ନବୀନଙ୍କ ଚିଠି ନେଇ ଆପତ୍ତି ଉଠାଇଲେ ଧର୍ମେନ୍ଦ୍ର

‘ପ୍ରକଳ୍ପ ପାଇଁ ‌ମୁଖ୍ୟମନ୍ତ୍ରୀ ଦେଉ ନାହାନ୍ତି ଜମି’, ଯେଉଁ ଜମି ପାଇଛ, ସେଥିରେ କଣ କରିଛ: ବିଜେଡିର ପ୍ରଶ୍ନ

ଭୁବନେଶ୍ବର : ମୟୂରଭଞ୍ଜ ଜିଲ୍ଲାରେ ରେଳ ପ୍ରକଳ୍ପ ନିର୍ମାଣ ସଂକ୍ରାନ୍ତରେ ଗତକାଲି ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏହାକୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଚିଠି ଲେଖିବାରେ ପାରଙ୍ଗମ। ଯେଉଁ ଦୁଇଟି ରେଳ ପ୍ରକଳ୍ପ  କଥା ସେ ଉଠାଇଛନ୍ତି, ସେହି ପ୍ରକଳ୍ପ  ପାଇଁ ବିଜେପି ଜିଲ୍ଲା ଶାଖା ପକ୍ଷରୁ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଦାବି କରାଯାଇଥିଲା। ପ୍ରକଳ୍ପକୁ ଭାରତ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି। ଏହି ରେଳ ପ୍ରକଳ୍ପ କଥା ଜାଣିବା ପରେ ମାଛ ତେଲରେ ମାଛ ଭାଜିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବରୁ ଯେଉଁ ପ୍ରକଳ୍ପ  ପାଇଁ ଜମି ଦେବା କଥା କହିଛନ୍ତି, ତାହା କାହିଁକି ଦେଇନାହାନ୍ତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ। ଏହାର ଅବ୍ୟବହିତ ପୂର୍ବରୁ ଶ୍ରୀ ପ୍ରଧାନ ଆଜି ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲା ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ସରକାରଙ୍କୁ ସମାଲୋଚନା କରି କହିଥିଲେ, ନୀରବ ମୋଦି ଓ ଜାଲି କମ୍ପାନିମାନଙ୍କୁ ମୁଖ୍ୟମନ୍ତ୍ରୀ ଜମି ଦେଉଛନ୍ତି। କିନ୍ତୁ ଖୋର୍ଦ୍ଧାରେ ବଟ୍‌ଲିଂ ପ୍ଲାଣ୍ଟ୍ ପାଇଁ ଆଇଓସିଏଲ୍‌ ପରି କମ୍ପାନି ୨୫ କୋଟି ଜମା କରିବା ସତ୍ତ୍ବେ ମଧ୍ୟ ଜମି ଦେଉ ନାହାନ୍ତି। ମୁଖ୍ୟମନ୍ତ୍ରୀ ଅସହିଷ୍ଣୁ ହୋଇ ଉଜ୍ଜ୍ବଳା ଯୋଜନାକୁ ସମାଲୋଚନା କରୁଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ବହୁ ସରକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ସରକାରୀ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯିବ। ଏହା ପରେ ସେ ଏକ ଜନସଭାକୁ ଉଦ୍‌ବୋଧନ ଦେବେ। ଏଥିରେ ମୁଖ୍ୟତଃ ୫ଟି ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଉପରେ ଫୋକସ୍ ଦିଆଯାଉଛି।

‌େକନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟର ପ୍ରତିବାଦ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରୀୟ ପ୍ରକଳ୍ପ  ପାଇଁ ‌େଯଉଁ ଜମି ଯୋଗାଇ ସାରିଛନ୍ତି, ତାହା ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି କାର୍ଯ୍ୟ ଆରମ୍ଭ କରାଯାଇ ନାହିଁ, ସେ ସମ୍ପର୍କରେ ଶ୍ରୀ ପ୍ରଧାନ ସ୍ପଷ୍ଟ କରନ୍ତୁ। କେନ୍ଦ୍ର ମନ୍ତ୍ରୀ ଅଭ୍ୟାସଗତ ଭାବେ କେନ୍ଦ୍ରୀୟ ପ୍ରକଳ୍ପ  ପାଇଁ ଜମି ମାଗି ଆ‌ସୁଛନ୍ତି। ରେଳବାଇ କ୍ଷେତ୍ରରେ ରାଜ୍ୟ ସରକାର ଜମି ଦେଇଥିଲେ ବି କେନ୍ଦ୍ର ସରକାର ତାହାକୁ କାର୍ଯ୍ୟକାରୀ କରାଇପାରୁ ନାହାନ୍ତି। ଜମି ଥିବା ସତ୍ତ୍ବେ ବ୍ରାହ୍ମଣୀ ଉପରେ ଦ୍ବିତୀୟ ସେତୁକୁ କେନ୍ଦ୍ର ସରକାର କାହିଁକି ନିର୍ମାଣ କରିପାରୁ ନାହାନ୍ତି, ତାହା ମଧ୍ୟ କେନ୍ଦ୍ର ମନ୍ତ୍ରୀ ସ୍ପଷ୍ଟ କରନ୍ତୁ।

ସମ୍ବନ୍ଧିତ ଖବର