ହେଲେ ପୁନଃ ଥଇଥାନ ଯୋଜନାରେ ତାଙ୍କ ପରିବାରର କୌଣସି ସଦସ୍ୟକୁ ଅନ୍ତର୍ଭୁକ୍ତ ଆଦି ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାର ତୁରନ୍ତ ଏହି ସମସ୍ୟାଗୁଡ଼ିକର ସମାଧାନ ନ କଲେ ଆସନ୍ତା ଅକ୍ଟୋବର ଶେଷ ସପ୍ତାହରେ ସମସ୍ତ ଚୁକ୍ତିଭିତ୍ତିକରୁ ନିୟମିତ ହୋଇଥିବା ଶିକ୍ଷକ ଓ ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନେଇ ଆନ୍ଦୋଳନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି। ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସର୍ବସମ୍ମତିକ୍ରମେ ସଂଘର ମହାସଚିବ ଭାବେ ବିଶ୍ବଜିତ୍ ବିଶ୍ବାଳ, ସଭାପତି ଭାବେ ପ୍ରଦୀପ୍ତ କୁମାର ପ୍ରଧାନ, ସମ୍ପାଦକ ଭାବେ ଅମରେନ୍ଦ୍ର ସ୍ବାଇଁ, କାର୍ଯ୍ୟକାରୀ ସଭାପତି ଭାବେ ସତ୍ୟଭୂଷଣ ତରାଇ ଓ ସାଙ୍ଗଠନକି ସମ୍ପାଦକ ଭାବେ ଜିତେନ୍ଦ୍ର କୁମାର ମହାରଣା ମନୋନୀତ ହୋଇଥିଲେ। ଶେଷରେ ୩୦ଟି ଜିଲ୍ଲାର କର୍ମକର୍ତ୍ତାଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର