ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

୪ଶହ ଏସ୍‌ଏଚ୍‌ଜି ଦିନକୁ ପ୍ରସ୍ତୁତ କରୁଛନ୍ତି ୫୦ହଜାର ମାସ୍କ
ଯୋଗାଣ ଓ ପରିବହନ ଉପରେ ସତର୍କ ଦୃଷ୍ଟି ରଖିଛି ଉଚ୍ଚସ୍ତରୀୟ ଟିମ୍
ଅତ୍ୟାବଶ୍ୟକ ପରିବହନ ଯାନବାହନ କଟକଣାମୁକ୍ତ
କୋଭିଡ-୧୯ ନିୟମ ଉଲ୍ଲଂଘନ ନେଇ ୨୪ଘଣ୍ଟାରେ ୨୧୯ ମାମଲା
ଚତୁର୍ଥ ପଜିଟିଭଙ୍କ ସଂସ୍ପର୍ଶ‌ରେ ଆସିଛନ୍ତି ୭ଜଣ

ଭୁବନେଶ୍ବର : କରୋନା (କୋଭିଡ-୧୯) ସଂକ୍ରମଣ ସମୟରେ ରାଜ୍ୟର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସହଯୋଗର ହାତ ବଢ଼ାଇଛନ୍ତି। ରାଜ୍ୟର ପ୍ରାୟ ୪ଶହ ଏସ୍‌ଏଚ୍‌ଜି ଦିନକୁ ୫୦ହଜାର ମାସ୍କ ପ୍ରସ୍ତୁତ କରୁଛନ୍ତି। ଏହାସହ ପ୍ରତି ଗ୍ରାମ ପଞ୍ଚାୟତରେ ରନ୍ଧାଖାଦ୍ୟ ପ୍ରସ୍ତୁତି ପାଇଁ ଏସ୍‌ଏଚ୍‌ଜିମାନଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରାୟ ୫ଶହ ଏସ୍‌ଏଚ୍‌ଜି ଜିଲ୍ଲା ପ୍ରଶାସନର ସହଯୋଗରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୁଖିଲା ଖାଦ୍ୟ ସାମଗ୍ରୀ, ପନିପରିବା ଓ ଫଳ ବିକ୍ରି କରୁଛନ୍ତି। ବିପଦ ସମୟରେ ମିସନ ଶକ୍ତି ଅଧୀନରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ବୋଲି କହିଛନ୍ତି କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ, ଲକ୍ ଡାଉନ୍‌ ସମୟରେ ରାଜ୍ୟରେ ଯେପରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଅଭାବ ଦେଖାଯିବ ନାହିଁ ସେଥିପାଇଁ ଏକ ୭ଜଣିଆ ଉଚ୍ଚସ୍ତରୀୟ କମିଟି କାର୍ଯ୍ୟ କରୁଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପରିବହନ, ବାଣିଜ୍ୟ କର, ପୁଲିସ ଅତିରିକ୍ତ ମହାନିର୍ଦେଶକ ଓ ପଞ୍ଚାୟତିରାଜ ବିଭାଗର ଅଧିକାରୀ ଏହି କମିଟିରେ ରହିଛନ୍ତି। ଏହି କମିଟି ରାଜ୍ୟର ଗୋଦାମ ମାଲିକ, ବ୍ୟବସାୟୀ ସଂଘ, ଖୁଚୁରା ଦୋକାନୀ ଓ ପରିବହନ ସଂସ୍ଥାର ମାଲିକମାନଙ୍କ ସହିତ ସଂପର୍କ ରକ୍ଷା କରି ସାମଗ୍ରୀ ଯୋଗାଣ ଓ ପରିବହନ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି। ଜିଲ୍ଲାସ୍ତରରେ ମଧ୍ୟ ଏହି ବୈଠକ କରାଯାଉଛି। ଦୋକାନ ବଜାରରେ ସାମାଜିକ ଦୂରତ୍ବ ବଜାୟ ରଖିବା ଲାଗି ନିର୍ଦେଶ ଦିଆଯାଇଛି। ରାଜ୍ୟରେ ଅଟା, ଡାଲି, ଆଳୁ, ପିଆଜ ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥେଷ୍ଟ ପରିମାଣର ମଜହୁଦ ରହିଛି। ତେବେ କିଛି ଉପଭୋକ୍ତା ନିୟମିତ ବଜାରକୁ ଯାଉଥିବା ଦେଖିବାକୁ ମିଳୁଛି। ଏହାଦ୍ବାରା ସଂକ୍ରମଣର ଭୟ ରହିଛି। ତେଣୁ ଉପଭୋକ୍ତାମାନେ ନିୟମିତ ବଜାରକୁ ନ ଯାଇ ସପ୍ତାହରେ ୨ଥର ବଜାର ଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ଶ୍ରୀ ବାଗଚୀ କହିଥିଲେ ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୨୩ହଜାର ୧୩୩ ଜଣ ଅତିଥି ଶ୍ରମିକଙ୍କୁ ୩୩୬ଟି ଶିବିର ଜରିଆରେ ଖାଇବା ଓ ରହଣି ଯୋଗାଇ ଦିଆଯାଉଛି। ଆଜି ରାଜ୍ୟର ୪୫୬୩ ଗ୍ରାମ ପଞ୍ଚାୟତରେ ୨ଲକ୍ଷ ୪୩ ହଜାର ୩୩୭ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ୧୦୪ଟି ପୌରାଞ୍ଚଳରେ ୧୮ହଜାର ୪୪୫ ରନ୍ଧାଖାଦ୍ୟ ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୬୯ଟି ଆହାର କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଏଠାରେ ସମୁଦାୟ ୨୯ହଜାର ୧୪୧ଜଣ ଲୋକ ଉଭୟ ଦିନ ଓ ରାତିରେ ଖାଇବା ସୁବିଧା ପାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ସମସ୍ତ କାର୍ଡଧାରୀଙ୍କୁ ୧ହଜାର ଟଙ୍କା ଲେଖାଏ ନଗଦ ଅର୍ଥ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତ‌ରେ ୬୮୩୩ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଏଥିରେ ୧ଲକ୍ଷ ୪୯ ହଜାର ୬୫ଟି ଶଯ୍ୟାର ବ‌ନ୍ଦୋବସ୍ତ ରହିଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ କୋଭିଡ-୧୯ ନିୟମ ଓ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୧୯ଟି ମାମଲା ଦାୟର ହୋଇଛି। ସେଥିରୁ ୧୯୭ଟି ମାମଲା ଲକ୍‌ଡାଉନ୍‌ ସଂପର୍କିତ ହୋଇଥିବା ବେଳେ ୯ଟି ‌ଗୃହ ସଙ୍ଗ‌ରୋଧ ଉଲ୍ଲଂଘନ ଓ ୧୩ଟି କୋଭିଡ-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ଅନ୍ତର୍ଭୁକ୍ତ ରହିଛି। ରାଜ୍ୟରେ ଆଜି ଦିନ ୧୨ଟା ସୁଦ୍ଧା ୬୧୦ଟି ନମୁନା ପରୀକ୍ଷା ହୋଇଛି। ଗତକାଲି ଯେଉଁ ଚତୁର୍ଥ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ତାଙ୍କ ସଂସ୍ପର୍ଶରେ‌ ଆସିଥିବା ୭ଜଣଙ୍କୁ ଚିହ୍ନଟ କରାଯାଇଛି। ପ୍ରଥମ ୨ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ୫୫ଜଣ ବ୍ୟକ୍ତି ଯୋଗାଯୋଗରେ ରହିଥିବା ବେଳେ ତୃତୀୟ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ୧୧୨ଜଣଙ୍କୁ ଚିହ୍ନଟ କରାଯାଇଛି। ଆଜି ୮୮ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଚିକିତ୍ସାଳୟରେ ପୃଥକବାସରେ ରହିଛନ୍ତି। ୧୦୪ ସହାୟତା ନମ୍ବର ଓ ପୋର୍ଟାଲରେ ଆଜି ପର୍ଯ୍ୟନ୍ତ ୧୫୦୪୫ଜଣ ପଂଜୀକରଣ କରିଛନ୍ତି। ସେଥିରୁ ୪୩୩୨ଜଣ ବିଦେଶରୁ ଓ ୧୦ହଜାର ୭୧୩ଜଣ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସିଛନ୍ତି ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର