ମଧ୍ୟାହ୍ନ ଭୋଜନ ମହାଦୁର୍ନୀତି

ଦୁଇ ପ୍ରଧାନଶିକ୍ଷକ ସସ୍‌ପେଣ୍ଡ

ଯାଜପୁର: ମଧ୍ୟାହ୍ନ ଭୋଜନ କେଳେଙ୍କାରୀ ସଂପର୍କରେ ସମ୍ବାଦ ପକ୍ଷରୁ ବାରମ୍ବାର ତଥ୍ୟଭିତ୍ତିକ ଖବର ପ୍ରକାଶ କରିଚାଲିଥିବା ବେଳେ ଶିକ୍ଷା ବିଭାଗ ଅଧିକାରୀମାନଙ୍କର ଅଚାନକ ଚଢଉ କରି ଏହି କେଳେଙ୍କାରୀଙ୍କ ପର୍ଦ୍ଦାଫାସ କରିଛନ୍ତି। କୋରେଇ ନୋଡାଲ୍‌ ସ୍କୁଲରେ ଶହ ଶହ ପିଲାଙ୍କ ନାମରେ ପ୍ରତିଦିନ ମଧ୍ୟାହ୍ନ ଭୋଜନ ସାମଗ୍ରୀ ହଡ଼ପ କରୁଥିବା ଅଭିଯୋଗରେ ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ପାତ୍ରଙ୍କୁ ଆଜି ନିଲମ୍ବନ କରାଯାଇଛି। ସେହିପରି ଧର୍ମଶାଳା ବ୍ଲକ୍‌ ମାଣ୍ଡିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଂଜନ କର ମଧ୍ୟ ମଧ୍ୟାହ୍ନ ଭୋଜନ ଘୋଟାଲାରେ ନିଲମ୍ବିତ ହୋଇଛନ୍ତି।

ଗତ ୯ତାରିଖ କୋରେଇରେ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଭାଗ ନେଇ ଫେରୁଥିବା ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ଓ ସର୍ବ ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିଷ୍ଣଚରଣ ସୂତାର ମିଳିତ ଭାବେ କୋରେଇ ନୋଡାଲ୍‌ ସ୍କୁଲରେ ଚଢ଼ଉ କରିଥିଲେ। ଚଢ଼ଉ ଦିନ ମଧ୍ୟ ମାତ୍ର ୧୨୫ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିବା ବେଳେ ସଂପୃକ୍ତ ପ୍ରଧାନ ଶିକ୍ଷକ କାଗଜପତ୍ରରେ ୪୧୯ଜଣ ମଧ୍ୟାହ୍ନ ଭୋଜନ ଖାଇଛନ୍ତି ବୋଲି ଦର୍ଶାଇଥିଲେ। ଏଥିରୁ ପ୍ରଧାନଶିକ୍ଷକ ଶ୍ରୀ ବାରିକଙ୍କର ମଧ୍ୟାହ୍ନ ଭୋଜନ ଘୋଟାଲା ଧରାପଡ଼ିଯାଇଥିଲା। ମାତ୍ର ଏହି ସ୍କୁଲ୍‌ଟି ବିଇଓ ଅଫିସକୁ ଲାଗି ଗୋଟିଏ ପରିସରରେ ଥିବା ବେଳେ ବର୍ଷ ବର୍ଷ ଧରି କିପରି ଏହି ଘୋଟାଲା ଚାଲିଆସିଥିଲା? ଏଥି ନେଇ ସଂଦେହ ପ୍ରକାଶ ପାଇଛି। ସେହିପରି ଧର୍ମଶାଳା ବ୍ଲକ୍‌ର ମାଣ୍ଡିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ୧୪ରୁ ୧୮ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ୪୦ଜଣ ନାମରେ ମିଥ୍ୟା ଭାଉଚର କରି ହଜାର ହଜାର ଟଙ୍କାର ସାମଗ୍ରୀ ହଡ଼ପ କରୁଥିଲେ। ଚଢ଼ଉ ବେଳେ ଏହା ଧରାପଡ଼ିଛି।

ସମ୍ବନ୍ଧିତ ଖବର