ନିଜ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ନିର୍ମାଣ କରିବାରେ ଅସମର୍ଥ ଘୁମୁସର ଏନ୍‌ଏସି କର୍ତ୍ତୃପକ୍ଷ

ଘୁ.ଉଦୟଗିରି: ୪୪ବର୍ଷର ଏନଏସି ହେଉଛି ଘୁ.ଉଦୟଗିରି। ଜିଲ୍ଲାର ଏକ ପୁରୁଣା ଏନଏସି। ୧୨ହଜାର ଜନସଂଖ୍ୟା ସହ ୧୩ଗୋଟି ୱାର୍ଡ ରହିଛି। ଆଜି ପର୍ଯ୍ୟନ୍ତ ସହରର ମାଷ୍ଟର ପ୍ଲାନ ନାହିଁ। ବିନା ମାଷ୍ଟର ପ୍ଲାନରେ ଚାଲିଛି ସହରର ବିକାଶ। ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବା ବେଳେ ଦୂରଦୃଷ୍ଟି ଅଭାବ ଯୋଗୁଁ କୋଟି କୋଟି ଟଙ୍କା ବ୍ୟୟ ସତ୍ୱେ ଆଖି ଦୃଶିଆ ଉନ୍ନତି ହୋଇନଥିବା ସହରବାସୀ ଅଭିଯୋଗ କରୁଛନ୍ତି।

ପ୍ରତ୍ୟକ ବର୍ଷ ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହରର ବିକାଶ ପାଇଁ ବିଭିନ୍ନ ଯୋଜନାରେ ଅର୍ଥ ଆସିଥାଏ। ରାସ୍ତାଘାଟ, ରାସ୍ତା ଆଲୋକୀକରଣ, ପାର୍କ ନିର୍ମାଣ, ପରିମଳ ବ୍ୟବସ୍ଥା ସୁଧାରିବା, କମ୍ୟୁନିଟି ହଲ ନିର୍ମାଣ, ପାନୀୟ ଜଳ ଯୋଗାଣର ସୁବନ୍ଦୋବସ୍ତ ସହ ସହରର ସୌନ୍ଦର୍ଯ୍ୟ କରଣ ଭଳି ବହୁ ଜନହିତକର କାର୍ଯ୍ୟ ନିମନ୍ତେ ଅନୁଦାନ ଅର୍ଥ ଆସୁଥିବା ବେଳେ ତାର ସୁବିନିଯୋଗ କରିବାରେ ବ୍ୟର୍ଥ ହେଉଛନ୍ତି କର୍ତ୍ତୃପକ୍ଷ।

ଆଗାମୀ ସାଧାରଣ ନିର୍ବାଚନରେ ନିଶ୍ଚିତ ପ୍ରଭାବ ପଡିବ ଏନଏସି ର କାର୍ଯ୍ୟକୁ ନେଇ।କଂକ୍ରିଟ ରାସ୍ତା ଉପରେ ପୁଣି କଂକ୍ରିଟ ପଡ଼ି ରାସ୍ତା ନିର୍ମାଣ ହେଉଛି କେଉଁଠି କଂକ୍ରିଟ ରାସ୍ତା ଉପରେ ଭେବର ବ୍ଲକ ପଡୁଛି, ଯେଉଁ ରାସ୍ତା କାମ ହେଉଛି ତା ନିମ୍ନ ମାନର ହେଉଥିବା ଯୋଗୁଁ ଖୁବ କମ ଦିନରେ ରାସ୍ତା ନଷ୍ଟ ହେଇଯାଉଥିବା ନେଇ ସବୁ ସମୟରେ ଅଭିଯୋଗ ହେଉଛି ସେଇଭଳି ବିଭିନ୍ନ ସାହିରେ ନାଳ ନର୍ଦମା ନିର୍ମାଣ ରେ ବ୍ୟାପକ ତ୍ରୁଟି ରହୁଥିବା ନିମ୍ନମାନର କାମ ଯୋଗୁଁ ନର୍ଦମା ଜଳ ନିଷ୍କାସନରେ ସମସ୍ୟା ଉପୁଜୁଥିବା ମାଳମାଳ ଅଭିଯୋଗ ଆସୁଛି, ଏନଏସିର ବିନା ଅନୁମତି ବିନା ପ୍ଲାନରେ ଗୃହ ନିର୍ମାଣ ଚାଲୁଛି ଯଦ୍ବାରା ଏନଏସି କ୍ଷତି ସହିବା ସହ ଭବିଷ୍ୟତରେ ଘର ବଢିବା ଯୋଗୁଁ ସାହି ବଢୁଛି ହେଲେ ରାସ୍ତା ଘାଟ ହେଲେ ଡ୍ରେନ ନିର୍ମାଣରେ ସମସ୍ୟା ଦେଖାଦେଉଛି।

୪୪ବର୍ଷର ଏନଏସି କେତେ ନିର୍ବାଚିତ ପ୍ରତିନିଧି ଆସିଲେଣି ଗଲେଣି ହେଲେ ସହରରେ  ବସଷ୍ଟାଣ୍ଡ ଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁନି। ସତେ ଯେମିତି ଏହି ବସଷ୍ଟାଣ୍ଡକୁ ଗ୍ରହଣ ଲାଗିଯାଇଛି। ସେଇଭଳି ବାଏ ପାସ ରାସ୍ତା ସରକାରୀ ନାଲିଫିତା ଭିତରେ ରହିଯାଇଛି। ସାଧାରଣ ନିର୍ବାଚନରେ ଲୋକଙ୍କୁ କଣ କହି ଭୋଟ ମାଗିବେ ଶାସକ ଦଳର ନିର୍ବାଚିତ ପ୍ରତିନିଧି ମାନେ। ଦୀର୍ଘ ବର୍ଷ ହେଲା କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ମଧ୍ୟ ବସଷ୍ଟାଣ୍ଡ ଚାଲୁ ହୋଇପାରିନି। ଏହାସହ ସହରର ପ୍ରମୁଖ ଜନଗହଳିପୂର୍ଣ ଛକ ମାନଙ୍କରେ ରାସ୍ତା ଉପରେ ଯାତ୍ରୀ ବାହି ବସ ରହି ଯାତ୍ରୀ ଉଠେଇବା ଏବଂ ଓଲ୍ହେଇବା କାର୍ଯ୍ୟ କରୁଛି। ତହସିଲ ଅଫିସ ସମୁଖରେ ଏକ ବସ ଷ୍ଟପ ଅର୍ଧନିର୍ମିତ ଅବସ୍ଥାରେ ପଡିରହିଛି।

ସହରରେ ଯାହାସବୁ ଆନୁସାଙ୍ଗିକ ସୌନ୍ଦର୍ଯ୍ୟକରଣ ଆବଶ୍ୟକ ତାହା ନାହିଁ। ସହରର ମଧ୍ୟଭାଗରେ ଥିବା ବଜାର ବନ୍ଧ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ତାର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟ କରଣ ହୋଇପାରିନି। ଆଗକୁ ପାରମ୍ପରିକ ଦଣ୍ଡ ଉଠିବ ତା ପ୍ରତି ନଜର ନାହିଁ। ଦୀର୍ଘ ଦିନର ଦାବି ପରେ ବଜାର ବନ୍ଧ କାର୍ଯ୍ୟ ଏନଏସି ପକ୍ଷରୁ କରାଯିବ ବୋଲି ପ୍ରସ୍ତୁତି ଚାଲିଛି। ସହରର ବିଭିନ୍ନ ଛକ ମାନଙ୍କରେ ପରିଶ୍ରାଗାର ନିର୍ମାଣ, ବସଷ୍ଟପ ନିର୍ମାଣ, ସହରର ନର୍ଦମା ଜଳ ନିଷ୍କାସନ ବ୍ୟବସ୍ଥା ଭଳି ଜନହିତକର କାର୍ଯ୍ୟ କରି ସହରକୁ ସରସ ସୁନ୍ଦର କରିବାର ଭାର ନେଇଥିବା ଏନଏସି ଦୀର୍ଘ ବର୍ଷ ଭିତରେ ନିଜ ଦୂରଦୃଷ୍ଟି ଅଭାବ ସାଙ୍ଗକୁ ବିନା ମାଷ୍ଟର ପ୍ଲାନରେ ସମସ୍ତ କାର୍ଯ୍ୟ କରୁଥିବା ଯୋଗୁଁ ଯେତେ କାମ ହେଲେ ମଧ୍ୟ ଆଖିକୁ ଦେଖାଯାଉନାହିଁ।

ସରକାରଙ୍କ ଅର୍ଥକୁ ସୁବିନିଯୋଗ କରି ସାଧାରଣ ସହରବାସୀଙ୍କ ସ୍ୱାର୍ଥ ସମ୍ବଳିତ କାର୍ଯ୍ୟ କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିବା ନିମନ୍ତେ ସମସ୍ତ କାର୍ଯ୍ୟକୁ ଦୂର ଦୃଷ୍ଟି ରଖି ସଠିକ ଢଙ୍ଗରେ କାର୍ଯ୍ୟ କଲେ ସହରର ବିକାଶ ଏବଂ ସୌନ୍ଦର୍ଯ୍ୟ କରଣ ନିଶ୍ଚିତ ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସମସ୍ତ ନବନିର୍ବାଚିତ ଜନପ୍ରତିନିଧିଙ୍କ ପାଇଁ ସହରର ବିକାଶ ଏକ ଚାଲେଞ୍ଜ ହୋଇଛି। ବିକାଶର ନୂଆ ଦିଗ ପ୍ରତି ସଚେତନ ହୋଇ ଦୂରଦୃଷ୍ଟି ସମ୍ପର୍ଣ୍ଣ ଉନ୍ନୟନ କାର୍ଯ୍ୟ କରିଲେ ଆଗାମୀ ଦିନରେ ସରଶ ସୁନ୍ଦର ଆହ୍ୱାନ ବାସ୍ତବ ରୂପ ନେବ ନଚେତ ଆହ୍ୱାନ ଆହ୍ଵାନ ରହିଯିବ। ଏନଏସି ସାରା ସହରରେ ସାହି ଗଳି କନ୍ଦିରେ ରାସ୍ତା ନିର୍ମାଣ କରୁଛି ହେଲେ ନିଜ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ନିର୍ମାଣ କରିବାକୁ ଅସମର୍ଥ ହୋଇଛି। ପୋଷ୍ଟ ଅଫିସ ଛକ ଠାରୁ ଏନଏସି ଅଫିସ ରାସ୍ତା ଏବଂ ପଶୁ ଡାକ୍ତରଖାନା ଛକରୁ ଏନଏସି ଅଫିସ ରାସ୍ତା ମରଣ ଯନ୍ତା ପାଲଟିଛି। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଛି ହେଲେ କାମ ହୋଇପାରିନି। ରାସ୍ତା ନିର୍ମାଣ ରେ କଣ ସମସ୍ୟା ରହିଛି କିଛି ବୁଝାପଡୁନି।

ସମ୍ବନ୍ଧିତ ଖବର