ବିଗୁଡ଼ୁଛି ରାଜଧାନୀ, ନ ସୁଧୁରିଲେ କଠୋର ପଦକ୍ଷେପ

ଆଜିଠୁ କଣ୍ଟେନମେଣ୍ଟ ଜୋନ୍, ଦୈନିକ ସଂକ୍ରମଣ ହଜାରେ ଟପିଲା

ଭୁବନେଶ୍ବର : ରାଜଧାନୀରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସବୁ ରେକର୍ଡ ଭାଙ୍ଗିଛି। ଏମିତି ଯେ କରୋନା ହେବା ଦିନ ଠାରୁ ଓଡ଼ିଶାର କୌଣସି ସହରରେ ଏତେ ଆକ୍ରାନ୍ତ ଚିହ୍ନଟ ହୋଇନଥିଲେ। ବୁଧବାର ୧୦୪୪ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ସ୍ଥିତି ଯେ ଅତ୍ୟନ୍ତ ଉଦ୍‌ବେଗଜନକ ଏବଂ ଅଣାୟତ୍ତ ହେବାକୁ ବସିଲାଣି, ଏକଥା ସରକାର ହୃଦ୍‌ବୋଧ କରିଛନ୍ତି। ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଅପରାହ୍ନଠାରୁ ବିଭିନ୍ନ ହାଟ, ବଜାର ସିଲ୍‌ ଆରମ୍ଭ କରାଯାଇଛି। ଗୁରୁବାର ବିଭିନ୍ନ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବୁଧବାର ଦିନ ଯେଭଳି କୋଭିଡ଼୍ ସଂକ୍ରମିତଙ୍କ ସଂଖ୍ୟା ଆସିଛି, ଏହି ଧାରାରେ ଯଦି ଆସନ୍ତା ୪୮ କିମ୍ବା ୭୨ ଘଣ୍ଟା ମଧ୍ୟରେ କୌଣସି ପରିବର୍ତ୍ତନ ନ ହେବ, ତେବେ ସରକାର ବାଧ୍ୟ ହୋଇ କଠୋର ପଦକ୍ଷେପ ନେବା ସମ୍ଭାବନାକୁ ଏଡ଼ାଇ ଦେଇହେବନାହିଁ।

ସେପଟେ ରାଜଧାନୀରେ ଯେପରି ଆକ୍ରାନ୍ତଙ୍କ ସଂଖ୍ୟା‌ ଲମ୍ବା ଡିଆଁ ମାରୁଛି ତାହା ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଡରାଇ ଦେଇଛି। ଏବେଠାରୁ ଯଦି କରୋନା ସଂକ୍ରମିତଙ୍କ ସଂଖ୍ୟାରେ ରୋକ୍ ନ ଲଗାଯିବ ତେବେ ଆଗକୁ ହସ୍ପିଟାଲରେ ଶଯ୍ୟା ମି​ଳିନପାରେ। ଦିଲ୍ଲୀ, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, ଗୁଜରାଟ ଭଳି ପରିସ୍ଥିତି ହେବାକୁ ବେଶି ସମୟ ଲାଗିବ ନାହିଁ।

ଏଣୁ ଭୁବନେଶ୍ବରରେ ନିର୍ଦିଷ୍ଟ କି ପଦକ୍ଷେପ ନିଆଗଲେ, ସ୍ଥିତି ଆୟତ୍ତ ଭିତରକୁ ଆସିବ, ସେ ନେଇ ସରକାରୀସ୍ତରରେ ତନାଘନା ଆରମ୍ଭ ହୋଇଯାଇଛି। ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି ଯେ ଦୁଆର ଦୁଆର ବୁଲି ଟ୍ରେସିଂ ସହିତ ଅଧିକ ସଂକ୍ରମିତ ହେଉଥିବା ଅଞ୍ଚଳକୁ ନେଇ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ କରାଯିବା ଏବେ ଅପରିହାର୍ଯ୍ୟ। ସରକାର ଯଦି ଲକ୍‌ଡାଉନ୍ ଭଳି କଠୋର ପଦକ୍ଷେପ ନେବେ, ତେବେ ତାହା ଅର୍ଥନୀତିକୁ ଦୋହଲାଇ ଦେବ। ଏ କ୍ଷେତ୍ରରେ ଆସନ୍ତାକାଲି ସରକାର ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ ନେବେ ବୋଲି ସୂଚନା ମିଳିଛି।

