ଏଥର ବନ୍ଦ ରହିବ ବାଲିଯାତ୍ରା!

ଦଶହରା ବି ଅନିଶ୍ଚିତ; ୪ ଜଣଙ୍କୁ ନେଇ କେବଳ ମାଟିଉଠା ଅନୁମତି

କଟକ : ଜାତୀୟ ମାନ୍ୟତା ପ୍ରାପ୍ତ କଟକର ଐତିହାସିକ ବାଲିଯାତ୍ରା ଚଳିତ ବର୍ଷ ହୁଏତ ଆୟୋଜନ ହେବ ନାହିଁ। ଚଳିତ ବର୍ଷ ନଭେମ୍ବର ୩୦ ତାରିଖରେ ବାଲିଯାତ୍ରା ଆରମ୍ଭ ଦିନ ରହିଛି। କିନ୍ତୁ କଟକରେ କରୋନା ସ୍ଥିତି ଯେଭଳି ରହିଛି, ସେଥିପାଇଁ ଚଳିତ ବର୍ଷ କୌଣସି ସାଧାରଣ ସମାବେଶକୁ ଅନୁମତି ଦିଆଯିବ ନାହିଁ ବୋଲି ଡିସିପି ପ୍ରତୀକ ସିଂହ ଆଜି ମତ ରଖିବା ପରେ ବାଲିଯାତ୍ରା ଆୟୋଜନକୁ ନେଇ ଏଭଳି ଆଶଙ୍କା ଦେଖା ଦେଇଛି। ଏ ନେଇ ପୁଲିସ ଓ ପ୍ରଶାସନ ତରଫରୁ କୌଣସି ସ୍ପଷ୍ଟ ସୂଚନା ନଥିଲେ ବି ଚଳିତବର୍ଷ କଟକରେ ପାର୍ବଣ ଆୟୋଜନକୁ ନେଇ ଅନିଶ୍ଚିତତା ବଢିବାରେ ଲାଗିଛି।

ଗଣେଶ ପୂଜାରୁ କାର୍ତ୍ତିକେଶ୍ବର ପୂଜା (ବାଲିଯାତ୍ରା) ଯାଏ କଟକରେ ପାର୍ବଣର ଋତୁ ଚାଲେ। ଚଳିତ ବର୍ଷ ସର୍ବସାଧାରଣରେ ଗଣେଶ ପୂଜା ଆୟୋଜନକୁ ପୁଲିସ ଗଲା ୧୯ ତାରିଖରେ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା। କେବଳ ଘରେ ମୂର୍ତ୍ତି ପୂଜାକୁ ଅନୁମତି ମିଳିଛି। ଗଣେଶ ପୂଜା ପରେ କଟକର ଗଣପର୍ବ ଦଶହରା ଆୟୋଜକୁ ନେଇ ଅନିଶ୍ଚିତତା ରହିଥିଲେ ବି ଜନ୍ମାଷ୍ଟମୀରୁ ଆରମ୍ଭ ହେଉଥିବା ମାଟି ଉଠା ପରଂପରା ପାଳନ କରିବାକୁ କମିସନରେଟ ପୁଲିସ ଅନୁମତି ଦେଇଛି। କିନ୍ତୁ ଗୋଟିଏ ମଣ୍ଡପରୁ ସର୍ବାଧିକ ୪ ଜଣ ମାଟି ଉଠାଣ କରିବାକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ମହାନଗର ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସହିତ କମିସନରେଟ୍ ପୁଲିସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନିଷ୍ପତ୍ତି ମୁତାବକ ପୂଜା କମିଟି ପକ୍ଷରୁ ଜଣେ ବ୍ରାହ୍ମଣ, ଜଣେ କର୍ତ୍ତା ଏବଂ ଦୁଇ ଜଣ ପୂଜା କମିଟି ସଦସ୍ୟ ଗୋଟିଏ ଅଟୋରେ ବିନା ପ୍ରସେସନରେ ନଦୀ ପଠାରୁ ମାଟି ଉଠାଣ କରିବେ। ଆସନ୍ତା ୧୧ ତାରିଖ ମଙ୍ଗଳବାରଠାରୁ ବିଧି ଅନୁଯାୟୀ ମାଟି ଉଠାଣ କାର୍ଯ୍ୟକ୍ରମ ୫ଟି ପର୍ଯ୍ୟାୟରେ ଆରମ୍ଭ ହେଉଥିବାରୁ କମିସନରେଟ୍ ପୁଲିସର ଏହି ନିଷ୍ପତ୍ତି କଡ଼ାକଡ଼ି ଭାବେ ପାଳନ କରିବାକୁ ପୂଜା କମିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୨୨ ତାରିଖରେ ଗଣେଶ ପୂଜା ପାଳତ ହେଉଥିବାରୁ ତା’ ପୂର୍ବରୁ କମିସନରେଟ୍ ପୁଲିସ ଆଉ ଏକ ବୈଠକ ଡାକିବାକୁ ଯୋଜନା କରୁଛି। ସେହି ବୈଠକରେ ଦୁର୍ଗା ମୂର୍ତ୍ତି ଗଢା ସଂପର୍କରେ ନିଷ୍ପତ୍ତି ନିଆଯିବ।

ଆଜିର ବୈଠକରେ ଡିସିପି ପ୍ରତୀକ ସିଂହଙ୍କ ସମେତ ପୂର୍ବାଞ୍ଚଳ ଶାନ୍ତି କମିଟିର ସଭାପତି ବିଜୟ କୁମାର ସାହୁ, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ସମ୍ପାଦକ ଭିକାରି ଦାସ, ନୂଆ ବଜାର ପୂଜା କମିଟି ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ କହିଛନ୍ତି ଯେ ମାଟି ଉଠାଣ ପାଇଁ ଏବେ ସବୁଜ ସଙ୍କେତ ମିଳିଥିବା ବେଳେ ପରବର୍ତ୍ତି ବୈଠକରେ ମୂର୍ତ୍ତି ଗଢ଼ଣ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ, ଏବେ ମାଟି ଉଠାଣ ପାଇଁ ଅନୁମତି ମିଳିବା ଅର୍ଥ ଦୁର୍ଗାପୂଜା ଆୟୋଜନର ଅନୁମତି ନୁହେଁ। ପରବର୍ତ୍ତି ବୈଠକରେ ଦୁର୍ଗାପୂଜା ଆୟୋଜନ ନେଇ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର