ମୁଖ୍ୟମନ୍ତ୍ରୀ ମାନସିକ ସ୍ତରରେ ଗୃହବନ୍ଦୀ: ସୁରେଶ

କେନ୍ଦ୍ରକୁ ଫେରାଦ ହେଲେ ବିଜୟ ପଟ୍ଟନାୟକ

ଭୁବନେଶ୍ବର: ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଦୁଇ ଦିନିଆ ବରଗଡ଼ ଗସ୍ତକୁ ନେଇ ସ୍ଥାନୀୟ ସାଂସଦ ସୁରେଶ ପୂଜାରୀ ପ୍ରଶ୍ନ ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କ ସାମ୍ବିଧାନିକ ଅଧିକାର ନେଇ ତେର୍‌ଛା ବାଣ ମାରିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ଯେ ବରଗଡ଼ର ବିଭିନ୍ନ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଯେଉଁ ଅଡିଓ ଶୁଣାଉଛନ୍ତି ତାହା ଚିନ୍ତାର ବିଷୟ। ଯଦି ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ୫-ଟି ସଚିବ ଏଭଳି କାର୍ଯ୍ୟ କରୁଛନ୍ତି ତେବେ ତାହା ବହୁତ ଚିନ୍ତାର ବିଷୟ। ଯଦି ତାଙ୍କ ଅଜାଣତରେ କରୁଛନ୍ତି ତେବେ ଆହୁରି ଚିନ୍ତାର ବିଷୟ।

କୌଣସି ସାମ୍ବିଧାନିକ ପଦର ଦା‌ୟିତ୍ବ ଓ କାମ ହସ୍ତାନ୍ତରିତ ହୁଏନାହିଁ ଅଥବା ଡେଲିଗେସନ କି ଅଥରାଇଜେସନ୍ କି ଟ୍ରାନ୍ସଫର୍ ହୁଏନି। ରାଷ୍ଟ୍ରପତି ହୁଅନ୍ତୁ କି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ ହୁଅନ୍ତୁ ଏସବୁ ସାମ୍ବିଧାନିକ ପଦର କାମ ନିଜେ କରିବାକୁ ପଡ଼ିବ। ତେଣୁ ମୁଖ୍ୟମନ୍ତ୍ରୀ ମଧ୍ୟ ଜାଣିବା ଦରକାର ଯେ ତାଙ୍କର ସେ ଅଧିକାର ନାହିଁ ୫-ଟି ସଚିବଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ପାଇଁ। ସେହିପରି ୫-ଟି ସଚିବ ମଧ୍ୟ ଜଣେ ଆଇଏଏସ୍‌ ଅଫିସର। ସେ ମଧ୍ୟ ଜାଣିବା କଥା ‌ଯେ ଗଣତନ୍ତ୍ରରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ସୀମା କ’ଣ ଓ ଲକ୍ଷ୍ମଣରେଖା କ’ଣ? ସେ ଚାହିଁଲେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ବରଗଡ଼ ଯିବା ପାଇଁ ତାଙ୍କୁ ଅଧିକୃତ କରିଦେଲେ ଅଡିଓରେ। କାଲି ମୁଖ୍ୟମନ୍ତ୍ରୀ କହିବେ, ମୁଁ ବିଧାନସଭା ଯାଇପାରିବି ନାହିଁ ୫-ଟି ସଚିବଙ୍କୁ ଅଥରାଇଜ୍ କରୁଛି ସେ ମୋ ତରଫରୁ ବିଧାନସଭା ଯିବେ ଏବଂ ବିଧାନସଭାର ପ୍ରୋସିଡିଂରେ ଅଂଶଗ୍ରହଣ କରିବେ। ଏମିତି ହୁଏନି। ମୋତେ ଲାଗୁଛି ଯେ ମୁଖ୍ୟମନ୍ତ୍ରୀ ବସ୍ତୁତଃ ଗୃହବନ୍ଦୀ ହୋଇ ଅଛନ୍ତି। ମାନସିକ ସ୍ତରରେ ଗୃହବନ୍ଦୀ ଏବଂ ସେ ଯାହା କରୁଛନ୍ତି ବୋଧେ କାହା ନିର୍ଦ୍ଦେଶରେ କରୁଛନ୍ତି। ତାଙ୍କର ନିର୍ଦ୍ଦେଶରେ ସରକାର ଚାଲୁନାହିଁ, ଅନ୍ୟମାନେ ତାଙ୍କୁ ନିର୍ଦ୍ଦେଶିତ କରୁଛନ୍ତି। ଏହିଭଳିଆ ଘଟଣା ଭାରତ ବର୍ଷର ଗଣତନ୍ତ୍ରର ୭୫ବର୍ଷର ଇତିହାସରେ ବିରଳ।

୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଶୁଣାଇବା ବଦଳରେ ଦେଖେଇ ଦିଅନ୍ତୁ ଯେ କେଉଁ ଆଇନ ଆଧାରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହିଭଳିଆ ଦାୟିତ୍ବ ଡେଲିଗେଟ୍ କରୁଛନ୍ତି। ସର୍ବଭାରତୀୟ ସେବା ଆଇନର ସର୍ତ୍ତାବଳୀରେ ସଂପୂର୍ଣ୍ଣ ଭାବେ ଉଲ୍ଲେଖ ଅଛି ଯେ ଜଣେ ପ୍ରଶାସିନକ ଅଧିକାରୀଙ୍କର ଲକ୍ଷ୍ମଣରେଖା କ’ଣ, ସୀମା କ’ଣ, ସେ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା କଥା। ସଭା ସମିତି କରିବା, ପବ୍ଲିକ ମିଟିଂ କରିବା ଏବଂ ସେଇଟା ପୁଣି ବିଜେଡିର ଶାଗୁଆ ରଙ୍ଗରେ ସଜ୍ଜିତ ମଞ୍ଚରେ ଯାଇ ଉଦ୍‌ବୋଧନ ଦେବା। ମୋତେ ଲାଗୁଛି ବସ୍ତୁତଃ ଜଣେ ରାଜନୈତିକ ଦଳର କର୍ମୀ, ନେତା ଭଳିଆ ୫-ଟି ସଚିବ ଆଚରଣ କରୁଛନ୍ତି। ଯେଉଁଟା ଓଡ଼ିଶା କାହିଁକି ସାରା ଭାରତ ବର୍ଷରେ ଓଡ଼ିଶାକୁ ନିନ୍ଦିତ କରିବ ଏବଂ ଗଣତନ୍ତ୍ରକୁ ରକ୍ତାକ୍ତ ଏବଂ କ୍ଷତବିକ୍ଷତ କରିବ। ସେହିପରି ଶ୍ରୀ ପୂଜାରୀ କହିଛନ୍ତି ଯେ, ୫-ଟି ସଚିବ ଏକ ଅଡ଼ିଓରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଧିକୃତ କରିବା କଥା ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ତ ଓଡ଼ିଆ ଜାଣୁନାହାନ୍ତି, କେବେ ସମ୍ବଲପୁରୀ ଜାଣିଲେ ମୁଁ ଜାଣିନି। ଏହା ମୁଖ୍ୟମନ୍ତ୍ରୀ କହିଛନ୍ତି କିମ୍ବା ମୁଖ୍ୟମନ୍ତ୍ରୀଙ୍କ ସ୍ବରରେ ଆଉ କାହାଠୁ କୁହାଯାଇଛି ମୋତେ ଜଣାନାହିଁ। ମୋର ଗୋଟିଏ ପ୍ରଶ୍ନ ମୁଖ୍ୟମନ୍ତ୍ରାୀ ଏପରି ଅଧିକୃତ କରିପାରିବେ କି? ମୁଖ୍ୟମନ୍ତ୍ରୀ ତାଙ୍କୁ ବିଭିନ୍ନ ଜିଲ୍ଲା ପଠାଉଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ସେ ନିଜେ କାହିଁକି ରହିଛନ୍ତି। କାଲି ଯଦି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫର୍ ଫାଇନାଲ୍ ଅର୍ଡର (ଏଫ୍‌ଏଫ୍‌ଓ) ପାଇଁ ବିଭିନ୍ନ ଫାଇଲ୍ ଯିବ। ସେଇଟା ପାଇଁ ମଧ୍ୟ ସେ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଅଧିକୃତ କରିପାରିବେ କି? ମୁଖ୍ୟମନ୍ତ୍ରୀଙ୍କର ଯେଉଁଠି ଦସ୍ତଖତ ହେବା କଥା ସେଠାରେ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଦସ୍ତଖତ ରହିବ କି? ସଭାମଂଚରେ ସଚିବ ଓ ମଂଚ ତଳେ ମନ୍ତ୍ରୀ, ବିଧାୟକ। ଏଇଟା ଓଲଟା ଗଣତନ୍ତ୍ର। ଏପରି କରି ମୁଖ୍ୟମନ୍ତ୍ରୀ ରାଜ୍ୟର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ବହୁତ କ୍ଷତି କରିଛନ୍ତି।

ଭୁବନେଶ୍ବର: ସର୍ବଭାରତୀୟ ସର୍ଭିସ କଣ୍ଡକ୍ଟ ନିୟମର ଖୋଲା ଉଲ୍ଲଂଘନ କରୁଛନ୍ତି ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ। ବିଭିନ୍ନ ସାଧାରଣ ସଭାରେ ଯୋଗଦେଇ ଅନୁଦାନ ଘୋଷଣା କରୁଛନ୍ତି। ଏଭଳି ଅଭିଯୋଗ ଆଣି କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରାଳୟକୁ ଲିଖିତ
ଭାବେ ଜଣାଇଛନ୍ତି ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଆଜି କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟକୁ ଜଣାଇଛନ୍ତି ଯେ ଭି‌କେ ପାଣ୍ଡିଆନଙ୍କ ନାମ ବିଜୁ ଜନତା ଦଳର ହୋର୍ଡିଂରେ ଦେଖିବାକୁ ମିଳୁଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ରାମ ନଗର ହାତୀବାଡ଼ିରେ ଏଭଳି ଏକ ଫଟୋ ଦେଖିବାକୁ ମିଳିଥିଲା। ଏଥିରେ ୫-ଟି ସଚିବଙ୍କ ଗସ୍ତ ସମୟରେ ୨୦ଲକ୍ଷ ଟଙ୍କା ଚର୍ଚ୍ଚ ପାଇଁ ମଞ୍ଜୁର ହୋଇଥିବା କୁହାଯାଇଛି। ଯାହାକି ଏଆଇଏସ୍‌ କଣ୍ଡକ୍ଟ ରୁଲ-୫ର ଉଲ୍ଲଂଘନ କରୁଛି। ସେହିପରି ସେ ରାଜ୍ୟ ବୁଲିବା ସହ ସରକାରୀ ନିୟମକୁ ଉଲ୍ଲଂଘନ କରି ବିଭିନ୍ନ ଅନୁଷ୍ଠାନକୁ ସରକାରୀ ପାଣ୍ଠିରୁ ଅର୍ଥ ମଞ୍ଜୁର କରୁଛନ୍ତି। ସରକାରଙ୍କ କୌଣସି ସଚିବ ଅର୍ଥ ମଞ୍ଜୁରର ନିୟମକୁ ଉଲ୍ଲଂଘନ କରି ଏଭଳି ଘୋଷଣା କଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି।

ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି, Dil se vk pandian ଓ vk pandian fan club ଭଳି ଫେସବୁକ୍ ଗ୍ରୁପ୍‌କୁ ଉଦାହାରଣ ଭାବେ ନିଆଯାଇପାରେ ,ଯେଉଁଥିରେ ତାଙ୍କ କାର୍ଯ୍ୟକ୍ରମର ଫଟୋ ଛଡ଼ାଯାଉଛି। ଏସବୁ ଗ୍ରୁପ୍‌ରେ ତାଙ୍କୁ ଜଣେ ରାଜନେତା ଭାବେ ଚିତ୍ରଣ କରାଯାଉଛି; ଯାହାକି କଣ୍ଡକ୍ଟ ନିୟମରେ ଅନୁମୋଦନ ଦିଆଯାଇନାହିଁ। ଏହାସହ ସେ ସର୍ବସାଧାରଣ ବୈଠକକୁ ଯିବା ସହିତ ତାଙ୍କୁ ମୁଖ୍ୟମନ୍ତ୍ରୀ ପଠେଇଥିବା ଦାବି କରୁଛନ୍ତି। କଣ୍ଡକ୍ଟ ନିୟମରେ କୌଣସି ସରକାରୀ କର୍ମଚାରୀ ସର୍ବସାଧାରଣ ବୈଠକରେ ଜଣେ ରାଜନୈତିକ ବ୍ୟକ୍ତିଙ୍କୁ ପ୍ରତିନିଧିତ୍ବ କରିପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି।
ଏସବୁ ଅଭିଯୋଗ ଅତି ଗୁରୁତର ଓ ଦେଶବ୍ୟାପୀ ସର୍ବଭାରତୀୟ ସେବାର ଅଧିକାରୀଙ୍କ ପାଇଁ ଏହା ଏକ ଖରାପ ଉଦାହରଣ ସୃଷ୍ଟି କରୁଛି। ଯେହେତୁ ସଂପୃକ୍ତ ଅଧିକାରୀ ଜଣକ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଭାବେ କାର୍ଯ୍ୟ କରୁଛନ୍ତି, ତେଣୁ ନିୟମର ଉଲ୍ଲଂଘନ କଲେ ବି ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଶା କମ୍। ତେଣୁ ମନ୍ତ୍ରଣାଳୟ ପକ୍ଷରୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର