ଚ୍ୟାଉଙ୍କୁ ଥଇଥାନ, ପାଟ୍ଟଶାଣୀଙ୍କୁ ପ୍ରତ୍ୟାଖ୍ୟାନ

ଓଡ଼ିଶା ନିର୍ମାଣ ବୋର୍ଡର ଅଧ୍ୟକ୍ଷ ହେଲେ ରମେଶ, ‘ବିଜୁ ବାବୁ ଉପରେ ଅଛନ୍ତି ଦେଖୁଥିବେ’

ଭୁବନେଶ୍ବର : ପ୍ରାର୍ଥୀ ଘୋଷଣା ପରେ ରାଜ୍ୟସଭା ଯିବାକୁ ଗୋଡ଼ ଟେକି ବସିଥିବା ଦୁଇ ଟାଣୁଆ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କୁ ନିରାଶ ହେବାକୁ ପଡିଛି। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀ ଚ୍ୟାଉ ପଟ୍ଟନାୟକଙ୍କୁ ଓଡ଼ିଶା ନିର୍ମାଣ ବୋର୍ଡ଼ର ଅଧ୍ୟକ୍ଷ ଦାୟିତ୍ୱରେ ଅବସ୍ଥାପିତ କରିଛନ୍ତି। ଏଥିସହିତ ତାଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯାଇଛି। ଯେତେବେଳେ ଗଣମାଧ୍ୟମ ଶ୍ରୀ ଚ୍ୟାଉ ପଟ୍ଟନାୟକଙ୍କୁ ସାମ୍ନା କରୁଥିଲା, ସେତେବେଳେ ସେ ସକାରାତ୍ମକ ପ୍ରତିକ୍ରିୟା ରଖି ଆସୁଥିଲେ। ଆଜି ତାଙ୍କୁ ମୂଲ୍ୟ ମିଳିଛି। ନବୀନ ତାଙ୍କୁ ଥଇଥାନ କରିବା ଲାଗି ଆଗ୍ରହ ଦେଖାଇଛନ୍ତି।

ଅନ୍ୟପକ୍ଷରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଜବରଦସ୍ତ ଧକ୍କା ଲାଗିଛି। ପୂର୍ବରୁ ତାଙ୍କୁ ନବୀନ ଲୋକସଭା ଟିକେଟ୍ ଦେଇନଥିଲେ। ଏବେ ଆଶା ଦେଖାଇ ବି ରାଜ୍ୟସଭା ଟିକେଟ୍ ଦେଲେ ନାହିଁ। ଏପରିକି ପାଟ୍ଟଶାଣୀଙ୍କୁ ଥଇଥାନ କରିବା ଲାଗି ବି ବିଜେଡି ମୁଖ୍ୟ ଆଗ୍ରହ ଦେଖାଇନାହାନ୍ତି।

ରାଜନୈତିକ ମହଲର କହିବା କଥା େହଉଛି, କିଛି ଦିନ ପୂର୍ବରୁ ସେ ଦେଇଥିବା ବୟାନ୍ ତାଙ୍କୁ ଅଡ଼ୁଆରେ ପକାଇଲା। ସେ ଟିକେଟ ଆଶାୟୀ ଅଛନ୍ତି କି ବୋଲି ସାମ୍ବାଦିକମାନେ ଯେତେବେଳେ ପ୍ରଶ୍ନ କରିଥିଲେ, ଭଗବାନ ଓ ସଇତାନର ଉପାଖ୍ୟାନ ରଖି ଚର୍ଚ୍ଚାର ପରିଧିକୁ ଆସିଥିଲେ ପାଟ୍ଟଶାଣୀ। ସେ କହିଥିଲେ ଯେ ଦେଲେ ଭଗବାନ, ନ ଦେଲେ ସଇତାନ। ଏହା ହିଁ ତାଙ୍କ ରାସ୍ତାରେ ବଡ଼ ବାଧକ ସାଜିଛି।

ତେବେ ଶ୍ରୀ ପାଟ୍ଟଶାଣୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଦଳରେ ବହୁ ଦିନ ରହି କାମ କରିଛି। ମୋର କିଛି ବି ତ୍ରୁଟି ନାହିଁ। ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି। ଏବେ ଯାହା କରିଛନ୍ତି ମୁଁ ସ୍ବୀକାର କରୁଛି। ସେ କାହା କଥା ଦ୍ବାରା ପ୍ରଭାବିତ ହୁଅନ୍ତି ନାହିଁ। ମୁଁ ଦଳର ଲୋକ, ଦଳରେ ଅଛି, ଦଳ ପାଇଁ କାମ କରିବି। ଲୋକମାନେ ମୋତେ ଭଲ ପାଆନ୍ତି, ସେମାନଙ୍କୁ ବାଧୁଛି। ହଠାତ୍ ନିଷ୍ପତ୍ତି ନେଇ ଦଳ ବିରୋଧରେ କହିବାରେ ମୁଁ ବିଶ୍ବାସ କରେ ନାହିଁ। ରାଜନୈତିକ କ୍ୟାରିଅର କେବେ ଶେଷ ହୁଏନାହିଁ। ମୁଁ ବହୁତ ଖଟେ। ଦଳ ମୋତେ କଣ ଦେଇଛି? ନଦେଉ, ବିଜୁ ବାବୁ ଉପରେ ଅଛନ୍ତି, ଦେଖୁଛନ୍ତି। ଲୋକସେବା କରିବା ପାଇଁ କ୍ଷମତା ଦରକାର ନାହିଁ। ଖାଲି ଟିକିଏ ଦୁଃଖ ଲାଗୁଛି। ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, କରନ୍ତି। ଏଥର କାହିଁକି ଏମିତି କଲେ? ହୁଏତ କିଛି ଭଲ ପାଇଁ ଚିନ୍ତା କରିଥିବେ। ଦୁଃଖ ତ ଅଛି। କିନ୍ତୁ ବ୍ୟକ୍ତ କଲେ କିଏ ତାହାକୁ ନେଇଯିବ କି?

ଏହାସହିତ ଶ୍ରୀ ପାଟ୍ଟଶାଣୀ ପରୋକ୍ଷ ଧମକ ବି ଦେଇଛନ୍ତି। କହିଛନ୍ତି ଯେ ନିର୍ବାଚନ ବେଳେ କେତେକ ନେତା ଟିକେଟ ନପାଇ ଦଳ ଛାଡ଼ିଲେ। ମୋତେ ଅନ୍ୟ ଦଳରୁ ପ୍ରସ୍ତାବ ଥିଲେ ମଧ୍ୟ ମୁଁ ଦଳ ଛାଡିନଥିଲି। ଦଳରେ ରହି ଦଳ ବିରୋଧୀ କଥା କହିବାରେ ମୁଁ ବିଶ୍ବାସ କରେନି। କିନ୍ତୁ ବହୁତ ଲୋକ ମୋତେ ଈର୍ଷା କରୁଥିଲେ। ହେଲେ କିଏ ତାଙ୍କୁ ଈର୍ଷା କରୁଥିଲା ସେ କଥା ସେ କହିନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଶନିବାର ପ୍ରାର୍ଥୀ ଘୋଷଣା ହୋଇଛି । ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ରାଜ୍ୟସଭା ନିର୍ବାଚନ ହେବ। ବିଜ୍ଞପ୍ତି ପ୍ରକଶ ପାଇବା ପରେ ୧୩ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ। ଓଡ଼ିଶାର ୪ଟି ରାଜ୍ୟସଭା ଆସନ ସମେତ ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ।

ସମ୍ବନ୍ଧିତ ଖବର