ଗୁଣୁପୁରରୁ ନୂଆଦିଲ୍ଲୀ ଗଞ୍ଜେଇ ଚୋରାଚାଲାଣ : ବିହାରର ଦୁଇ ବେପାରି ଗିରଫ

୨୦ କେଜି ୬ ଶହ ଗ୍ରାମ ଜବତ

ରାଉରକେଲା: ନିୟମିତ ବ୍ୟବଧାନରେ ରାଉରକେଲା ଦେଇ ଟ୍ରେନ୍‌ରେ ଗଞ୍ଜେଇ ଚୋରାଚାଲାଣ ନିୟମିତ ହେଲାଣି। କୋରାପୁଟ, ସମ୍ବଲପୁର, ରେଢ଼ାଖୋଲ, ମାଲକାନଗିରି, ବଲାଙ୍ଗୀର ଅଞ୍ଚଳରୁ ବସ୍‌/ଟ୍ରେନ୍‌ରେ ରାଉରକେଲାକୁ ଗଞ୍ଜେଇ ଅଣାଯାଉଛି। ଏଠାରୁ ବିଭିନ୍ନ ଟ୍ରେନ୍‌ରେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟକୁ ଚାଲାଣ କରାଯାଉଛି। ସମାନ ଢ଼ଙ୍ଗରେ ନୂଆଦିଲ୍ଲୀକୁ ଗଞ୍ଜେଇ ଚାଲାଣ କରୁଥିବାବେଳେ ଆଜି ଅବକାରୀ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ବିହାର ବୈଶାଳୀ ଜିଲ୍ଲାର ଅଖୀଳେଶ କୁମାର(୩୭) ଓ ବୀରେନ୍ଦ୍ର ସାହାଣୀ(୩୫)। ସେମାନଙ୍କ ପାଖରୁ ୨୦ କେଜି ୬ ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।
ଆଜି ପୂର୍ବାହ୍ନରେ ଦୁଇ ଅଭିଯୁକ୍ତ ଗୁଣୁପୁର ଅଞ୍ଚଳରୁ ଗଞ୍ଜେଇ ଆଣି ଟ୍ରେନ୍‌ରେ ରାଉରକେଲାରେ ପହଞ୍ଚିଥିଲେ। ଅନ୍ୟ ଏକ ଟ୍ରେନ୍‌ରେ ନୂଆଦିଲ୍ଲୀକୁ ଚାଲାଣ କରିବାକୁ ରେଳ ଷ୍ଟେସନ ବାହାରେ ଜଗି ରହିଥିଲେ। ଏନେଇ ରାଉରକେଲା ଅବକାରୀ ପୁଲିସ ସୂଚନା ପାଇଥିଲା। ସୂଚନାକୁ ଭିତ୍ତିକରି ଅବକାରୀ ପୁଲିସ ସଦଳବଳ ଚଢ଼ଉକରି ରେଳ ଷ୍ଟେସନ ସମ୍ମୁଖରେ ଉଭୟଙ୍କୁ କାବୁ କରିନେଇଥିଲା। ଉଲ୍ଲେଖଯୋଗ୍ୟ, ଗତ ୨୫ ତାରିଖରେ ବଲାଙ୍ଗୀରରୁ ବିହାରକୁ ପ୍ରାୟ ସାଢ଼େ ୭ ଲକ୍ଷ ଟଙ୍କାର ୧୫ କେଜି ଗଞ୍ଜେଇ ଚାଲାଣ କରୁଥିବା ଅଭିଯୁକ୍ତ ବିହାର ପଶ୍ଚିମ ଚମ୍ପାରନର ପ୍ରଦୀପ ନିଶାଦ(୨୩)କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ବିଭାଗୀୟ କର୍ମଚାରୀ, ମୋବାଇଲ ସ୍କ୍ବାଡ୍‌ ସାମିଲ ଥିଲେ।
ଦେଢ଼ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ନେହେନାବନ୍ଧ ଗାଁରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରାଯାଉଥିବା ସୂଚନା ପାଇ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଅବକାରୀ ବିଭାଗ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ଦେଢ଼ କୁଇଣ୍ଟାଲ ଗଞ୍ଜେଇ ଜବତ ସହ ରାଜୁ ମାଝୀ ଓ ଚୂଡ଼ାମଣି ସାହୁ ନାମକ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସୂଚନା ଅନୁଯାୟୀ, ଅବକାରୀ ବିଭାଗ ପାଟଣାଗଡ଼-ଖପ୍ରାଖୋଲ ମୁଖ୍ୟ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ନେହେନାବନ୍ଧ ଗାଁରେ ବେଆଇନ ଭାବେ ଗଞ୍ଜେଇ ଗଚ୍ଛିତ ଥିବା ସୂଚନା ପାଇ ଚଢ଼ଉ କରିଥିଲା। ରାଜୁ ଘରୁ ୧ କ୍ବିଣ୍ଟାଲ ୨୦ କିଲୋ ଓ ଚୂଡ଼ାମଣି ଘରୁ ୩୦ କିଲୋ ଗଞ୍ଜେଇ ଜବତ କରିଥିଲା। ଚଢ଼ଉରେ ବଲାଙ୍ଗୀର ଓ ପାଟଣାଗଡ଼ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ।
ସମ୍ବନ୍ଧିତ ଖବର