ଭୁବନେଶ୍ୱର ବିମାନ ବନ୍ଦରରେ କରୋନାଭାଇରସ୍‌ ‘ସ୍କ୍ରିନିଙ୍ଗ୍‌’ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କରୋନାଭାଇରସ୍‌ ‘ସ୍କ୍ରିନିଙ୍ଗ୍‌’ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ଡାକ୍ତର ଓ କର୍ମଚାରୀମାନେ ସାମିଲ ହୋଇଛନ୍ତି।

ଏହାଛଡ଼ା କରୋନାଭାଇରସ୍‌ ସଂକ୍ରମଣର ମୁୁକାବିଲା ନିମନ୍ତେ ପ୍ରସ୍ତୁତି ପରିପ୍ରେକ୍ଷୀରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରିଛି।

ମାରାତ୍ମକ କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ସୋମବାର ସୁଦ୍ଧା ଚୀନ୍‌ରେ ୮୦ ଜଣ ପ୍ରାଣ ହରାଇଥିବା ଓ ୨୭୪୪ ଜଣ ରୋଗାକ୍ରାନ୍ତ ହୋଇଛନ୍ତି।

ଚୀନ୍‌ରୁ ଫେରିଥିବା ବିହାର ରାଜ୍ୟ ଅନ୍ତର୍ଗତ ଛାପ୍ରା ଅଞ୍ଚଳର ଜଣେ ଝିଅଠାରେ କରୋନାଭାଇରସ୍‌ ଲକ୍ଷଣ ଦେଖା ଦେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ମିଳିଛି।

ରବିବାର ସୁଦ୍ଧା ୧୩୭ ବିମାନର ୨୯, ୭୦୦ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଥିଲେ ବି କାହାରି ଠାରେ କରୋନାଭାଇରସ୍‌ ସଂକ୍ରମଣ ହୋଇଥିବା ଜଣାପଡ଼ିନାହିଁ ବୋଲି ରବିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।

ଚୀନ୍‌ରେ ବସବାସ କରୁଥିବା କୌଣସି ଭାରତୀୟ ଆଜିସୁଦ୍ଧା କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇନାହାନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତରଫରୁ କୁହାଯାଇଛି।

ସମ୍ବନ୍ଧିତ ଖବର