ପୁରୀ ରେଳ ଷ୍ଟେସନ: ନିର୍ମାଣାଧୀନ ଛାତ ଭୁଶୁଡ଼ିଲା

ପୁରୀ: ଆଜି ପୂର୍ବାହ୍ନରେ ପୁରୀ ରେଳଷ୍ଟେସନର ଏକ ନିର୍ମାଣାଧୀନ ପୋର୍ଟିକୋ ଛାତ ଭୁଶୁଡ଼ି ପଡ଼ିଛି। ଏଥିରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୬ ଜଣ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଭୁବନେଶ୍ବରର ଏକ ଘରେଶଇ ହସ୍‌ପିଟାଲ ଓ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଘଣ୍ଟା ପ୍ରତି ୨୫୦ କିମି ବେଗର ପବନକୁ ପ୍ରତିହତ କରିବାର କ୍ଷମତାବିଶିଷ୍ଟ ପୁରୀ ରେଳ ଷ୍ଟେସନ୍‌ର ତିନି ମହଲା କୋଠା ନିର୍ମାଣ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟ ୨୦୨୫ ଜାନୁଆରିରେ ‌ଶେଷ ହେବ ‌ବୋଲି ଘୋଷଣା କରାଯାଇଥିବାବେଳେ ଏଥିପାଇଁ ୩୯୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଷ୍ଟେସନର ସମ୍ମୁଖ ଭାଗର ଡିଜାଇନ ଅନୁଯାୟୀ ତିନିଟି ପୋର୍ଟିକୋ ନିର୍ମାଣ ଯୋଜନା ଥିବାବେଳେ ସେଥିରୁ ଗୋଟିଏ ପୋର୍ଟିକୋ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିଲା। ଆଜି ପ୍ରାୟ ୩୫ ଫୁଟ ଚଉଡ଼ା ଓ ୨୦ ଫୁଟ ଲମ୍ବ ଦ୍ବିତୀୟ ପୋର୍ଟିକୋର ଛାତ ପଡ଼ୁଥିଲା।

ହସ୍ତଗତ ସୂଚନା ଅନୁସାରେ, ଏହିସମୟରେ ସେଣ୍ଟ୍ରିଂ ଭୁଶୁଡ଼ି ପଡ଼ିବା ଫଳରେ ପୋର୍ଟିକୋର ସମ୍ପୂର୍ଣ୍ଣ ଛାତ ସହ କଂକ୍ରିଟ୍‌ ଓ ଲୁହାଛଡ଼ ତଳକୁ ଖସିପଡ଼ିଥିଲା। ଏଥିରେ ୪ ଜଣ ଶ୍ରମିକ ଯଥା ବିଶୁ ମଣ୍ଡଳ(୩୩), ଶଙ୍କର ବେରା(୩୫), ଶମ୍ଭୁ ବେରା(୩୦) ଓ କୁନୁ ଗୌଡ଼(୩୨) ପ୍ରମୁଖ ଗୁରୁତର ଆହତ ହୋଇଥିଲେ। ତେବେ, ଭୁଶୁଡ଼ି ପଡ଼ିଥିବା ଲୁହା ଛଡ଼ ଓ କଂକ୍ରିଟ୍‌ ତଳେ କାଳେ କେହି ରହିଯାଇଥିବେ, ସେଥିପାଇଁ ସଙ୍ଗେ ସଙ୍ଗେ ଦମକଳ ବାହିନୀ, ଆର୍‌ପିଏଫ୍‌, ଜିଆର୍‌ପି ଓ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବି ଲଗାଇ ଖୋଜାଖୋଜି କରିଥିଲେ। ମାତ୍ର, ସିମେଣ୍ଟ ଗଦା ଭିତରେ କେହି ଶ୍ରମିକ ନଥିବା ଜଣାପଡ଼ିଥିଲା। ଏନେଇ ଜିଆର୍‌ପି ପୁଲିସ ପକ୍ଷରୁ ଏକ ମାମଲା ରୁଜୁକରି ଏହାର ତଦନ୍ତ ଆରମ୍ଭ କରାଯାଇଛି ବୋଲି ଏସ୍‌ଆର୍‌ପି ବି.ପି. ଦେହୁରୀ କହିଛନ୍ତି।

ସମ୍ବନ୍ଧିତ ଖବର