ଦିବାଲୋକରେ କଲେଜ ଛାତ୍ରଙ୍କୁ ଛୁରି ଭୁସିଦେଲେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ସଂଦେହ

ରାୟଗଡ଼ା: ରାୟଗଡ଼ା ସହରରେ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡା ହୋଇଛି। ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ୩ ଦ୍ବିତୀୟ ବର୍ଷ ଛାତ୍ର ପ୍ରମୋଦ କଲକାଙ୍କୁ ୩ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ପ୍ରମୋଦଙ୍କ ମୃତ୍ୟୁ ହୋଇଛି। ଖବର ପାଇ ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଅତିରିକ୍ତ ଏଡିପି ବିଷ୍ଣୁ ପ୍ରସାଦ ପାତ୍ର,ଏସଡିପିଓ ରଶ୍ମି ରଞ୍ଜନ ସେନାପତି, ରାୟଗଡା ଥାନା ଅଧିକାରୀ କେକେବିକେ କହଁରଙ୍କ ସମେତ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଆଜି ସକାଳ ସାଢେ ଦଶଟାରୁ ଏଗାରଟା ସମୟ ମଧ୍ୟରେ ପ୍ରମୋଦ ନିଜ ମାମୁଁଙ୍କ ଝିଅକୁ ସ୍ଥାନୀୟ ଗୌତମ ନଗରସ୍ଥିତ ମହିଳା ମହାବିଦ୍ୟାଳୟକୁ ଛାଡ଼ିବାକୁ ଯାଇଥିଲେ। ସେଠାରୁ ସେ ଫରୁଥିବା ବେଳେ ରାସ୍ତାରେ ପ୍ରମୋଦଙ୍କୁ ତିନିଜଣ ଦୁର୍ବୃତ୍ତ ଅଟକାଇଥିଲେ। ସେମାନେ ଧାରୁଆ ଅସ୍ତ୍ରରେ ପ୍ରମୋଦଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଜୀବନ ବିକଳରେ ପ୍ରମୋଦ ଚିତ୍କାର କରୁଥିଲେ ମଧ୍ୟ ଦୁର୍ବୃତ୍ତମାନେ କିଛି ଶୁଣି ନଥିଲେ। ଆକ୍ରମଣ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରମୋଦଙ୍କ ମୃତ୍ୟୁ ଘଟିଥିଲା।

ତେବେ ପ୍ରମୋଦକୁ କିଏ ଓ କାହିଁକି ହତ୍ୟା କରିଛି ତାହାର ପ୍ରକୃତ କାରଣ ଜଣାପଡ଼ି ନାହିଁ। କିନ୍ତୁ ୩ ଦିନ ତଳେ ପ୍ରମୋଦକୁ ଜୀବନରେ ମାରି ଦେବାର ଧମକ ମିଳିଥିଲା ବୋଲି ତାଙ୍କର ମାମୁଁ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ସୂଚନା ଦେଇଛନ୍ତି। ଧମକ ଦେଇଥିବା ବ୍ୟକ୍ତି ସମ୍ପର୍କରେ ଥାନାରେ ଏତଲା ଦେଇଥିବା ସେ କହିଛନ୍ତି। ତେବେ ତଦନ୍ତ ଚାଲିଥିବାରୁ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଦିନକୁଦିନ ରାୟଗଡା ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାକୁ ଲାଗିଲାଣି। ପ୍ରତିଦିନ ଚୋରି, ଡକାୟତି ସହ ଏବେ ଦିନ ଦ୍ବିପହରରେ ଜଣେ ଯୁବକକୁ ହତ୍ୟା କରିବା ଏକ ବଡ଼ ଘଟଣା ବୋଲି ସ୍ଥାନୀୟ ଅଂଚଳରେ ଆଲୋଚନା ଜୋର ଧରିଛି। ସହରରେ ଏବେ ଲୋକଙ୍କ ଜୀବନ ସୁରକ୍ଷିତ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ତେବେ କିଏ ଓ କାହିଁକି ପ୍ରମୋଦକୁ ହତ୍ୟା କଲା ଜଣାପଡିନଥିଲେ ମଧ୍ୟ ଏମିକି କଣ ପୂର୍ବରୁ ଘଟିଥିଲା ଯେ ଦୃର୍ବୃତ୍ତମାନେ ହତ୍ୟା କରିବାକୁ ପଛାଇଲେ ନାହିଁ। ତେବେ ଏହି ଘଟଣାକୁ ପୁଲିସ ଗୁରୁତ୍ବ ମନେ କରୁଛି। ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।

 

ସମ୍ବନ୍ଧିତ ଖବର