ସ୍ମରଣଯୋଗ୍ୟ ଯେ ରାଜଧାନୀରେ ଗତ ସପ୍ତାହକ ମଧ୍ୟରେ ୫୨୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକାଂଶ ଗଳିକନ୍ଦିରେ କରୋନା ତାର ଉପସ୍ଥିତି ଜାହିର କଲାଣି। ଧୀରେ ଧୀରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ଗୋଟିଏ ସ୍ଥାନରେ ୩୦ରୁ ୪୦ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ଲୋକଙ୍କର ଲକ୍ଷଣ ଦେଖାଯାଉଥିଲେ ବି ତୁରନ୍ତ କୋଭିଡ୍‌ ପରୀକ୍ଷା କରୁନାହାନ୍ତି। ତେଣୁ ଯେଉଁଠି ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି ସେହି ଅଞ୍ଚଳଗୁଡ଼ିକୁ ତୁରନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବାକୁ ଜୋନାଲ ଡେପୁଟି କମିସନର ମାନଙ୍କୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ବହୁ ଆପାର୍ଟମେଣ୍ଟ, ସରକାରୀ ଓ ଘରୋଇ ଅଫିସ୍‌, ମାର୍କେଟ୍ କମ୍ପ୍ଲେକ୍ସ, କଲୋନିରେ ବହୁ ଆକ୍ରାନ୍ତ ଚିହ୍ନଟ ହେଲେଣି। ଯେଉଁଠି ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଗୁଡ଼ିକର ତାଲିକା ପ୍ରସ୍ତୁତ କରି ଗୁରୁବାର ଠାରୁ ଏହାକୁ କଣ୍ଟେନ‌ମେଣ୍ଟ ଜୋନ୍ ଘୋଷଣା କରିବାକୁ କୁହାଯାଇଛି। ଏଥିରେ ପଟିଆ, ଚନ୍ଦ୍ରଶେଖରପୁର, ଖଣ୍ଡଗିରି, ଆଇଗିଣିଆ, ଟଙ୍କପାଣି ରୋଡ୍‌, ପୁରୁଣା ଭୁବନେଶ୍ବର, ୟୁନିଟ-୬, ୟୁନିଟ-୩, ୟୁନିଟ-୮ ଅଞ୍ଚଳରେ ବିଭିନ୍ନ ଅଞ୍ଚଳକୁ ସିଲ୍‌ ବା କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବାକୁ ଯୋଜନା କରାଯାଇଛି।

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଭୁବନେଶ୍ୱରରେ ସଂକ୍ରମଣ ବଢିଚାଲିଛି, ହେଲେ ଲୋକ ସଚେତନ ହେଉନାହାନ୍ତି କି ନିୟମ ମାନୁନାହାନ୍ତି। ନାଇଟ୍ କର୍ଫ୍ୟୁ, ସପ୍ତାହାନ୍ତ ସଟ୍‌ଡାଉନ୍ ସତ୍ତ୍ବେ କିଛି ଅଞ୍ଚଳରେ ଖରାପ ସ୍ଥିତି ଅଛି। ଲୋକ ନିୟମ ମାନୁନାହାନ୍ତି। ମାସ୍କ ପିନ୍ଧୁନାହାନ୍ତି, ସାମାଜିକ ଦୂରତା ମାନୁନାହାନ୍ତି, ଠିକ୍ ସମୟରେ କୋଭିଡ୍‌ ପରୀକ୍ଷା କରୁନାହାନ୍ତି। ଲୋକଙ୍କୁ ଜ୍ବର ହେଉଛି, କିନ୍ତୁ କୋଭିଡ ପରୀକ୍ଷା କରୁନାହାନ୍ତି। ଲୋକଙ୍କ ମଧ୍ୟରେ ଅନୁଶାସନ ଦେଖାଯାଉନି। ଗତଥର ରାଜଧାନୀବାସୀ ଯେପରି ନିୟମ ମାନୁଥିଲେ ଏବର୍ଷ ସେଭଳି ମାନୁନାହାନ୍ତି। ଯେଉଁଥିପାଇଁ ସ୍ଥିତି ଖରାପ ହେଉଛି। ଏହାକୁ ନଜରରେ ବିଭିନ୍ନ ଅଞ୍ଚଳକୁ ସିଲ୍‌ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଗୁରୁବାର ଠାରୁ ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବୁ। ଏତିକିରେ ବି କରୋନା ନିୟନ୍ତ୍ରଣ ନହେଲେ ଆମେ ବାଧ୍ୟ ହୋଇ କଠୋର ପଦକ୍ଷେପ ନେବୁ।

ସମ୍ବନ୍ଧିତ ଖବର