ହାତୀ ଉପଦ୍ରବ ଜାରି, ବେଘର ହେଉଛନ୍ତି ଲୋକ

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ହାତୀଙ୍କ ଉପଦ୍ରବ ଯୋଗୁଁ ଲୋକେ ଭୟରେ ଜୀବନ ଅତିବାହିତ କରୁଛନ୍ତି। ହାତୀମାନେ ଘରଦ୍ବାର ନଷ୍ଟ କରିବା ସହିତ ବ୍ୟାପକ ଫସଲ ହାନି କରୁଛନ୍ତି। ଘରେ ସାଇତା ହୋଇଥିବା ଗରିବଙ୍କ ବର୍ଷକର ଆହାର ହାତୀ ମୁହଁରେ ଯାଉଛି। ଗତକାଲି ରାତିରେ ୧୨ ଟିକିଆ ହାତୀ ପଲ ପଡ଼ାଙ୍ଗ ପଞ୍ଚାୟତ ଅନ୍ତର୍ଗତ ନିପିଣ୍ଡା ଗ୍ରାମରେ ପଶି ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇଛନ୍ତି। ସୌଭାଗ୍ୟକୁ ମାଆପୁଅ ହାତୀ କବଳରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ସ୍ଥିତିରେ ବନ ବିଭାଗ ଉଚିତ ପଦକ୍ଷେପ ନେବା ପରିବର୍ତ୍ତେ ନିଘୋଡ଼ ନିଦରେ ଶୋଇଥିବା ଅଭିଯୋଗ ହେଉଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ଟା ବେଳେ ୧୨ ଟିକିଆ ହାତୀପଲ ପଡ଼ାଙ୍ଗ ପଞ୍ଚାୟତ ଅନ୍ତର୍ଗତ ନିପିଣ୍ଡା ଗ୍ରାମ ମାଝୀ ସାହିରେ ପଶିଥିଲେ। ହାତୀ ପଲ ବସନ୍ତ ମାଝୀ ଓ ଚୈତନ୍ୟ ମାଝୀଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇଥିଲେ। ସେତିକି ବେଳେ ଘର ଭିତରେ ଚୈତନ୍ୟ ମାଝୀଙ୍କ ସ୍ତ୍ରୀ ପ୍ରମିଳା ମାଝୀ(୨୨) ଓ ତାଙ୍କ ଅଢେଇ ବର୍ଷର ଶିଶୁପୁତ୍ର ବାଦଲ ଶୋଇଥିଲେ। ଘର ଅଗଣାରେ କକା ଶ୍ବଶୁର କାଳୁ ମାଝୀ ଶୋଇଥିଲେ। ହାତୀପଲ ଘର ଭାଙ୍ଗୁଥିବା ଜାଣି ସେ ସାହି ଭିତରକୁ ପଳାଇଥିଲେ। ଘର ଭିତରେ ମାଆ ପୁଅ ରହିଯାଇଥିଲେ। କ’ଣ କରିବେ ବୋଲି ପ୍ରମିଳା ଉପାୟ ଶୂନ୍ୟ ହୋଇଗଲେ। ମାତ୍ର ସାହସ ଜୁଟାଇ ଶିଶୁପୁତ୍ରକୁ ଧରି ପଡ଼ୋଶୀ ଘରକୁ ଚାଲି ଯାଇଥିଲେ। ସାହି ଲୋକେ ପାଟିତୁଣ୍ଡ କରିଥିଲେ ହେଁ ହାତୀ ପଲଙ୍କୁ କୌଣସି ଫରକ ପଡ଼ି ନଥିଲା। ୩ ଘଣ୍ଟା ପର୍ଯ୍ୟନ୍ତ ଘରେ ଗଚ୍ଛିତ ଥିବା ଧାନ, ଚାଉଳ, ମହୁଲ ଇତ୍ୟାଦି ଖାଇ କଳାପାଟ ସଂରକ୍ଷିତ ଜଙ୍ଗଲକୁ ଚାଲି ଯାଇଥିଲେ।

ଗ୍ରାମର ଈଶ୍ୱର ନାୟକଙ୍କ ବଗିଚାରେ ପଶି କଦଳୀ ଗଛ ଖାଇଥିଲେ। ରାଙ୍କି ଗ୍ରାମର ଗୋଲଖ ନାଏକଙ୍କ ୨ ବଖରା ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଛନ୍ତି। ତେବେ ଚୈତନ୍ୟ ଓ ବସନ୍ତଙ୍କ ୩ ବଖରା ଘର ସଂପୂର୍ଣ୍ଣ ଧ୍ବଂସ କରିଦେଇଛନ୍ତି। ତାଙ୍କ ପରିବାର ବେସାହାରା ହୋଇ ପଡ଼ିଛନ୍ତି।

ସୂଚନାଯୋଗ୍ୟ ତେଲକୋଇ ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗିରହିଛି। ଆଜି ତେଲକୋଇ ରେଞ୍ଜରେ ୨ଟି ଦଳରେ ୧୫ ଟି ହାତୀ ରହିଛନ୍ତି। ତେଲକୋଇ ଫରେଷ୍ଟ ସେକ୍ସନରେ ୩ଟି ଓ ବିମଳା ସେକ୍ସନରେ ୧୨ଟି ହାତୀ ରହିଛନ୍ତି। ସେଥିରୁ ୪ଟି ଦନ୍ତା, ୭ ଟି ମାଈ ଓ ୪ଟି ଛୁଆ ରହିଛନ୍ତି। ବର୍ଷ ତମାମ ପଡ଼ୋଶୀ ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼ ଜିଲ୍ଲାରୁ ହାତୀ ପଲ ଯିବା ଆସିବା କରୁଛନ୍ତି। ତେବେ ହାତୀ ଉପଦ୍ରବ ଦ୍ଵାରା କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇବାରେ ସରକାରୀ ବିଳମ୍ବ ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର