ବଢ଼ିଲା କରୋନା ସତର୍କତା : ମଦ ଦୋକାନ ପାଇଁ ନିର୍ଦ୍ଦେଶାବଳୀ

ମଦ ଦୋକାନୀ ରଖିବେ ସାନିଟାଇଜର

ମଦ ଦୋକାନକୁ ମଦ କିଣିବା ଲାଗି ଆସୁଥିବା ଗ୍ରାହକ ଧାଡ଼ିରେ ଠିଆ ହେବେ।
ସେମାନଙ୍କ ଭିତରେ ୧ ମିଟର ବ୍ୟବଧାନ ରହିବ।
ସରକାରଙ୍କ ଦ୍ବାରା ଜାରି କରୋନା ସତର୍କତା ସୂଚନା ଫଳକ ମଦ ଦୋକାନ ଆଗରେ ଲଗାଯିବ।
ଦୋକାନରେ ଥିବା ସମସ୍ତ ମଦ ବୋତଲ ପରିଷ୍କାର ସ୍ଥାନରେ ଅଛି କି ନାହିଁ ତାକୁ ମଦ ଦୋକାନ ମାଲିକ ସୁନିଶ୍ଚିତ କରିବେ।
ଦୋକାନରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀ ଗ୍ରାହକଙ୍କୁ ମଦ ଦେବା ପୂର୍ବରୁ ଓ ପରେ ନିଜ ହାତକୁ ସାବୁନ୍‌ କିମ୍ବା ସାନିଟାଇଜର୍‌ରେ ଭଲ କରି ସଫା କରିବେ।

ମଦ ଦୋକାନୀ ରଖିବେ ସାନିଟାଇଜର
ଭୁବନେଶ୍ବର : କରୋନା ପାଇଁ ମଦ ଦୋକାନ ବନ୍ଦ କରିବା ପରିବର୍ତେ ରାଜ୍ୟ ସରକାର ଆଜି ସେମାନଙ୍କ ଲାଗି ଏକ ନିର୍ଦେଶାବଳୀ ଜାରି କରିଛନ୍ତି। ସମସ୍ତ ଦୋକାନୀ ସାନିଟାଇଜର ରଖିବା ସହ ନିଜକୁ ପରିଷ୍କାର ରଖିବା ପାଇଁ ନିର୍ଦ୍ଦେଶ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଆଜି ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖିବା ପରେ ମଦଦୋକାନୀଙ୍କୁ ଅବଗତ କରାଯାଇଛି। ଆଜି ସନ୍ଧ୍ୟାରେ ବରିଷ୍ଠ ଅବକାରୀ ଅଧିକାରୀମାନଙ୍କର ଏକ ବୈଠକ ବସିଥିଲା। ସେଲ୍ପସମ୍ୟାନ୍‌ ପରସ୍ପର ମଧ୍ୟରେ ୧ମିଟର ଦୂରତା ରଖିବେ। ଦୋକାନକୁ ବିଶୋଧକ ଦ୍ବାରା ସଫା କରିବା ସହ ସାମ୍ନା ଗ୍ରିଲ୍‌କୁ ବିଶୋଧିତ କରିବେ। ଯଦି କୌଣସି କର୍ମଚାରୀଙ୍କର ଥଣ୍ଡା, ଜ୍ବର, କାଶ ହେଉଥିବ ତେବେ ସେମାନଙ୍କୁ ଘରେ ରହିବାକୁ କହିବାକୁ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାହକଙ୍କ ସହ ହାତ ମିଳାଇବେ ନାହିଁ। ସାନିଟାଇଜର ଦ୍ବାରା ହାତ ଧୋଇବାକୁ ଦେବେ। ଟଙ୍କା ପଇସା କାରବାର କଲାବେଳେ ସତର୍କ ରହିବେ। ଦୋକାନରେ ଏକାଠି ଅଧିକ ଗ୍ରାହକଙ୍କୁ ଜମା ହେବାକୁ ଦେବେ ନାହିଁ। ଜଣକପରେ ଜଣେ ଗ୍ରାହକ ଯେଭଳି ମଦ ନେବାକୁ ଆସିବେ ତାହା ଦୋକାନୀ ନିଶ୍ଚିତ କରିବେ। ଏହି ସବୁ କାମ ହେଉଛି କି ନାହିଁ ସେ ନେଇ ଅବକାରୀ ଅଧିକାରୀମାନେ ନିଶ୍ଚିତ କରିବେ। ବିଭିନ୍ନ ଦୋକାନକୁ ସେମାନେ ଅଚାନକ ଗସ୍ତ କରିବେ। ଏହି ଉପଦେଶାବଳୀ ପାଳନ ହେଉନଥିଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି।

ପରିବେଶ ପର୍ଯ୍ୟଟନସ୍ଥଳୀ ୩୧ ଯାଏ ବନ୍ଦ
ଭୁବନେଶ୍ବର : କରୋନା ପରିସ୍ଥିତିର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା ପରିଚାଳିତ ରାଜ୍ୟର ସମସ୍ତ ପରିବେଶ ପର୍ଯ୍ୟଟନସ୍ଥଳୀର ରାତ୍ର ରହଣି ବ୍ୟବସ୍ଥାର ବୁକିଂ ମାର୍ଚ୍ଚ ୩୧ ତାରିଖ ଯାଏ ବାତିଲ କରିଦିଆଯାଇଛି। ପରିବେଶ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଦିନ ଭ୍ରମଣ ବ୍ୟବସ୍ଥାକୁ ମଧ୍ୟ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏହି ସମୟ ମଧ୍ୟରେ ବୁକିଂ କରିଥିବା ସମସ୍ତ ପର୍ଯ୍ୟଟକଙ୍କୁ ଶତ ପ୍ରତିଶତ ଅଗ୍ରିମ ଅର୍ଥ ଫେରସ୍ତ କରାଯିବ। ରାଜ୍ୟର ସମସ୍ତ ପ୍ରାଣୀ ଉଦ୍ୟାନ ଜନସାଧାରଣଙ୍କ ନିମନ୍ତେ ବନ୍ଦ ରହିବ। ଭୁବନେଶ୍ବରସ୍ଥିତ ଜୟଦେବ ବାଟିକାକୁ ମଧ୍ୟ ମାର୍ଚ୍ଚ ୩୧ ଯାଏ ଏବଂ ବଟାନିକାଲ୍‌ ଗାର୍ଡେନ୍ ପ୍ରତ୍ୟହ ଦିନ ଦୁଇଟା ପରେ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର