ଆରଜେଡି ନେତାଙ୍କ ଲିପ୍‌ଷ୍ଟିକ୍‌ ଓ ବବ୍‌-କଟ୍‌ ବୟାନକୁ ନେଇ ବିଜେପିର ପ୍ରତିକ୍ରିୟା: କଂଗ୍ରେସ ଦଳ ମହିଳା ବିରୋଧୀ

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍‌ ନାଁରେ ଲିପ୍‌ଷ୍ଟିକ୍‌ ଲଗାଇଥିବା ଓ ବବ୍‌-କଟ୍‌ କେଶବିନ୍ୟାସ କରିଥିବା ମହିଳାମାନେ ଆଗେଇ ଆସିବେ ବୋଲି ବରିଷ୍ଠ ‘ଆର୍‌ଜେଡି’ ନେତା ଅବ୍ଦୁଲ୍‌ ବାରି ସିଦ୍ଦିକି କହିବା ପରେ ବିଜେପି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିହାରର ମୁଜାଫରପୁର ନଗରରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ସିଦ୍ଦିକି ଉପରୋକ୍ତ ଟିପ୍ପଣୀ ଦେଇ ପୁଣି ବିବାଦର ସୂତ୍ରପାତ କରିଛନ୍ତି।

ଏନେଇ ବିଜେପି ନେତା ଶେହଜାଦ ପୁନାୱାଲା କହିଛନ୍ତି ଯେ ଏହା କେବଳ ଆରଜେଡିର ବିବୃତି ବା ମତ ନୁହେଁ। ଆଜି ସମଗ୍ର ‘ଇଣ୍ଡିଆ’ ମେଣ୍ଟର ଏହା ହେଉଛି ମତ। ଯେତେବେଳେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମହିଳାଙ୍କ ସମ୍ମାନ ପାଇଁ ସାମ୍ବିଧାନିକ ଗ୍ୟାରେଣ୍ଟି ସହିତ ଏକ ବିଲ୍ ପାସ୍ କରୁଛୁ, ସେହି ସମୟରେ ‘ଇଣ୍ଡିଆ’ ମେଣ୍ଟ ଏହି ଦେଶର ୫୦ ପ୍ରତିଶତ ଜନସଂଖ୍ୟାକୁ ଅପମାନିତ କରୁଛି ଏବଂ ନିର୍ଯାତନା ଦେଉଛି। ‘ଇଣ୍ଡିଆ’ ମେଣ୍ଟର କୌଣସି ଦଳ କିମ୍ବା କଂଗ୍ରେସ ଦଳର କୌଣସି ନେତା ଏହି ବିବୃତିକୁ ନିନ୍ଦା କରିନାହାଁନ୍ତି, ଅର୍ଥାତ ସେମାନେ ଏଥିରେ ସହମତ ଅଟନ୍ତି।
ଶାହାଜାଦ ଆହୁରି ମଧ୍ୟ କହିଛନ୍ତି, ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଭୋଟ୍ ବ୍ୟାଙ୍କ ରାଜନୀତି ନାମରେ ଆମେ ସମାଜବାଦୀ ପାର୍ଟି (ଏସପି) ଏବଂ ଆରଜେଡି ଗୋଷ୍ଠୀ ମହିଳାଙ୍କ ଅଧିକାର ପାଇଁ ଆଣିଥିବା ସଂରକ୍ଷଣ ବିଲ୍ ର କପି ଚିରିଥିବାର ଦେଖିଛୁ। କଂଗ୍ରେସ ନିଜେ ମହିଳା ବିରୋଧୀ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ମାସ ସଂସଦର ବିଶେଷ ଅଧିବେଶନରେ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ସହିତ ଶୁକ୍ରବାର ଦିନ ଏହି ବିଲ୍‌ (ନାରୀ ଶକ୍ତି ବନ୍ଦନ ଅଧିନିୟମ) ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି।

 

ସମ୍ବନ୍ଧିତ ଖବର