ଧାମନଗର ଉପନିର୍ବାଚନ: ପ୍ରଚାରରେ ସାମିଲ ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଧାମନଗରରେ ମାତୃଶକ୍ତି ଓ ଯୁବଶକ୍ତି ବିଜେପିକୁ ବିଜୟୀ କରିବ: ଧର୍ମେନ୍ଦ୍ର

ଭଦ୍ରକ/ଧାମନଗର/ଅସୁରାଳି/ତିହିଡ଼ି : ଧାମନଗରରେ ମାତୃଶକ୍ତି ଓ ଯୁବଶକ୍ତି ବିଜେପିକୁ ବିଜୟୀ କରିବ। ଏହି ଉପନିର୍ବାଚନରେ ଜନଆସ୍ଥା ଦ୍ୱାରା ବିଜେପିର ବଡ଼ ବିଜୟ ହେବ ବୋଲି ଶୁକ୍ରବାର ଦିନ ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ବର ଟୁଡୁ ଓ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର ଆଜି ପ୍ରଚାରକୁ ଓହ୍ଲାଇଥିଲେ। ଦଳର ଏହି ତିନି ଷ୍ଟାର ପ୍ରଚାରକ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଆୟୋଜିତ ରୋଡ୍‌ ସୋ, ବିଶାଳ ବାଇକ୍‌ ରାଲି, ପଦଯାତ୍ରା ଓ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଷେଣ୍ଢପୁରଠାରେ ପହଞ୍ଚିବା ପରେ ସେଠାରୁ ଦଳୀୟ ପ୍ରାର୍ଥୀ ସୂରଜଙ୍କୁ ସାଙ୍ଗରେ ନେଇ ଖଡ଼ିପଦା, ଦୋବଲ, ଧାମନଗର ଏନ୍ଏସି, ତାଳପଦା, ବନ୍ଧଟିଆ, ଅରୁଣବଜାର, କୋଠାର, ଅସୁରାଳି, ଉଚ୍ଚପଦା, ମଙ୍ଗଳପୁର, ସରପୁର, ଆନନ୍ଦବଜାର, ଲୁଣିଆ, କଟସାହି ପ୍ରଭୃତି ଅଞ୍ଚଳ ପରିକ୍ରମା କରିଥିଲେ। ଭାରତ ଛାଡ଼ ଆନ୍ଦୋଳନରେ ସଂଘଟିତ ଲୁଣିଆ ଗୁଳିକାଣ୍ଡର ସ୍ମାରକୀ ପୀଠ ସହିଦ୍‌ ସ୍ମୃତି ମଣ୍ଡପରେ ମାଲ୍ୟାର୍ପଣ କରି ଶ୍ରୀ ପ୍ରଧାନ ସହିଦ୍ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ସାରସକଣା ବିଧାୟକ ଡାକ୍ତର ବୁଢ଼ାନ୍‌ ମୁର୍ମୁ, ରାଇରଙ୍ଗପୁର ନବଚରଣ ମାଝୀ, ତେଜେଶ୍ୱର ପରିଡ଼ା, ସ୍ମୃତି ପଟ୍ଟନାୟକ, ସୁଷମା ବିଶ୍ବାଳ, ଅଶୋକ ପୁହାଣ, ଗୌତମ ରାୟ, ସାଧାରଣ ସମ୍ପାଦକ ଅଭିମନ୍ୟୁ ସେଠୀ, ବଦ୍ରିନାରାୟଣ ଧଳ, କାଳନ୍ଦୀ ପାତ୍ର, ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ ପ୍ରମୁଖ ସାମିଲ ହୋଇଥିଲେ।

ସେହିପରି ତିହିଡ଼ି ବ୍ଲକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଓ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଡ.ପାତ୍ର ପ୍ରଚାର କରି କର୍ମୀଙ୍କ ମନରେ ଜୋସ୍‌ ଭରିଥିଲେ। ଅଚକ ପଞ୍ଚାୟତର ନୃସିଂହନାଥ ମନ୍ଦିରରୁ ପୂଜାର୍ଚ୍ଚନା କରି ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ଦୁଇ ନେତା ବିଭିନ୍ନ ଗାଁ ପରିକ୍ରମା କରିଥିଲେ। ଦଳ ପକ୍ଷରୁ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ଡ.ପାତ୍ର କହିଥିଲେ, ଧାମନଗର ମାଟି ‌ହେଉଛି ସଂଗ୍ରାମ ଓ ସ୍ବାଭିମାନର ମାଟି। ଏହି ମାଟିର ଲଢୁଆ ପୁଅ ଦିବଂଗତ ନେତା ବିଷ୍ଣୁ ଭାଇଙ୍କ ଅବର୍ତ୍ତମାନରେ ତାଙ୍କ ପ୍ରତି ଲୋକଙ୍କ ଭଲ ପାଇବା ସୂର୍ଯ୍ୟବଂଶୀଙ୍କ ପାଇଁ ଅତୁଟ ରହୁ। ସେହିପରି ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ଟୁଡୁ ମଧ୍ୟ ସୂର୍ଯ୍ୟବଂଶୀଙ୍କ ଭଳି ଧାମନଗର ମାଟିର ଲଢ଼ୁଆ ପୁଅକୁ ବିଜୟୀ କରିବାକୁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର