ପରିବେଶ ବିନିମୟରେ ବିକାଶ କ୍ଷଣସ୍ଥାୟୀ: ଅରବିନ୍ଦ

ସ୍ୱାଭିମାନ ଦିବସରେ ଆମ ଓଡ଼ିଶା ବକ୍ତୃତା ମାଳା

ଭୁବନେଶ୍ବର: ବିକାଶ କହିଲେ ଅର୍ଥନୈତିକ ଅଭିବୃଦ୍ଧି ବୋଲି ବୁଝାଯାଏ। ଏହି ଅଭିବୃଦ୍ଧି ମାପିଥାଏ ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ ବା ଜିଡିପି। ଯାହାକୁ ଅର୍ଥ ବିନିମୟରେ କିଣା ବିକା କରାଯାଏ ନାହିଁ, ତାହା ଜିଡିପିରେ ଗଣାଯାଇ ନଥାଏ। ମଣିଷ ବଞ୍ଚିବା ପାଇଁ ଅନେକ ଦ୍ରବ୍ୟ ଓ ସେବାର ଆବଶ୍ୟକତା ଥାଏ, ଯାହାକୁ ଅର୍ଥ ଦ୍ବାରା କିଣା ଯାଇପାରେ ନାହିଁ। ବାୟୁମଣ୍ଡଳରୁ ମିଳୁଥିବା ଅମ୍ଳଜାନ ହେଉ ବା କୂଅରୁ ଗରାରେ ଆସୁଥିବା ପାଣି ହେଉ; ଏଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େନାହିଁ। କିନ୍ତୁ ବଜାରରେ ମିଳୁଥିବା ବୋତଲ ପାଣି ଜିଡିପିରେ ହିସାବ ହୁଏ। ଏଣୁ ଅଥର୍ନୀତିର ଆକାର ଉପରେ ସାଧାରଣ ଲୋକଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ସମ୍ପୂର୍ଣ୍ଣ ନିଭର୍ରଶୀଳ ନୁହେଁ। ପ୍ରାକୃତିକ ପରିବେଶ ଓ ସମ୍ପଦର କ୍ଷୟରେ ଯେଉଁ ବିକାଶ ହୋଇଥାଏ ତାହା କ୍ଷଣସ୍ଥାୟୀ ବୋଲି କହିଛନ୍ତି ପୂର୍ବତନ ପ୍ରଶାସକ ତଥା ସାହିତ୍ୟକ ଡ. ଅରବିନ୍ଦ ବେହେରା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ସ୍ବାଭିମାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆମ ଓଡ଼ିଶା କାର୍ଯ୍ୟାଳୟ ପରିସରରେ ଆୟୋଜିତ ‘ଓଡ଼ିଶାର ବିକାଶ: ପରିବେଶ ଓ ପ୍ରାକୃତିକ ସମ୍ପଦ’ ଶୀର୍ଷକ ଆମ ଓଡ଼ିଶା ବକ୍ତୃତାମାଳାରେ ବକ୍ତୃତା ପ୍ରଦାନ କରିଥିଲେ ଶ୍ରୀ ବେହେରା। ସେ କହିଥିଲେ, ଅଥର୍ନୀତିଜ୍ଞ ପ୍ରଫେସର ପାର୍ଥ ଦାସଗୁପ୍ତାଙ୍କ ରିପୋର୍ଟ ‘ଜୈବ ବିବିଧତାର ଅଥର୍ନୀତି: ଦାସଗୁପ୍ତା ସମୀକ୍ଷା’ ମୁତାବକ, ୧୯୫୦ରୁ ଏପର୍ଯ୍ୟନ୍ତ ବିଶ୍ୱ ଅର୍ଥନୈତିକ ଉତ୍ପାଦନର ପରିମାଣ ୧୫ଗୁଣ ହୋଇଛି। କିନ୍ତୁ ବିଶ୍ୱ ଜୈବ ମଣ୍ଡଳ ଅସ୍ୱାଭାବିକ ଭାବରେ ସଂକୁଚିତ ହୋଇଛି। ହଜାର