ଏକାମ୍ର ପ୍ରକଳ୍ପ ଭୂମିପୂଜନ ଉତ୍ସବ: ଶିବ ସ୍ତୁତିରେ ତଲ୍ଲୀନ

ପୁରୁଣା ଭୁବନେଶ୍ବର: ସୁସଜ୍ଜିତ ଯଜ୍ଞ ମଣ୍ଡପରୁ ଭାସି ଆସୁଥିଲା ପଣ୍ଡିତଙ୍କ ସମୂହ ମନ୍ତ୍ରୋଚ୍ଚାରଣ। ଭଜନ ମଣ୍ଡପରେ ପ୍ରଖ୍ୟାତ କଣ୍ଠଶିଳ୍ପୀଙ୍କ ଶିବସ୍ତୁତି ଗାନ ମନରେ ସୃଷ୍ଟି କରୁଥିଲା ଆଧ୍ୟାତ୍ମିକ ଜାଗରଣ। ତା’ ସାଙ୍ଗକୁ ଲିଙ୍ଗରାଜ ମାର୍କେଟ୍‌ ପରିସରରେ ଶିବତାଣ୍ଡବ ନୃତ୍ୟ ଓ ଲାଇଟ୍‌ ସାଉଣ୍ଡ ସୋ’ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଖେଳାଇ ଦେଉଥିଲା। ଏକାମ୍ର ପ୍ରକଳ୍ପର ଭୂମିପୂଜନ ଅବସରରେ ପୂରା ଏକାମ୍ରକ୍ଷେତ୍ର ଯେମିତି ଶିବସ୍ତୁତିରେ ତଲ୍ଲୀନ ହୋଇ ଯାଇଥିଲା।

ସୋମବାର ମାଙ୍ଗଳିକ ଅଙ୍କୁରରୋପଣ ସରିବା ପରେ ଆଜି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଗଢ଼ା ହୋଇଥିବା ଯଜ୍ଞ ମଣ୍ଡପରେ ହରିହରାତ୍ମକ ଯଜ୍ଞ ଆରମ୍ଭ ହୋଇଛି। ଆଜି ଭୋର୍‌ ୪ଟାରୁ ବିନ୍ଦୁସାଗରରୁ କଳସ ଯାତ୍ରା ଓ ଗଙ୍ଗା ଆବାହନ କରାଯାଇଥିଲା। ପରେ ପରେ ଗୁରୁ ପୂଜନ, ପଞ୍ଚକର୍ମ, ସୂର୍ଯ୍ୟପୂଜା, ଗୋପୂଜା, ଧରିତ୍ରୀ ପୂଜା, ବାହ୍ୟଦ୍ୱାର ପୂଜା, ଦୀକ୍ଷା ଗ୍ରହଣ, ଶିଳା ପ୍ରବେଶ ଓ ମଣ୍ଡଳ ପୂଜା ସରିବା ପରେ ପ୍ରାୟ ୨ଟା ବେଳକୁ ଅଗ୍ନି ସ୍ଥାପନ (ହବନ) ଓ ଯଜ୍ଞ କର୍ମ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବେଦବାଚସ୍ପତି ବୀରେନ୍ଦ୍ର କିଶୋର ତ୍ରିପାଠୀଙ୍କ ସହ ୨୫ଜଣ ବ୍ରାହ୍ମଣ ଓ ବେଦପାଠୀମାନେ ଯଜ୍ଞ କରିଥିଲେ। ଆସନ୍ତାକାଲି ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଯଜ୍ଞ ପୂର୍ଣ୍ଣାହୁତି ହେବ। ଏଥିପାଇଁ ସକାଳ ୬ଟା ୩୦ ପରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଶାଳା ପୂଜା, ଅଗ୍ନିପୂଜା ଓ ବଦନ ପରେ ୯ଟା ୩୦ ବେଳକୁ ଶିଳା ଶିଶୋଧନ, ଶିଳା ପ୍ରତିଷ୍ଠା, ଗର୍ଭ ସଂସ୍କାର ଓ ଶିଳାନ୍ୟାସ କର୍ମ କରାଯିବ। ଦିନ ୧୦ଟାରୁ ୧୦ଟା ୫୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଯଜ୍ଞରେ ପୁଷ୍ପାଞ୍ଜଳି ଦେବା ସହ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ସାଢ଼େ ୧୧ଟାରେ ଭୂମିପୂଜନ ଯଜ୍ଞ ପୂର୍ଣ୍ଣାହୁତି ଦିଆଯିବ।

ସୋମବାର ଅପେକ୍ଷା ଆଜି ପାଗ ଭଲ ଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଯଜ୍ଞସ୍ଥଳକୁ ଧାଇଁ ଆସିଥିଲେ। ଭଜନ ମଣ୍ଡପଠାରୁ ଆରମ୍ଭ କରି ଲିଙ୍ଗରାଜ ମନ୍ଦିର ଓ ମାର୍କେଟ୍‌ ପରିସରରେ ଅପରାହ୍‌ଣରୁ ରାତି ୧୧ଟା ଯାଏ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଫଳରେ ଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ସମ୍ପୂର୍ଣ୍ଣ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଇଥିଲା।

