ଓଡ଼ିଶାରେ କରୋନା : ୩ ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ

୨୪ ଘଣ୍ଟାରେ ୫୯ ପଜିଟିଭ୍, ୩ଶହର ନିକଟତର ହେଉଛି ଗଞ୍ଜାମ, ସୁସ୍ଥ ହେଲେ ଆଉ ୩୦

ଭୁବନେଶ୍ବର : କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ରାଜ୍ୟର ୩ଟି ଜିଲ୍ଲାରେ ଏବେ ଶହେରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ସଂକ୍ରମିତ ତାଲିକାରେ ଗଞ୍ଜାମ ଜିଲ୍ଲା ଆଗରେ ରହିଥିବା ବେଳେ ଏହା ପଛକୁ ଯାଜପୁର ଓ ବାଲେଶ୍ବର ଜିଲ୍ଲା ରହିଛନ୍ତି। ଗତ ୨୪ଘଣ୍ଟାରେ ରାଜ୍ୟରେ ଆଉ ୫୯ଜଣ ସଂକ୍ରମିତ ଚିହ୍ନଟ ହେବା କାରଣରୁ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୯ରେ ପହଞ୍ଚିଛି। ଅପରପକ୍ଷରେ ରାଜ୍ୟରେ ଆଜି ୩୦ଜଣ ସଂକ୍ରମିତ ସୁସ୍ଥ ହେବା ରାଜ୍ୟବାସୀଙ୍କୁ କିଛିମାତ୍ରାରେ ଆଶ୍ବସ୍ତି ଆଣି ଦେଇଛି।

ଆଜି ଚିହ୍ନଟ ୫୯ଜଣ ନୂତନ ସଂକ୍ରମିତଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ସର୍ବାଧିକ ୩୧ଜଣ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୧୩, କେନ୍ଦ୍ରାପଡ଼ା ୪, ପୁରୀ ୪, ଖୋର୍ଧା ୩, ନୟାଗଡ଼ ୨ ଓ ବଲାଙ୍ଗୀରରେ ୨ ଜଣ ରହିଛନ୍ତି। ଏଥିରୁ ସର୍ବାଧିକ ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବାବେଳେ ଅନ୍ୟମାନେ ପଶ୍ଚିମବଙ୍ଗ ଫେରନ୍ତା ଓ ଘରେ ସଙ୍ଗରୋଧରେ ଥାଇ ଚିହ୍ନଟ ହୋଇଛନ୍ତି। ଯାଜପୁରର ୩୧ଜଣଙ୍କ ମଧ୍ୟରୁ ୩୦ଜଣ ପଶ୍ଚିମବଙ୍ଗ ଓ ଜଣେ ଝାଡ଼ଖଣ୍ଡରୁ ଆସିଥିବା ବେଳେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାର ୧୨ଜଣ ସୁରତ ଫେରନ୍ତା ଓ ଜଣେ ଘରେ ସଙ୍ଗରୋଧରେ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ାର ୪ଜଣ ସୁରତ ଫେରନ୍ତା, ନୟାଗଡ଼ର ୨ ସୁରତ ଫେରନ୍ତା, ପୁରୀର ୪ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଖୋର୍ଧାର ୩ଜଣଙ୍କ ମଧ୍ୟରୁ ଜଣେ ଲେଖାଏଁ ପଶ୍ଚିମବଙ୍ଗ ଓ ସୁରତ ଫେରନ୍ତା ରହିଛନ୍ତି। ଅନ୍ୟ ଜଣେ ଘରେ ସଙ୍ଗରୋଧରେ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଜଣେ ୮ବର୍ଷର ଶିଶୁ ରହିଛନ୍ତି। ସୁରତ ଫେରନ୍ତା ଦାଦାଙ୍କ ସଂସ୍ପର୍ଶରେ ଆସି ଶିଶୁ ଜଣକ ସଂକ୍ରମିତ ହୋଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଆଜି ୧୩ ଜଣଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୭ରେ ପହଞ୍ଚିଛି। ଯାଜପୁର ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୨୧ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିପରି ବାଲେଶ୍ବର ଜିଲ୍ଳାରେ ୧୦୨, ଖୋର୍ଧା ୫୬, ଭଦ୍ରକ ୪୬, କେନ୍ଦ୍ରାପଡ଼ା ୨୬, ସୁନ୍ଦରଗଡ଼ ୨୬, ପୁରୀ ୧୮, ଅନୁଗୁଳ ୧୫, ମୟୂରଭଞ୍ଜ ୧୧, କଟକ ୧୦, ନୟାଗଡ଼ ୬, ଜଗତସିଂହପୁର ୫, ବଲାଙ୍ଗୀର, ବୌଦ୍ଧ ଓ କେନ୍ଦୁଝରରେ ୪ଜଣ ଲେଖାଏଁ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡିରେ ୨ଜଣ ଲେଖାଏଁ, ଢେଙ୍କାନାଳ ଓ କୋରାପୁଟରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ରାଜ୍ୟର ୪ଟି ଜିଲ୍ଲାରେ ଏବେ କୌଣସି ସକ୍ରିୟ କରୋନା ଆକ୍ରାନ୍ତ ନାହାନ୍ତି।

ରାଜ୍ୟରେ ଏ ପର୍ଯ୍ୟନ୍ତ ୮୬୧୪୦ କୋଭିଡ୍‌ ନମୁନା ପରୀକ୍ଷା ହୋଇଛି। ରାଜ୍ୟରେ ଆଜି ଆଉ ୩୦ଜଣ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୯୬ରେ ପହଞ୍ଚିଛି। ଏହାସହ ୫୩୮ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଏହାସହ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୭୧୮ଜଣ ହସ୍ପିଟାଲରେ ପୃଥକ୍‌ବାସରେ ରହିଛନ୍ତି।

ସମ୍ବନ୍ଧିତ ଖବର