ହଜାର ବର୍ଷ ଧରି ଯେଉଁ ହାରରେ ଜୈବ ବିବିଧତା ହ୍ରାସ ପାଉଥିଲା ଏବେ ସେହି ହାର ୧୦୦ରୁ ୧୦୦୦ଗୁଣ ଅଧିକ ହୋଇଛି। ଜଗତୀକରଣ ପ୍ରକ୍ରିୟାରେ ଆନ୍ତର୍ଜାତିକ ବାଣିଜ୍ୟ ବହୁଗୁଣିତ ହୋଇଛି ସତ, କିନ୍ତୁ ଏହାଦ୍ୱାରା ଅପେକ୍ଷାକୃତ ଗରିବ ଦେଶଗୁଡ଼ିକର ପରିବେଶ ଯେପରି କ୍ଷତିଗ୍ରସ୍ତ ହୋଇଛି ତାହାକୁ ସରକାରୀ ହିସାବରେ ନିଆଯାଇ ନାହିଁ। ପ୍ରାକୃତିକ ସମ୍ପଦ ଉତ୍ତୋଳନ ଜନିତ ସାମାଜିକ କ୍ଷତିର ଆକଳନ ହୁଏ ନାହିଁ। ଉତ୍ପାଦିତ ପୁଞ୍ଜି, ମାନବ ପୁଞ୍ଜି, ପ୍ରାକୃତିକ ପୁଞ୍ଜିକୁ ବିଚାରକୁ ନେବା ପରେ ହିଁ ଏକ ଦେଶର ପ୍ରକୃତ ସ୍ଥାୟୀ ବିକାଶର ଦିଗ ଓ ଆକାର ନିର୍ଣ୍ଣୟ କରାଯାଇ ପାରିବ ବୋଲି ସେ କହିଛନ୍ତି।

ସ୍ୱାଭିମାନ ଦିବସରେ ଆମ ଓଡ଼ିଶା ବକ୍ତୃତା ମାଳା
୬୦ ପରର ଜୀବନ ହିଁ ଶ୍ରେଷ୍ଠ ସମ୍ପଦ: ସୌମ୍ୟରଞ୍ଜନ

ଶ୍ରୀ ବେହେରା କହିଥିଲେ, ୧୯୬୬ ମସିହା ନ’ଅଙ୍କ ଦୁର୍ଭିକ୍ଷ ଓ ୧୯୯୯ ମସିହାର ମହାବାତ୍ୟାର କିଛି ବର୍ଷ ପରେ ସ୍ବାଭାବିକତା ଫେରିଥିଲେ ମଧ୍ୟ ସରକାରୀ ପ୍ରସ୍ତୁତି ଓ ପରିଚାଳନା ଦୀର୍ଘସ୍ଥାୟୀ ନୁହେଁ। ଏଥିପାଇଁ ଉଚ୍ଚାକାଂକ୍ଷୀ ସ୍ବତନ୍ତ୍ର ଯୋଜନାର ଆବଶ୍ୟକତା ରହିଛି। ତା’ ସହିତ ଆବଶ୍ୟକ ନଥିବା ପ୍ରକଳ୍ପଗୁଡ଼ିକୁ ସ୍ଥଗିତ ରଖିବା ଜରୁରି ହୋଇଛି। ଓଡ଼ିଶା ଜଙ୍ଗଲ ସମୃଦ୍ଧ ଲାଗୁଥିଲେ ମଧ୍ୟ ଘନ ଜଙ୍ଗଲର ଆୟତନ ଭୌଗଳିକ ଆୟତନର ମାତ୍ର ୪.୪୮ ପ୍ରତିଶତ। ଏହା ପରିବେଶ ପାଇଁ ଶୁଭ ସଙ୍କେତ ନୁହେଁ। ନିକଟ ଅତୀତରେ ବାରିପଦା ଉତ୍ତପ୍ତ ସହର ଭାବରେ ତାଲିକାଭୁକ୍ତ ହୋଇଥିଲା। ଏହାର କାରଣ ହେଉଛି ଜଙ୍ଗଲ ଅବକ୍ଷୟ। ଜଙ୍ଗଲ ସୁରକ୍ଷା ପାଇଁ ଗୋଷ୍ଠୀ ଜଙ୍ଗଲ ପରିଚାଳନାକୁ ଓଡ଼ିଶାରେ ଏକ ଜନ ଆନ୍ଦୋଳନରେ ପରିଣତ କରାଯିବା ସହ ବନାଗ୍ନୀର ସଫଳ ମୁକାବିଲା ଆବଶ୍ୟକତା ଅଛି। ବେଆଇନ ଖଣି ଉତ୍ତୋଳନ ମଧ୍ୟ ପରିବେଶକୁ ଉଦ୍‌ବେଗଜନକ ଭାବରେ ପ୍ରଭାବିତ କରିଛି। ଭାଷା ଭିତ୍ତିରେ ଗଠିତ ଭାରତର ପ୍ରଥମ ରାଜ୍ୟ ଓଡ଼ିଶାକୁ ଏକ ସ୍ବାଭିମାନୀ ରାଜ୍ୟରେ ପରିଣତ କରିବା ମଧୁସୂଦନ ଦାସଙ୍କର ସ୍ବପ୍ନ ଥିଲା। ତୃଣମୂଳସ୍ତରରେ ଗଣତନ୍ତ୍ରର ଦୃଢ଼ୀକରଣ, ପ୍ରତ୍ୟେକ ଓଡ଼ିଆକୁ ଏକ ସୁସ୍ଥ, ସୁଖୀ, ଉଚ୍ଚାଭିଳାଷୀ ଓ ଆତ୍ମନିର୍ଭର ଜୀବନ ବଞ୍ଚିବା ପାଇଁ ଅନକୂଳ ପରିବେଶ ସୃଷ୍ଟି କରିପାରିଲେ ଏହି ସ୍ବାଭିମାନ ଦିବସ ପାଳନର ଯଥାର୍ଥ ହେବ ବୋଲି ସେ କହିଥିଲେ। ଏଥିରେ ସଭାପତିତ୍ବ କରିଥିଲେ ‘ଆମ ଓଡ଼ିଶା ଅଧ୍ୟକ୍ଷ’ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଥିଲେ, ୬୦ ବର୍ଷ ପରେ ସମସ୍ତେ ଜୀବନରୁ ଅବସର ନେଲେ ବୋଲି ଭାବୁଛନ୍ତି। କିନ୍ତୁ ଏହା ହିଁ ପ୍ରକୃଷ୍ଟ ସମୟ, ଆମ ସମୟର ଶ୍ରେଷ୍ଠ ସମ୍ପଦ। ସାରା ଜୀବନର ଅନୁଭୂତି ଆମର ପରପିଢ଼ିକୁ ଉଚିତ୍ ମାର୍ଗରେ ନେଇପାରିବ। ଏଣୁ ‘୬୦ ଛୁଇଁଲା, ନୂଆ ଜୀବନ ଆରମ୍ଭ ହେଲା’ ଏଭଳି ଏକ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ୍ ହେବେ। ବିଶ୍ବଗରୁ ଯିଏ ହେଉଛି ହେଉ, କିନ୍ତୁ ଆପଣମାନେ ସମସ୍ତେ ଜଣେ ଜଣେ ଗୁରୁ ହୋଇ ଉତ୍ତର ପିଢ଼ିକୁ ବାଟ କଢ଼ାଇ ନେବାକୁ ସେ ପରାମର୍ଶ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ, ମୁଁ ଦେଖୁଛି ୮୦ ଭାଗ ପରିବାରରେ ଚାକିରି କରିବା ପାଇଁ ପୁଅଝିଅମାନେ ବାହାରକୁ ଚାଲି ଯାଉଛନ୍ତି। ଅର୍ଥାତ୍ ଯୋଗ୍ୟମାନେ ବାହାରକୁ ଚାଲି ଯାଉଛନ୍ତି, ଓଡ଼ିଶାରେ ଅଧା ଯୋଗ୍ୟ, ଅଧା ଅଯୋଗ୍ୟ ରହିଯାଉଛନ୍ତି। ଓଡ଼ିଶାର ଦାୟିତ୍ବ କିଏ ନେବ? ’ ଏହି ଅବସରରେ ଗୋବର୍ଦ୍ଧନ ଦୋରାଙ୍କ ପୁସ୍ତକ ‘ତିନିମନ୍ଦିର ଓ ମହିମା ଧର୍ମ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଲେଖକଙ୍କୁ ୧୫ ହଜାର ଟଙ୍କାର ରୟାଲିଟି ଚେକ୍ ଅଗ୍ରୀମ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ବେହେରାଙ୍କୁ ‘ଆମ ଓଡ଼ିଶା’ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ‘ଆମ ଓଡ଼ିଶା’ ସମ୍ପାଦକ ଅରବିନ୍ଦ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର