୨ ଦିନ ପରେ ଅବସର ନେଇଥା’ନ୍ତେ, ମାଡ଼ିବସିଲା ଭିଜିଲାନ୍ସ

ଆରଡବ୍ଲୁଏସ୍‌ଏସ୍‌ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଗିରଫ

ଭୁବନେଶ୍ବର/ସମ୍ବଲପୁର : ରାଜଧାନୀରେ ରାଜଉଆସ ପରି ଘର। ସମ୍ବଲପୁର ଓ ରାଜ୍ୟର ଅନ୍ୟାନ୍ୟ ସ୍ଥାନ‌ରେ ଏକାଧିକ ପ୍ଲଟ୍‌ ଓ ପୁଳାପୁଳା ସୁନାଗହଣା। ବିଦେଶ ବଜାରରେ ପୁଞ୍ଜିନିବେଶ। ଜଣେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଏଭଳି ବାଟି ବାଟି ସଂପତ୍ତି ଦେଖି ଭିଜିଲାନ୍ସର ଆଖି ଖୋସି ହୋଇଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି। ସେ ହେଲେ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍‌ଡବ୍ଲୁଏସ୍‌ଏସ୍‌) ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ।

ଭିଜିଲାନ୍ସର ୬ଟି ଟିମ୍‌ ଏକକାଳୀନ ଖୋର୍ଦ୍ଧା, ଭୁବନେଶ୍ୱର, ସମ୍ବଲପୁର, ବରଗଡ଼ ଆଦି ୬ଟି ସ୍ଥାନରେ ଚଢ଼ଉ‌ କରି ତାଙ୍କ ନାମରେ ଥିବା କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି। ଏପର୍ଯ୍ୟନ୍ତ ଜବତ ସମ୍ପତ୍ତିର ମୂଲ୍ୟ ୮ କୋଟିରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ସବୁଠୁ ବଡ଼ କଥା ହେଲା, ଶ୍ରୀ ଦାସ ଆଉ ୨ ଦିନ ପରେ ଚାକିରିରୁ ଅବସର ନେଇଥାଆନ୍ତେ। କିନ୍ତୁ ଆଜି ଭିଜିଲାନ୍ସ ଚଢ଼ଉ ପରେ ଶ୍ରୀ ଦାସଙ୍କ ଅକଲଗୁଡୁମ୍‌ ହୋଇଯାଇଛି।

୬ଟି ସ୍ଥାନରେ ଚଢ଼ଉ, ୮ କୋଟିରୁ ଊର୍ଧ୍ବ ଟଙ୍କାର ସମ୍ପତ୍ତି ଠାବ
୩୮ଟି କ୍ରିପ୍ଟୋ କରେନ୍ସି କୋର୍ଡ ଜବତ

ସୂଚନା ମୁତାବକ, ପୂର୍ବରୁ ଶ୍ରୀ ଦାସଙ୍କ ବିରୋଧରେ ଭିଜିଲାନ୍ସ କୋର୍ଟରେ ୩୦ରୁ ଅଧିକ ପିଟିସନ୍‌ ଦାଖଲ ହୋଇଥିଲା। ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ସର୍ଚ୍ଚ ୱାରେଣ୍ଟ ଜାରି ପରେ ଆଜି ଅଚାନକ ଭିଜିଲାନ୍ସର ୬ଟି ଟିମ୍‌ ଭୁବନେଶ୍ବର ଅଫିସ୍‌ ସମେତ ଖୋର୍ଦ୍ଧା, ସମ୍ବଲପୁର, ବରଗଡ଼ ଆଦି ସ୍ଥାନରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଖାରବେଳ ନଗରର ଶ୍ରୀରାମ ମାନିସନ୍ ଫ୍ଲାଟ ନଂ -୨୦୧ର ଆବାସିକ ଘର ଠାବ କରାଯାଇଥିଲା, ଯାହାର ମୂଲ୍ୟ ପାଖାପାଖି କୋଟିଏ ଟଙ୍କା ହେବ। ସେହିପରି ସମ୍ବଲପୁରର ମୋଦୀପଡ଼ାଠାରେ ତିନିମହଲା ବିଶିଷ୍ଟ ପୈତୃକ ଘର (୬୦ଲକ୍ଷ) ଓ ୨କୋଟିରୁ ଊର୍ଧ୍ବ ଟଙ୍କାର ୮ଟି ପ୍ଲଟ। ଏହାବ୍ୟତୀତ ନଗଦ ଏକ ଲକ୍ଷ ୭ ହଜାର ଟଙ୍କା, ବହୁ ସୁନାଗହଣା, ଦୁଇଟି ଦାମୀ କାର୍‌, ବାଇକ୍‌, ୬୪ ଲକ୍ଷର ବ୍ୟାଙ୍କ ଜମା ଓ ଇନ୍‌ସ୍ୟୁରାନ୍ସ ବଣ୍ଡ୍‌ ଆଦି ଜବତ ହୋଇଛି। ଏହାଛଡ଼ା ୩୮ଟି କ୍ରିପ୍ଟୋ କରେନ୍ସି କୋଡ୍‌ ଜବତ ହୋଇଛି। ଏଥିରେ ଏବେ ସୁଦ୍ଧା ୨ କୋଟି ଟଙ୍କା ନିବେଶ କରାଯାଇଥିବା ଜଣାପଡ଼ିଛି। ଏହାର ଅଧିକ ଯାଞ୍ଚ ପାଇଁ ଭିଜିଲାନ୍ସର ଅର୍ଥ ବିଶେଷଜ୍ଞଙ୍କୁ ସମସ୍ତ କୋଡ୍‌ ଏବଂ କାଗଜପତ୍ର ପ୍ରଦାନ କରାଯାଇଛି। ଆଗକୁ ଆୟବହିର୍ଭୂତ ସମ୍ପତ୍ତି ବଢ଼ିବା ନେଇ ଅନୁମାନ କରାଯାଉଛି। ଭିଜିଲାନ୍ସର ଏହି ଚଢ଼ଉରେ ୫ଜଣ ଡିଏସ୍‌ପି, ୧୨ଇନ୍ସପେକ୍ଟର୍‌, ଜଣେ ସବ୍‌-ଇନ୍ସପେକ୍ଟର, ୧୧ଜଣ ଏସ୍‌ଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର