ବର୍ଷକରେ ହାତୀ ନେଇଛି ୧୪୯ ଜୀବନ: ୩ ବର୍ଷରେ ଦେଶରେ ୧୫୭୯, ଓଡ଼ିଶାରେ ୩୨୨ଜଣଙ୍କର ମୃତ୍ୟୁ

୫ ବର୍ଷରେ ୩୯୨ ହାତୀଙ୍କ ମୃତ୍ୟୁ

ଭୁବନେଶ୍ବର: ଓଡ଼ିଶାରେ ହାତୀ-ମଣିଷ ଲଢ଼େଇ ଶୀର୍ଷରେ ପହଞ୍ଚିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ସାରା ରାଜ୍ୟରେ ହାତୀ-ମଣିଷ ଲଢ଼େଇ(୨୯୪ଟି) ନେଇଛି ୧୪୯ଜଣଙ୍କ ଜୀବନ। ଏଥିରେ ୧୨୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। କର୍ଣ୍ଣାଟକ, ‌ଆସାମ, କେରଳ, ତାମିଲନାଡ଼ୁ ପରି ହାତୀ ବହୁଳ ରାଜ୍ୟ ତୁଳନାରେ ଓଡ଼ିଶାରେ ସର୍ବାଧିକ ଲୋକଙ୍କର ମୃତ୍ୟୁ ହୋଇଛି। ୨୦୨୨-୨୩ରେ ହାତୀ-ମଣିଷ ଲଢ଼େଇରେ ୧୪୮ ଜଣଙ୍କ ଜୀବନ ଯାଇଥିଲା। ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆହୁରି ୨୦ ଦିନ ବାକି ଥିବା ବେଳେ ତା’ପୂର୍ବରୁ ଗତବର୍ଷର ରେକର୍ଡ ଭାଙ୍ଗିଛି ଓଡ଼ିଶା। ୱାଇଲ୍ଡଲାଇଫ୍ ସୋସାଇଟି ଅଫ୍ ଓଡ଼ିଶା(ଡବ୍ଲ୍ୟୁଏସ୍‌ଓ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ଓଡ଼ିଶା ସର୍ବାଧିକ ଲୋକଙ୍କ ଜୀବନ ଯାଇଛି। ଏହି ୩ ବର୍ଷରେ ହାତୀ-ମଣିଷ ଲଢ଼େଇରେ ସାରା ଦେଶରେ ୧୫୭୯ ଜଣଙ୍କ ଜୀବନ ଯାଇଥିବା ବେଳେ ସେଥିରୁ ଓଡ଼ିଶାର କେବଳ ୩୨୨ଜଣଙ୍କର ମୃତ୍ୟୁ ହୋଇଛି। ଏହା ତଳକୁ ଝାଡ଼ଖଣ୍ଡରେ ୨୯୧, ପଶ୍ଚିମବଙ୍ଗରେ ୨୪୦, ଆସାମରେ ୨୨୯, ଛତିଶଗଡ଼ରେ ୧୮୩ ଓ ତାମିଲନାଡ଼ୁରେ ୧୫୨ଜଣ ରହିଛନ୍ତି। ଆସାମ ସହ ଓଡ଼ିଶାକୁ ତୁଳନା କଲେ ଗତ ୩ ବର୍ଷରେ ପ୍ରତି ୧୦୦ ହାତୀରେ ଓଡ଼ିଶାରେ ୧୮ଜଣଙ୍କ ମୃତ୍ୟୁ ହେଉଥିବା ବେଳେ ଆସାମରେ ଏହି ସଂଖ୍ୟା ମାତ୍ର ୪ରେ ସୀମିତ। ଗତ ୧୦ ବର୍ଷ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ହାତୀ-ମଣିଷ ଲଢ଼େଇ ହୋଇଛି। ଏବର୍ଷ ହାତୀ-ମଣିଷ ଲଢ଼େଇରେ ଢେଙ୍କନାଳ ଜିଲ୍ଲାରେ ୩୧ ଜଣଙ୍କ ଜୀବନ ଯାଇଛି। ସେହିଭଳି ଅନୁଗୁଳରେ ୨୪, ସୁନ୍ଦରଗଡ଼ରେ ୨୨, କେନ୍ଦୁଝରରେ ୧୮, ମୟୂରଭଞ୍ଜରେ ୧୦, ସମ୍ବଲପୁରରେ ୮ ଓ ଖୋର୍ଦ୍ଧାରେ ୭ ଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ହିନ୍ଦୋଳ ରେଞ୍ଜରେ ସର୍ବାଧିକ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ଅନୁଗୁଳର ବନ୍ତଳା ରେଞ୍ଜରେ ୧୩ଜଣଙ୍କ ମୃତ୍ୟୁ ହୋଇଛି ଓ ୧୧ ଜଣ ଆହତ ହୋଇଛନ୍ତି। ରାଜ୍ୟରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୨୦% କେବଳ ଏହି ଦୁଇ ରେଞ୍ଜର ବୋଲି ରିପୋର୍ଟରେ କୁହାଯାଇଛି। ସେହିପରି ଗତ ୫ ବର୍ଷ ଅର୍ଥାତ୍ ୨୦୧୯-୨୦ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟରେ ୩୯୨ଟି ହାତୀଙ୍କ ଜୀବନ ଯାଇଛି। ସେଥିମଧ୍ୟରୁ ୧୩୭ଟି ହାତୀଙ୍କର ଅପ୍ରାକୃତିକ ମୃତ୍ୟୁ ହୋଇଥିବା ବେଳେ ୯୪ଟି ହାତୀଙ୍କର ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

ଡବ୍ଲ୍ୟୁଏସ୍‌ଓ ସମ୍ପାଦକ ବିଶ୍ୱଜିତ୍ ମହାନ୍ତି କହିଛନ୍ତି ‌ଯେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ହାତୀଙ୍କ ନିତିଦିନିଆ ଚଲାପଥରେ ରେଙ୍ଗାଲୀ କେନାଲ ରହୁଥିବାରୁ ସେମାନଙ୍କ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି। ଲୋକଙ୍କୁ ଆକ୍ରମଣ କରିବା‌ ସହ ଜୀବନ ନେଉଛନ୍ତି। ବିଭିନ୍ନ ରେଞ୍ଜରେ ହାତୀଙ୍କ ଚଲାପଥ କ୍ରମଶଃ ସଙ୍କୁଚିତ ହେବା ଅନ୍ୟ ଏକ କାରଣ। ଗତ ୧୦ ବର୍ଷ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ଶିଳ୍ପାୟନ ବହୁ ପରିମାଣରେ ବୃଦ୍ଧି ପାଇଥିବାରୁ ହାତୀଙ୍କ ଜୀବନଶୈଳୀ ଗୁରୁତର ଭାବେ ପ୍ରଭାବିତ ହୋଇଛି।

ସମ୍ବନ୍ଧିତ ଖବର