ମୁମ୍ବାଇରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକ: ଚୀନ୍‌-ପାକ୍‌ର ମୁଖା ଖୋଲିଲେ ଜୟଶଙ୍କର

୨୬/୧୧ ଅପରାଧୀ ଏବେ ବି ରାଜନୈତିକ ସୁରକ୍ଷା ପାଉଛନ୍ତି, ସୁରକ୍ଷା ପରିଷଦ କାମ କରୁନି

ମୁମ୍ବାଇ : ଜାତିସଂଘ ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧ କମିଟିର ସ୍ବତନ୍ତ୍ର ବୈଠକ ମୁମ୍ବାଇରେ ଆରମ୍ଭ ହୋଇଛି। ଶୁକ୍ରବାର ଦିନ ତାଜ୍‌ ହୋଟେଲରେ ହୋଇଥିବା ଏହି ବୈଠକରେ ୟୁଏନ୍‌ଏସ୍‌ସିର ୧୫ଟି ସଦସ୍ୟ ରାଷ୍ଟ୍ର ସାମିଲ ହୋଇଥିଲେ ଏବଂ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ନିର୍ମିତ ସ୍ମାରକ ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ବୈଠକରେ ଉଦ୍‌ଘାଟନୀ ଉଦ୍‌ବୋଧନ ଦେଇଥିଲେ।

ଜୟଶଙ୍କର କହିଥିଲେ ଯେ ଆତଙ୍କବାଦ ହେଉଛି ମାନବଜାତି ପାଇଁ ସବୁଠୁ ବଡ଼ ବିପଦ। ୨୬/୧୧ ଆକ୍ରମଣ କଥା ଉଠାଇ ଜୟଶଙ୍କର କହିଥିଲେ, ୨୬/୧୧ ଆକ୍ରମଣର ମୁଖ୍ୟ ଅପରାଧୀମାନେ ଏବେ ବି ରାଜନୈତିକ ସୁରକ୍ଷାରେ ରହିଛନ୍ତି। ଜାତିସଂଘର ତ୍ରୁଟିପୂର୍ଣ୍ଣ ନୀତି ଏବଂ ନିଷ୍କ୍ରିୟ ବ୍ୟବସ୍ଥାକୁ ମଧ୍ୟ ଜୟଶଙ୍କର ସମାଲୋଚନା କରିଥିଲେ। ଜାତିସଂଘ ସୁରକ୍ଷା ପରିଷଦ ଠିକ୍‌ ଦିଗରେ କାମ କରିବାରେ ବିଫଳ ହୋଇଛି ବୋଲି ସେ ମତ ରଖିଥିଲେ। ଚୀନ୍‌ ଓ ପାକିସ୍ତାନ ଆତଙ୍କବାଦୀଙ୍କୁ କିଭଳି ସୁରକ୍ଷା ଦେଉଛନ୍ତି ସେ ବାବଦରେ ବିସ୍ତୃତ ତଥ୍ୟ ରଖି ଜୟଶଙ୍କର ଏହି ଦୁଇ ରାଷ୍ଟ୍ରର ଅଡ଼ୁଆ ବଢ଼ାଇ ଦେଇଥିଲେ। ସେହିପରି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ପ୍ରସଙ୍ଗକୁ ମଧ୍ୟ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ଜୟଶଙ୍କର କହିଥିଲେ।

ବୈଠକରେ ଜୟଶଙ୍କର ପାକ୍‌ ଆତଙ୍କବାଦୀ ସାଜିଦ ମୀର୍‌ ଫୋନରେ ଆତଙ୍କବାଦୀଙ୍କୁ ଦେଉଥିବା ନିର୍ଦ୍ଦେଶର ଏକ ଅଡିଓ ରେକର୍ଡିଂ ଶୁଣାଇଥିଲେ। ଜାତିସଂଘର ଏହି ସ୍ବତନ୍ତ୍ର ଅଧିବେଶନରେ ୧୫ଟି ରାଷ୍ଟ୍ରର ରାଷ୍ଟ୍ରଦୂତ ଏବଂ ବରିଷ୍ଠ କୂଟନୀତିଜ୍ଞମା‌ନେ ଯୋଗ ଦେଇଛନ୍ତି। ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସଙ୍କ ଭିଡିଓ ବାର୍ତ୍ତା ବୈଠକରେ ପ୍ରସାରଣ କରାଯାଇଥିଲା। ୨୬/୧୧ ଆକ୍ରମଣରୁ ବର୍ତ୍ତି ଯାଇଥିବା କିଛି ବ୍ୟକ୍ତିଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଥିଲା।

ସମ୍ବନ୍ଧିତ ଖବର