ଦ୍ୱିତୀୟ ଦିନରେ ଶ୍ରଦ୍ଧାଳୁଙ୍କ ଭିଡ଼
ହରିହରାତ୍ମକ ଯଜ୍ଞ ଆରମ୍ଭ, ବୁଧବାର ପୂର୍ଣ୍ଣାହୁତି
ବୁଧବାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ବୁଧବାର ମୁଖ୍ୟମନ୍ତ୍ରୀ ଭୂମିପୂଜନ ସ୍ଥଳକୁ ଆସିବାର କାର୍ଯ୍ୟକ୍ରମ ଥିବାରୁ ଆଜି ରାତି ପ୍ରାୟ ୮ଟା ବେଳକୁ ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଯଜ୍ଞସ୍ଥଳ ପରିଦର୍ଶନ କରି ସୁରକ୍ଷା ଓ ଅନ୍ୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଶ୍ରୀ ପାଣ୍ଡିଆନ୍‌ ପ୍ରଥମେ ଯଜ୍ଞ ମଣ୍ଡପରେ ପୁଷ୍ପାଞ୍ଜଳି ଦେଇଥିଲେ। ପରେ ପରେ ଭଜନ ମଣ୍ଡପ, ପ୍ରଦର୍ଶନୀ ଘର ଓ ଲାଇଟ୍‌ ସାଉଣ୍ଡ ସୋ’ ଆଦି ବୁଲି ଦେଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ପୁଲିସ୍‌ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ଉତ୍ସବ ବୁଲି ଦେଖିଥିଲେ।

ମଙ୍ଗଳବାର ସଂଧ୍ୟାରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ, କଂଗ୍ରେସ ମୁଖପାତ୍ର ରଶ୍ମି ମହାପାତ୍ର, ଭୁ‌ବନେଶ୍ବର ଜିଲ୍ଲା ସଭାପତି ବିଶ୍ବଜିତ୍‌ ଦାସ, ଶିବାନନ୍ଦ ରାୟ ପ୍ରମୁଖ ଯଜ୍ଞ ସ୍ଥଳକୁ ଆସିଥିଲେ। ଶ୍ରୀ ପଟ୍ଟନାୟକ ଯଜ୍ଞ କରୁଥିବା ପଣ୍ଡିତମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।

ମନ ଜିଣିଲେ ଅଭିଜିତ୍‌, ଉପାସନା, ନୀଳାଦ୍ରି ଓ ମହାଲକ୍ଷ୍ମୀ, ବୁଧବାର ଗାଇବେ ଏ. ହରିହରନ୍‌

ସନ୍ଧ୍ୟାରେ ଲିଙ୍ଗରାଜ ମନ୍ଦିର ଦେବୀପାଦହରା ନିକଟରେ ଥିବା ଭଜନ ମଣ୍ଡପରେ ପ୍ରଖ୍ୟାତ କଣ୍ଠଶିଳ୍ପୀଙ୍କ ଶିବ ଭଜନ ଓ ଶିବସ୍ତୁତି ଗାନ ଥିଲା ଆଜିର ଅନ୍ୟତମ ମୁଖ୍ୟ ଆକର୍ଷଣ। ଏହି ଉତ୍ସାହପୂର୍ଣ୍ଣ ଭଜନ ସମାରୋହରେ ପ୍ରଥମେ କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ଶାସ୍ତ୍ରୀୟ ସଂଗୀତ ପୃଷ୍ଠଭୂମି ଉପରେ ଶିବସ୍ତୁତି ଗାନ କରିଥିଲେ। ପରେ ପରେ ଉପସାନା ସାହୁ ମଧ୍ୟ ଶିବ ଭଜନରେ ମନ ମୋହିଥିଲେ। ଏହାପରେ ଚମତ୍କାର ସୀତାର ବାଦନ ସହ ପଣ୍ଡିତ ନୀଳାଦ୍ରି କୁମାର ଭକ୍ତି ସଂଗୀତର ଧୁନ୍‌ ତୋଳିଥିଲେ। ଶେଷରେ ପ୍ରଖ୍ୟାତ ଗାୟିକା ମହାଲକ୍ଷ୍ମୀ ଆୟର ଓ ସାଥୀ ଶିବ ସଂଗୀତ ଗାଇ ଦର୍ଶକଙ୍କୁ ଶିବ ରସରେ ଭିଜେଇଥିଲେ। ‘ଜୟ ଶିବ ଶଙ୍କର’, ‘ଶୁଭ ଶୁଭ ହେ ଶିବ୍‌ କା ନାମ୍‌’, ‘ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌’ ଭଳି ‌ଲୋକପ୍ରିୟ ଶିବ ଭଜନ ଉପସ୍ଥିତ ଦର୍ଶକଙ୍କୁ ଶିବ ମନସ୍ତ କରିଥିଲା। ତେବେ ଆସନ୍ତାକାଲି ସଂଧ୍ୟାରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଏ. ହରିହରନ୍‌ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିବେ।

 

ସମ୍ବନ୍ଧିତ ଖବର