କଥାଟିଏ: ନେନେ ଓ ନୂଆ ଶିଷ୍ୟ

ଜେନ୍‌ ଗୁରୁ ନେନେଙ୍କ ପାଖକୁ ଆସିଲେ ଜଣେ ଯୁବକ। ସେ କହିଲେ- ମୁଁ ଆପଣଙ୍କ ଶିଷ୍ୟ ହେବାକୁ ଚାହେଁ। ନେନେ ଯୁବକଙ୍କ ଆପାଦମସ୍ତକ ଥରେ ଚାହିଁ ଠଉରାଇ ନେଲେ ଯେ ତରୁଣଟି ଶିଷ୍ୟ ହେବାକୁ ଅଯୋଗ୍ୟ। ତେଣୁ ସେ କହିଲେ- ନା, ତୁମେ ଯାଅ। ଯୁବକ କହିଲା- ମୁଁ ଏତେ ବାଟ ଆସିଛି ଶିଷ୍ୟ ହେବା ଲାଗି , ତେଣୁ ଫେରିବି ନାହିଁ। ନେନେ କହିଲେ- ତୁମର ଗୁରୁର ଆବଶ୍ୟକତା ନାହିଁ।
ଯୁବକ କହିଲେ- ଅଛି। ଗୁରୁଙ୍କ ଆବଶ୍ୟକତା ଅଛି। କାରଣ, ମୋ ମନ ଅଶାନ୍ତ ରହୁଛି। ମନକୁ କେମିତି ଶାନ୍ତ କରିବି, ତାର ବାଟ ପାଇବା ଲାଗି ମୁଁ ଆପଣଙ୍କ ଶିଷ୍ୟ ହେବି।
ନେନେ କହିଲେ- ଏତିକି କଥା ତ! ବାଟଟି କହିଦେଉଛି। ସେଥି ଲାଗି ଶିଷ୍ୟ ହେବା ଲୋଡ଼ା ନାହିଁ। ଶୁଣ ଓ ବୁଝ। ମନ ରହିଲେ ଅଶାନ୍ତ ହେବ। ତେଣୁ, ସିଧା କଥା ହେଲା ତୁମେ ମନରୁ ମୁକ୍ତ ହୋଇଯାଅ।
ଯୁବକ କହିଲା- ୟେ ତ ଭାରି ଗହନ କଥା। କଥାର ଅର୍ଥ ବୁଝିଲେ ସିନା କିଛି କରିବି?
ନେନେ ଦେଖିଲେ ଯେ ଏ ଯୁବକ ନଛୋଡ଼ବନ୍ଦା। ତେଣୁ ସେ କହିଲେ- ଓଃ, ତାହା ବି ବୁଝିପାରୁନା?
ତାହା ହେଲେ ମୋ ସହିତ ଆସ।
ତା’ ପରେ ନେନେ ଯୁବକକୁ ସମୁଦ୍ର କୂଳକୁ ନେଇଗଲେ ଓ କହିଲେ- ତୁମ ମନ ଏ ସମୁଦ୍ର ଭଳି ଅଶାନ୍ତ ତ?
ଯୁବକ ଉତ୍ସାହିତ ହୋଇ କହିଲା, ‘ହଁ’।
ତା ପରେ ନେନେ ଗୋଟିଏ ଗିଲାସରେ ସମୁଦ୍ର ପାଣି ଭର୍ତ୍ତି କରି ଯୁବକ ଆଗରେ ତୋଳି ଧରି କହିଲେ- ଦେଖ, ଏ ଗିଲାସର ପାଣି କେମିତି ଶାନ୍ତ। କାରଣ ଏତିକି ପାଣି ସମୁଦ୍ରରୁ ମୁକ୍ତ ହୋଇଗଲା। ଏବେ ବୁଝି ପାରିଥିବ। ତେଣୁ ଯାଅ।
ଏହା କହି ସେ ଯୁବକଙ୍କ ହାତରେ ପାଣି ଗିଲାସଟି ଧରାଇ ଦେଇ ଝଡ଼ ବେଗରେ ସେଠାରୁ ଚାଲିଗଲେ।

ସମ୍ବନ୍ଧିତ ଖବର