ଏନଆଇଏ ଚଢ଼ଉ ପରେ କୋଏମ୍ବାଟୁରରେ ଉତ୍ତେଜନା: ୪୫୦୦ ପୁଲିସ ମୁତୟନ

କୋଏମ୍ବାଟୁର: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ)ର କାର୍ଯ୍ୟାଳୟ ଏବଂ ଏହି ସଂଗଠନ ସହିତ ଜଡ଼ିତ ଲୋକଙ୍କ ଉପରେ ଏନଆଇଏ ଗତ ଗୁରୁବାର ଦେଶବ୍ୟାପୀ ଚଢ଼ଉ କରିଥିଲା। ଚଢ଼ଉ ପରେ ତାମିଲନାଡ଼ୁର କୋଏମ୍ବାଟୁରରେ ଉତ୍ତେଜନା ଦେଖାଦେଇଛି। ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୪୫୦୦ରୁ ଅଧିକ ପୁଲିସ ମୁତୟନ କରାଯାଇଛି। କେବଳ ୩୫୦୦ ପୁଲିସ ସହରରେ ମୁତୟନ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ପୁଲିସ ବାହାର ଜିଲ୍ଲାରୁ ଆସିଛନ୍ତି। ସହରରେ ଏସ୍‌ଟିଏଫ୍‌ର ପ୍ରାୟ ୧୦୦ ଜଣ ଏବଂ ତାମିଲନାଡ଼ୁ କମାଣ୍ଡୋର ୫୮ ଜଣଙ୍କୁ ମୁତୟନ କରାଯାଇଛି।

ଏଥିସହିତ ସହରରେ ୧୧ଟି ନିୟମିତ ଚେକ୍‌ପଏଣ୍ଟ୍‌ ସହିତ ୨୮ଟି ଅସ୍ଥାୟୀ ଚେକପଏଣ୍ଟ୍‌ କରାଯାଇଛି। ୪୫ଟି ପାଟ୍ରୋଲିଂ ଗାଡ଼ିକୁ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ଲଗାଯାଇଛି। ରାଜ୍ୟ ଏବଂ ଜିଲ୍ଲାର ୨୩ଟି ତନଖି ଫାଟକକୁ ହାଇଆଲର୍ଟରେ ରଖାଯିବା ସହିତ ଜିଲ୍ଲାବ୍ୟାପୀ ୫୮ଟି ଅସ୍ଥାୟୀ ଚେକ୍‌ପଏଣ୍ଟ ସ୍ଥାପନ କରାଯାଇଛି। ତାମିଲନାଡ଼ୁ ମୁଖ୍ୟସଚିବ ଭି ଇରାଇ ଅନ୍‌ବୁ ଶନିବାର ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ କୋଏମ୍ବାଟୁର ଜିଲ୍ଲାପାଳ ଜିଏସ୍‌ ସମୀରନ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଉକ୍ତ ବୈଠକରେ ରାଜ୍ୟର ୧୭ଟି ଜିଲ୍ଲାର ଅଧିକାରୀ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ସଂଗଠନଗୁଡ଼ିକ ସହିତ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର