କରୋନା କଟକଣା ପାଇଁ ଅପେରା ବନ୍ଦ : କୋଟି କୋଟି ଟଙ୍କା କ୍ଷତି ସହିବେ ଯାତ୍ରାପାର୍ଟି
ଜଳେଶ୍ବର : କରୋନା କଟକଣା ଯୋଗୁ ଯାତ୍ରା ବନ୍ଦ। କରୋନା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ୧୫ ତାରିଖରୁ ଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ କଳାକାର, ଯାତ୍ରା ସହ ସମ୍ପୃକ୍ତ ମ୍ୟୁଜିସିଆନ୍ ତଥା ଅନ୍ୟ ଅପରେଟର୍ମାନଙ୍କୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ଛୁଟି ଦିଆଯାଇଛି। ଉତ୍ତର ବାଲେଶ୍ବରର ପ୍ରାୟ ୩୦ ଯାତ୍ରାପାର୍ଟି ମାଲିକ ଏବେ ଚିନ୍ତାରେ। ୧୫ଶହରୁ ଅଧିକ କଳାକାର ହାତ ବାନ୍ଧି ବସିଛନ୍ତି। ବେପାର ସିଜିନ୍ରେ ଯଦି ଏ କଟକଣା ଆହୁରି ଅଧିକ ଦିନ ଲାଗିରହେ ତେବେ କୋଟି କୋଟି ଟଙ୍କାର ଘାଟା ହେବ। ଉପାସରେ ରହିବା ଭଳି ସ୍ଥିତି ସୃଷ୍ଟି ହେବ ବୋଲି କହିଛନ୍ତି ଯାତ୍ରା ପାର୍ଟି ମାଲିକ।
Sambad is now on WhatsApp
Join and get latest news updates delivered to you via WhatsApp
ନାଚିନ୍ଦା ପଞ୍ଚାୟତ ବାଗ ଗ୍ରାମର ତାରିଣୀ ଗଣନାଟ୍ୟର ମାଲିକ ଲକ୍ଷ୍ମୀକାନ୍ତ ରାଉଳ। ତାରିଣୀ ଗଣନାଟ୍ୟ ସହ ରୟାଲ ଚ୍ୟାଲେଞ୍ଜ ଅପେରା ନାମରେ ଦୁଇଟି ଅନୁଷ୍ଠାନ ଅଛି। ଚଳିତ ବର୍ଷ ସେ ଯାତ୍ରା ପାର୍ଟି ପାଇଁ ପାଖାପାଖି କୋଟିଏ ଟଙ୍କା ଖର୍ଚ୍ଚ କରିଛନ୍ତି। ବିଶ୍ବକର୍ମା ପୂଜାରୁ ଯାତ୍ରା ଆରମ୍ଭ ହୋଇଥିଲା। ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ପୂରା ବୁକିଂ ଥିଲା। ଏଥିପାଇଁ ଆଡଭାନ୍ସ ବି ନେଇ ସାରିଛନ୍ତି। ଯାତ୍ରା ନ ହେଲେ ଟଙ୍କା ଫେରାଇବାକୁ ପଡ଼ିବ। ଟଙ୍କା ନ ଆସିଲେ ଚୁକ୍ତି କରିଥିବା କଳାକାରମାନଙ୍କୁ କେମିତି ଟଙ୍କା ଦେବେ ସେ ଚିନ୍ତାରେ ପଡ଼ିଯାଇଛନ୍ତି ଲକ୍ଷ୍ମୀକାନ୍ତ। ଖାଲି ମାଲିକ ନୁହନ୍ତି, ଦୁଇଟି ଯାତ୍ରା ପାର୍ଟିର ପ୍ରାୟ ୧୦୦ କଳାକାରମାନେ ବି ଚିନ୍ତାରେ। ସେହିପରି ଜଳେଶ୍ବର ବ୍ଲକ୍ ଅଧୀନସ୍ଥ ନିମପୁର ଗ୍ରାମର ମା ସର୍ବମଙ୍ଗଳା ଅପେରାର ମାଲିକ ରମେଶ ଚନ୍ଦ୍ର ଦାସ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗ୍ରାମାଞ୍ଚଳର କଳାକାରମାନଙ୍କୁ ନେଇ ଯାତ୍ରା ପାର୍ଟି ଆରମ୍ଭ କରିଥିଲେ। ଯାତ୍ରା ବନ୍ଦ ଥିବାରୁ ଯାତ୍ରା କିପରି ଟଙ୍କା କିପରି ଫେରି ପାଇବେ ଏବେ ତାକୁ ନେଇ ସେ ଚିନ୍ତାରେ ପଡ଼ିଛନ୍ତି।
କେବଳ ତାରିଣୀ, ରୟାଲ ଚାଲେଞ୍ଜ, ସର୍ବମଙ୍ଗଳା ନୁହେଁ ଉତ୍ତର ବାଲେଶ୍ଵରର ଦହମୁଣ୍ଡା ସ୍ଥିତ ତ୍ରିଦେବ ଅପେରା, ନନ୍ଦିକାର ନନ୍ଦିକେଶ୍ବର ଅପେରା, ସରସିଦାର ଆଦ୍ୟାଶକ୍ତି ଅପେରା, କାଶିଡ଼ିହାର ରାଧାରାଣୀ ଅପେରା, ସାତଶୁଳିଆର ମା ମଙ୍ଗଳା ପଲ୍ଲୀଶ୍ରୀ, ଓଁଶ୍ରୀ ଗଣନାଟ୍ୟ, ଜୟରାମପୁରର ଯାତ୍ରା ଚ୍ଲେଞ୍ଜ, ଶୁଭଲକ୍ଷ୍ମୀ ଅପେରା, କମର୍ଦ୍ଦାର ଦାରୁବ୍ରହ୍ମ, ପୁରୁଷୋତ୍ତମ ଅପେରା, ରାଜଘାଟର ଯାତ୍ରା ଖୁସି, ବାଟଗ୍ରାମର ବିଶ୍ବଲକ୍ଷ୍ମୀ, ସୁକଷଣ୍ଡାର ରାଜନନ୍ଦିନୀ ଅପେରା, ବାଲିଆପାଳର ଯାତ୍ରା ଅମୃତ ମହଲ, ଦୁବାଡ଼ିଆ ଅପେରା ଆଦିର ସମାନ ଅବସ୍ଥା।