ବଢ଼ିଲା କରୋନା ସତର୍କତା : ଲୋକସେବା ଭବନ ଗ୍ରୁପ୍‌-ସି ଓ ଗ୍ରୁପ୍‌-ଡି କର୍ମଚାରୀଙ୍କୁ ୩୦ ଯାଏ ଛୁଟି

ଲୋକସେବା ଭବନ ଓ ଖାରବେଳ ଭବନ ପ୍ରବେଶ ଉପରେ କଟକଣା

କର୍ମଚାରୀମାନେ ଏହି ସମୟରେ ଘରେ ରହିବାକୁ କଡ଼ା ନିର୍ଦ୍ଦେଶ
ଅବମାନନା କଲେ ଦରମା କଟିବ
ସେମାନଙ୍କ ପାଇଁ ଲାଗୁ ହେବ ରୋଷ୍ଟର୍‌ ବ୍ୟବସ୍ଥା

ଭୁବନେଶ୍ବର : ଅଫିସ ଆସିବେନି ମୁଖ୍ୟ ଦପ୍ତରର ଗ୍ରୁପ୍‌-ସି ଓ ଗ୍ରୁପ୍‌-ଡି କର୍ମଚାରୀ। ଶୁକ୍ରବାରଠୁ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବେ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଏହି ଦିନମାନଙ୍କରେ କର୍ମଚାରୀମାନେ ବାହାରେ ନ ବୁଲି ଘରେ ରହିବେ। ଯଦି କୌଣସି କର୍ମଚାରୀ ବାହାରେ କିମ୍ବା ଏକାଠି ହେବା ନଜର ଆସନ୍ତି ତାହେଲେ ସେମାନଙ୍କୁ ଦିଆଯାଇଥିବା ଛୁଟି ପାଇଁ ଦରମା କାଟି ଦିଆଯିବ ବୋଲି ସରକାର କଡ଼ାକଡ଼ି ଜଣାଇଛନ୍ତି।

ଅନ୍ୟପଟେ ବିଭାଗୀୟ ମୁଖ୍ୟଙ୍କ ସମେତ ଗ୍ରୁପ୍‌-ଏ ଓ ଗ୍ରୁପ୍‌-ବି କର୍ମଚାରୀମାନେ ଦୈନିକ ଅଫିସ ଆସିବେ। ସେମାନଙ୍କ ପାଇଁ ବିଭାଗୀୟ ମୁଖ୍ୟମାନେ ରୋଷ୍ଟର୍‌ ବ୍ୟବସ୍ଥା କରିବେ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଭାଗୀୟ ମୁଖ୍ୟମାନେ ସର୍ବନିମ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଅଫିସ୍‌ କାମ ତୁଲାଇବେ। ଆବଶ୍ୟକ ପଡ଼ିଲେ ଆସନ୍ତା ଦିନରେ ଘରେ ରହି ଓସ୍‌ଵାସ୍‌ ଜରିଆରେ କାମ କରିବାକୁ ସେମାନଙ୍କୁ ଭିପିଏନ୍‌ ସୁବିଧା ଯୋଗାଇ ଦିଆଯିବ। ବିଭାଗୀୟ ନିର୍ଦ୍ଦେଶକ, ଜିଲ୍ଲାପାଳ, ଏସ୍‌ପି, ଜିଲ୍ଲାସ୍ତରୀୟ ମୁଖ୍ୟ ଓ କ୍ଷେତ୍ରୀୟ ଅଧିକାରୀମାନେ ସେମାନଙ୍କ ଅଫିସର ଦୈନଦିନ କାର୍ଯ୍ୟପାଇଁ ଅତିକମ୍‌ରେ କେତେ କର୍ମଚାରୀ ଆବଶ୍ୟକ ସେମାନଙ୍କ ପାଇଁ ଗୋଟିଏ ରୋଟେସନ୍‌ ଆଧାରରେ ରୋଷ୍ଟର୍‌ ବ୍ୟବସ୍ଥା ପ୍ରଚଳନ କରିବେ। ଏହି ସମୟରେ ଅଫିସ ଆସି କାମ କରୁଥିବା କର୍ମଚାରୀ ଓ ଅଧିକାରୀମାନଙ୍କ ସ୍ବଚ୍ଛତା ପାଇଁ ଅଫିସ ତରଫରୁ ସାବୁନ୍‌, ହ୍ୟାଣ୍ଡ୍‌ ସାନିଟାଇଜର୍‌ ଯୋଗାଇ ଦିଆଯିବ। ଅଫିସକୁ ସଫା ଓ ପରିଷ୍କାର କରୁଥିବା କର୍ମଚାରୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ବିଶୋଧନ ସାମଗ୍ରୀ ଓ ଆବଶ୍ୟକ ସାବୁନ୍‌, ସର୍ଫ ଯୋଗାଇ ଦିଆଯିବ। ଫଳରେ ଅଫିସ୍‌ ପରିସର ସଫା ରହିବା ସହ କୌଣସି ପ୍ରକାର ସଂକ୍ରମଣ ବ୍ୟାପିବାକୁ ଦିଆଯିବନି। ପୁଲିସ, ଅଗ୍ନିଶମ ବିଭାଗ କର୍ମଚାରୀ, ଜେଲ୍‌ ଅଧିକାରୀ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପୋଷାକ ଓ ଉପକରଣ ଅଫିସରେ ମହଜୁଦ ରଖାଯିବ। କୌଣସି ପରିସ୍ଥିତିରେ ଯଦି ଜଣେ ଅଫିସରେ କାର୍ଯ୍ୟରତ ଅଧିକାରୀ କିମ୍ବା କର୍ମଚାରୀ କରୋନା ସନ୍ଦିଗ୍ଧ ବୋଲି ଚିହ୍ନଟ ହୁଅନ୍ତି ତା ଅତ୍ୟାବଶ୍ୟକ ସେବା ଯୋଗାଇବାକୁ ଆସିଥିବା ଏହି କର୍ମଚାରୀଙ୍କୁ ଅବିଳମ୍ବେ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଇପାରିବ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଉଲ୍ଲେଖ ରହିଛି।

ଲୋକସେବା ଭବନ ଓ ଖାରବେଳ ଭବନ ପ୍ରବେଶ ଉପରେ କଟକଣା
ଭୁବେନଶ୍ବର : ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନ ଓ ଖାରବେଳ ଭବନକୁ ଆସିବା ଉପରେ କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୂରେଇବା ପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ଏପରି ନିର୍ଦ୍ଦେଶ ଦେଇଛନ୍ତି ସରକାର। ଆଜି ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ସମୟ ଭିତରେ ସରକାରୀ ଅଫିସକୁ ନ ଆସିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। କାରଣ ଏହି ସମୟରେ କାହାକୁ ଭିଜିଟର୍ ପାସ୍ ଦିଆଯିବ ନାହିଁ। ସେହିପରି ଅନ୍ୟ ସରକାରୀ ଦପ୍ତରକୁ ମଧ୍ୟ ଲୋକେ ନ ଯିବା ଭଲ ବୋଲି ଶ୍ରୀ ଚୋପ୍ରା କହିଛନ୍ତି।

ସମ୍ବନ୍ଧିତ ଖବର